ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଋତୁରାଜ ବସନ୍ତର ଆଗମନରେ ଫୁଲେଇ ଫଗୁଣ ଧରା ପୃଷ୍ଠକୁ ଅବତରଣ କରିଛି। ସବୁଜ ଗଛ ପତ୍ର ସହିତ ଶିମିଳିଫୁଲର ନାଲି ଓଢଣୀରେ ସଜେଇ ହୋଇଛି ପ୍ରକୃତି ରାଣୀ । ପ୍ରକୃତି କୁ ସ୍ବାଗତ କରିବା ପାଇଁ ଫଗୁଣ ନେଇ ଆସିଛି ରଙ୍ଗର ପର୍ବ ଦୋଳଯାତ୍ରା ଓ ହୋଲି । ବିମାନରେ ବସିଛନ୍ତି ଶ୍ରୀ ରାଧା ଓ ଶ୍ରୀ କୃଷ୍ଣ । ଘରକୁ ଘର ବୁଲୁଛନ୍ତି ଠାକୁର ଓ ଭକ୍ତଙ୍କ ହାତକୁ ଭୋଗ ଖାଇ ଗାଁ ଓ ସାହି ପରିକ୍ରମା କରୁଛନ୍ତି ଯୁଗଳ କିଶୋର ରାଧା ମୋହନ।

କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଫଗୁ ଦଶମୀ ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ପ୍ରତି ସାହି ରେ ଜଗନ୍ନାଥ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିର ତରଫରୁ ଦୋଳ ବିମାନ ବୁଲିବା ସହ ପୂଜା ପାଉଛନ୍ତି। କିଏ ଫଗୁ ରଙ୍ଗରେ ରଙ୍ଗୀନ ହୋଇଛି ତ ଆଉ କିଏ ପ୍ରସାଦ ବାଣ୍ଟି ପୁଣ୍ୟ ଅର୍ଜନ କରୁଛି। ଗାଁ ଗାଁରେ ସମସ୍ତେ ଶ୍ରୀରାଧା, ଶ୍ରୀକୃଷ୍ଣ ଙ୍କ ଭକ୍ତି ରସରେ ବୁଡି ଯାଇଛନ୍ତି । ପରମ୍ପରା ମୁତାବକ ଭୋଗପରେ ବିମାନରେ ବସି ଭକ୍ତକୁ ଦର୍ଶନ ଦେଉଛନ୍ତି ରାଧା ମାଧବ ।















