ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଠାରୁ ରେବିଙ୍ଗିଆ ରାସ୍ତା ଟି ଦୀର୍ଘ ଦିନ ହେଲା ମରଣଯନ୍ତା ପାଲଟି ଯାଇଛି l ବାରମ୍ବାର ଅଞ୍ଚଳ ବାସୀ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ ପରେ ମଧ୍ୟ ସୁଧୁରିନାହିଁ l ପ୍ରକାଶ ଯେ, ବାରଖମା ଠାରୁ ରେବିଙ୍ଗିଆ ଭାୟା ସୀତାପଡି ଦୀର୍ଘ ୧୫ କିମି ରାସ୍ତାକୁ ୧୮ କୋଟିରୁ ଅଧିକ ବ୍ୟୟରେ କରାଯାଇ ପ୍ରାୟ ବର୍ଷେ ହେଲା କାମ ଆରମ୍ଭ ହୋଇଥିଲେ ହେଁ ସରିବାର ନା ଗନ୍ଧ ଧରୁନି ।

ଏହି ରାସ୍ତା ଟି ସମ୍ପୂର୍ଣ୍ଣ ତିଆରି ହୋଇଗଲେ ବାରଖମା ଓ ରେବିଙ୍ଗିଆ ପଞ୍ଚାୟତକୁ ସଂଯୋଗ କରିବା ସହ ଦୁଇ ପଞ୍ଚାୟତ ର ଶତାଧିକ ଜନସାଧାରଣ ଉପକୃତ ହୋଇପାରନ୍ତେ ବୋଲି ଗ୍ରାମବାସୀ ମାନେ କହିଛନ୍ତି l ବାରଖମା ଓ ରେବିଙ୍ଗିଆ ଏହି ଦୁଇ ପଞ୍ଚାୟତର ସମସ୍ତ ଗ୍ରାମବାସୀ ଏହି ରାସ୍ତା ଦେଇ ପ୍ରତିଦିନ ଛାତ୍ରଛାତ୍ରୀ ସ୍କୁଲ, କଲେଜ, ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ସମେତ କୋର୍ଟ,କଚେରୀ, ଆଦି ସମସ୍ତ ସରକାରୀ କାର୍ଯ୍ୟ ପାଇଁ ବାରଖମା ଓ ବାଲିଗୁଡା ଉପରେ ଭରସା କରୁଛନ୍ତି ।

ରାସ୍ତା ଶୋଚନୀୟ ଥିବା ଯୋଗୁଁ ଯାତାୟାତ ରେ ଅସୁବିଧା ହେବା ସହ ପ୍ରତିଦିନ ଛୋଟବଡ ଦୁର୍ଘଟଣା ମାନ ମଧ୍ୟ ଘଟୁଛି । ରାସ୍ତା କାମ କରୁଥିବା ଠିକା ସଂସ୍ଥା ଏହି ରାସ୍ତାକୁ ଖୋଳି ମରଣଯନ୍ତା କରି ପକାଇଛନ୍ତି । ତୁରନ୍ତ କାମ ହେଉନି ଯାହା ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଏ ବାବଦରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ବୁଲୁ ପାଳ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରାସ୍ତା କାମ କରୁଥିବା ଠିକାଦାରଙ୍କୁ ତୁରନ୍ତ କାମ ଶେଷ କରିବାକୁ ବାରମ୍ବାର କୁହାଯାଉଛି ।















