No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭୁବନେଶ୍ୱର ବୁଦ୍ଧ ମନ୍ଦିର ସହ ଦୀର୍ଘ ୪୦ ବର୍ଷର ସମ୍ପର୍କକୁ ନେଇ ବିଶିଷ୍ଟ ରାଜନେତା, ଆର୍ଯ୍ୟସମାଜ, ଓଡ଼ିଶାର ସଭାପତି ତଥା ସର୍ବଭାରତୀୟ ମହାବୋଧି ସମିତିର ପୂର୍ବତନ ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଲିଖିତ ପୁସ୍ତକ “ବୁଦ୍ଧ ସଂଘରେ ୪୦ବର୍ଷ”କୁ ଶନିବାର ଅପରାହ୍ନରେ ଲୋକସେବା ଭବନଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ ଲୋକାର୍ପିତ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ସ୍ୱାଗତ ଭାଷଣରେ ଡଃ ଜ୍ଞାନେନ୍ଦ୍ର କହିଲେ ଯେ, ଆଜକୁ ୪୩ବର୍ଷ ତଳେ ଡଃ ହରେକୃଷ୍ଣ ମହତାବଙ୍କ ଦ୍ୱାରା ସେ ଭୁବନେଶ୍ୱର ବୁଦ୍ଧ ମନ୍ଦିର ସହ ଜଡ଼ିତ ହୋଇଥିଲେ । ଦୀର୍ଘ ୪୦ ବର୍ଷର ଅଙ୍ଗେ ଲିଭାଇଥିବା ବହୁ ସତ୍ୟ ଘଟଣାର ସେ ଏହି ପୁସ୍ତକରେ ଅବତାରଣା କରିଛନ୍ତି । ବ୍ୟକ୍ତିଗତ ମାଲିକାନାକୁ ନେବା ପାଇଁ ବହୁ ବ୍ୟକ୍ତିବିଶେଷଙ୍କ ଚେଷ୍ଟାକୁ ସେ କିଭଳି ଆଇନଗତ ଭାବେ ପ୍ରତିହତ କରିଛନ୍ତି ତାହା ଏହି ପୁସ୍ତକରେ ରହିଛି ।
ପୁସ୍ତକର ଅଗ୍ରଲେଖ ଲେଖିଥିବା ବିଶିଷ୍ଟ ସାମ୍ବାଦିକ, ସୁବାର୍ତ୍ତାର ସମ୍ପାଦକ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥି କହିଲେ ଯେ, ସତ୍ୟ ଅନେକଙ୍କୁ ହୁଏତ ବାଧିପାରେ, କିନ୍ତୁ ଡଃ ଜ୍ଞାନେନ୍ଦ୍ର କଠୋର ସତ୍ୟ ପ୍ରକାଶ କରି ବୁଦ୍ଧ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଶାସନର ସହଯୋଗ କାମନା କରିବା ସହ କୌଣସି ପରିସ୍ଥିତିରେ ସ୍ୱେଚ୍ଛାଚାରିତାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ ।
ଶେଷରେ ପ୍ରଦୀପ୍ତ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଦଳର ମୁଖପାତ୍ର ମନୋଜ ମହାପାତ୍ର, ଡଃ ସଞ୍ଜୟ କୁମାର ବେହେରା, ଅଧିବକ୍ତା ପ୍ରଶାନ୍ତ ମିଶ୍ର, ଅଧିବକ୍ତା ନଟବର ପଣ୍ଡା, ଚାଟାର୍ଡ଼ ଅଲେଖ ଚନ୍ଦ୍ର ବେହେରା, ସାମ୍ବାଦିକ ଚିରଞ୍ଜିବୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result