
ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ରବିବାର) ଭୁବନେଶ୍ୱର :- ପୁରାଣ କୁହେ ଅଶ୍ୱଥାମା ବୀଭିଷଣ ହନୁମାନ ଏମିତି କେତେ ଜଣ ଆଜି ଯାଏଁ ଅମର ଅଛନ୍ତି।ହେଲେ ମୋତେ ଲାଗେ ଆଉ ଜଣେ ବି ଅମର ବର ପାଇଥିଲେ । ଶହେ ପୁଅର ମା ଗାନ୍ଧାରୀ । ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କ ସ୍ତ୍ରୀ ଗାନ୍ଧାରୀ । ଆଖିରେ ଅନ୍ଧ ପୁଟୁଳି ବାନ୍ଧି ନିଜ ପୁଅମାନଙ୍କର ସମସ୍ତ ଭୁଲକୁ ପରୋକ୍ଷରେ ସମର୍ଥନ ଦେଇଥିବା ଗାନ୍ଧାରୀ । ମହାଭାରତର ସେ ଗାନ୍ଧାରୀ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ପାଇଲେ କଣ ! କି ଖୁସି ପାଇଲେ ! ଜଣ ଜଣ କରି ସମସ୍ତ ଶହେ ପୁଅଙ୍କୁ ଅସମୟରେ ହରେଇଲେ । ଅବଶ୍ୟ କେହି କେହି କୁହନ୍ତି ଅନେଶ୍ୱତ ପୁଅଙ୍କୁ ହରେଇଥିଲେ ବୋଲି । ଅନ୍ଧ ସ୍ନେହଁରେ ପାଗଳୀ ହେଇ କେବେ ବି ଚିନ୍ତା କଲେନି ପିଲାଙ୍କ ପାଇଁ କଣ ଭଲ କଣ ମନ୍ଦ ! ଭୁଲ ବାଟରେ ନ ଯିବାକୁ କେବେ ବି ତାଗିଦ୍ କଲେନି । ଟିକେ ତାଗିଦ୍ କରିଥିଲେ ହୁଏତ ଶହେରୁ ଦଶ ବାରୁଟା ନିହାତି ବଞ୍ଚି ଯାଇଥାଆନ୍ତେ । ଠିକ୍ ସେମିତି ଆଜିର ମା ମାନେ ଜଣେ ଜଣେ ଗାନ୍ଧାରୀ ।

ଆଜି ସମାଜର ଅବକ୍ଷୟ ପାଇଁ ଏହି ଗାନ୍ଧାରୀମାନେ ହିଁ ବେଶୀ ଦାୟୀ । ଚିନ୍ତା କରନ୍ତିନି ଏମାନେ କଉଁଟା ପିଲାର ହିତରେ ଆଉ କଉଁଟା ଅହିତରେ ! ସୌନ୍ଦର୍ଯ୍ୟ ନଷ୍ଟ ହେଇଯିବା ଭୟରେ ଜନମରୁ ଧରେଇ ଦିଅନ୍ତି ଗୋଟେ ଗୋଟେ କ୍ଷୀର ବୋତଲ । ମା କ୍ଷୀର ଆଉ ବୋତଲ କ୍ଷୀର ଭିତରର ଫରକ ଦେଖିପାରନ୍ତିନି । ପିଲା ମା ସ୍ତନରୁ ଚୁଷିକି କ୍ଷୀର ପିଇବା ଶିଖିଲାନି । ମା କୋଳର ଉଷ୍ମତା କଣ ଜାଣିଲାନି । ଶେଯରେ ପରିଶ୍ରା କରିଦବ ଭୟରେ ଝୁଲଣା ଶେଯରେ ଶୋଇଲା । ମା’ର ପଣତ କାନି ପାଇଲାନି । ପାଇବ କଣ ପଣତ କାନି ଆଉ ଅଛି କଉଁଠି!ଆଜିର ମା’ମାନେ ତ ଶସ୍ତା ସୁନ୍ଦର ମଜଭୁତ ଘାଗରାଟେ ପିନ୍ଧି ବୁଲିଲେଣି । ଶୁଣିଲାନି ସେ ଧୋ ରେ ବାଇଆ ଧୋ ଗୀତ । ପିଲାଟା କେତେ ହସିବ ଆଉ କେତେ କାନ୍ଦିବ ସେସବୁର ନୁଆ ମାପଦଣ୍ଡ ତିଆରି କରାଗଲା । ଟିକେ ବେଶି ହସିଦେଲେ ତାଗିଦ । କଣ ଏମିତି ପାଗଳାଙ୍କ ଭଳିଆ ହସୁଛୁ! ଟିକେ କାନ୍ଦି ପକେଇଲେ ତାକୁ ଶୁଣେଇଦେଲା ମୋବାଇଲ ଫୋନରେ ଗୀତ ମେରେ ଲସକେ କମର।ପାଇଲାନି ଚୁଡାଗୁଣ୍ଡ । ଜାଣିଲାନି ଚାଉଳ ଚୁନା କି ଚିତଉ ପିଠା । ଡବା ଗୁଣ୍ଡ ଖାଇ ବଡ ହେଲା । ନା ପାଇଲା ମା’ର କୋଳ ନା ଛୁଇଁଲା ମାଟି ମା’କୁ । ବାଲି ଧୁଳି କଣ ଜାଣିଲାନି । ମାଟି ଛୁଇଁଲେ ବାହାରିଲା ଦେହରେ ଘାଆ । ଶେଯରେ ମୁତିଲାନି । ଓଦାରେ ଟିକେ ଶୋଇଲାନି । ଜାଣିଲାନି ଓଦା କଣ କି ଗରମ କଣ! ଡ୍ରାଇଫର ପିନ୍ଧି ବଡ ହେଲା ।

ବର୍ଷାରେ ଓଦା ହଵା ତ ଦୁରର କଥା ଟିକେ ବର୍ଷା ପାଗ ହେଲା ମାନେ ପିଲାକୁ ହେଲା ଥଣ୍ଡା ଜ୍ୱର।ତାକୁ ଗାଁ ପୋଖରୀରେ ଗାଧୋଇବା ମନା । ନଈରେ ପହଁରିବା ମନା । କାଗଜ ଡଙ୍ଗା ଭସେଇବା ମନା। ତୋଟାରେ ବୁଲିବା ମନା।ଗଛ ଚଢିବା ମନା । ଗଛରୁ କୋଳି ତୋଳି ଖାଇବା ମନା । ଆମ୍ବ ଗଛକୁ ଟେକା ମାରିବା ମନା । କୁକୁରକୁ ଭୋ ଭୋ ହେଇ ଭୁକିବା ମନା । ମନା ମନା । ସବୁ ମନା ଆଉ ଘରର ଚାରି କାନ୍ଥ ଭିତରେ ସେ ବଢିଲା । ଆଜି ୟେ ଗାନ୍ଧାରୀମାନଙ୍କ ପାଖେ ସମୟ କାହିଁ ପିଲାକୁ କାଖେଇ ବୁଲେଇବେ କି ଖେଳେଇବେ । ଅାଜିକାଲି ତ ପିଲା ପାଠ ପଢାରେ ଅସୁବିଧା ହବ କହି ଅଧିକାଂଶ କଣ ଗୋଟେ ନ୍ୟୁକ୍ଲିୟର କନସେପ୍ଟ ଆପଣେଇଲେଣି । ସେଠି ଖାଲି ମିଆଁ ବିବି ଆଉ ଛୁଆଟେ । ପୁଅ ହଉ କି ଝିଅ ହଉ ଗୋଟାଏରେ ଶେଷ । ଫେମିଲି କହିଲେ ତିନି ଜଣ । ଚାରି ହବାର ପ୍ରଶ୍ନ ନାହିଁ । ଶାଶୁ ଶଶୁର କି ଦେଢଶୁର ଦିଅର ଯାଆ ସବୁ ମିଶିକି ରହିଲେ କୁଆଡେ ପିଲାର ଭବିଷ୍ୟତ ନଷ୍ଟ ହେଇଯାଉଛି । ପିଲାଟା କୁଆଡେ ଅମଣିଷ ହେଇଯିବ। ବୁଢା ଶାଶୁ ଶଶୁରଙ୍କୁ ଏମିତି ନଚେଇବେ ଯେ ସେମାନେ ଅଲଗା ଘର ଖୋଜିବେ ନ ହେଲେ ଗାଁ କୁ ପଳେଇବେ । ପିଲାଟା ବୁଢୀ ମା କୋଳରେ ଶୋଇ ମଣ୍ଡାଖିଆ ଅସୁର ଗପ ଶୁଣିଲାନି କି ବୁଢା ବାପାର ହାତ ଧରି ଚାଲିଲାନି ।
ପିଲାକୁ ଖେଳିବାକୁ ଧରେଇଦେବେ ମେଞ୍ଚେ ପ୍ଲାଷ୍ଟିକ ଖେଳନା । ଆଉ ଖେଳନା ମୋବାଇଲ ଫୋନଟେ। ପିଲାଟା ଖେଳିବାକୁ ନା ପାଇଲା ଭାଇ କି ଭଉଣୀଟେ ନା ବୁଢା ବାପା ମା ନା ସାଙ୍ଗ ସାଥୀ । ବଡ ହେଲା । ସ୍କୁଲ ଗଲା।ହେଲେ ବାପା କି ଦାଦା କାନ୍ଧରେ ବସିକି ନୁହେଁ।ନା ଚାଲି ଚାଲି ଗଲା ନା ନାଚି ନାଚିକା।ସ୍କୁଲ ଗାଡି ଆସି ଘର ପାଖରୁ ନେଇଗଲା । ଯଦି ଗାଡି ଦୁଆର ମୁହଁକୁ ନ ଆସିଲା ଆଉ ଛକ ଯାଏ ପିଲାକୁ ଯିବାକୁ ପଡିଲା ତେବେ ସେତକ ବାଟ ପିଲା ସତେ ଯେମିତି ଚାଲିକି ଯିବା ମନା।ମୋ ପିଲା ଚାଲିବ ୟେ କଥା ଗାନ୍ଧାରୀ ସହିପାରିବନା । ବାପା ନେଇ ଛକରେ ବସ ଚଢେଇ ଆସିବାକୁ ବାଧ୍ୟ । ପିଲାବେଳେ ଚାଲିବା କଣ ଜାଣିଲାନି । ପଡି ଉଠି ଝୁଣ୍ଟିବାର ମଜା ପାଇଲାନି । ମାଙ୍କଡକୁ ଟେକା ମାରିବାର ମଜା କଣ ଜାଣିଲାନି। କୟାଁ ଗଛକୁ ଟେକା ମାରି କୟାଁ ଖାଇଲାନି।ବ୍ରଏଲର କୁକୁଡା ଛୁଆ ଭଳିଆ ବଢିଲା । କାହାରି ସହିତ ମିଶିବାକୁ ସୁଯୋଗ ପାଇଲାନି।ନା ଗାଁ ଦାଣ୍ଡରେ ଖେଳିଲା ନା ଗଣେଶ ପୁଜାରେ ସକାଳୁ ସାଙ୍ଗହେଇ ଫୁଲ ତୋଳିବାର ମଜା ପାଇଲା।ସ୍କୁଲ ଗଲା।କୁଲିଟେ ଭଳିଆ ଗୋଟେ ବଡ ଵୋଝଟେ କାନ୍ଧରେ ପକେଇ ନଇଁ ନଇଁ ଚାଲିଲା।ପାଞ୍ଚ ମିନିଟରେ ତିଆରି ହେଇ ଯାଉଥୁବା ମ୍ୟାଗି ଖାଇ ବଢିଲା। ସ୍କୁଲ, ଘର ଆଉ ଟିୟୁସନ ଭିତରେ କଟିଲା ତା ଦିନ।ନା ସ୍କୁଲ ସାରଙ୍କ ବେତ ମାଡ ଖାଇଲା ନା ବଗିଚାରେ ଘାସ ଓପାଡିଲା ।

ଆଗରୁ ଘରେ ପିଲା ଦୁଷ୍ଟ ହେଉଥିଲେ ବାପା ମା ତାକୁ ସ୍କୁଲ ସାରଙ୍କ ଭୟ ଦେଖାଇ ଡରଉଥୁଲେ । ଏବେ ତ ପିଲା ଟୋଲ ଫ୍ରୀ ନମ୍ବରର ଭୟ ସାରଙ୍କୁ ଦେଖେଇଲାଣି । ପିଲା ଟିକେ ବଡ ହଉ ହଉ ତା ପାଇଁ କିଣାହେଲା ସତ ସତିଆ ସ୍ମାର୍ଟ ଫୋନଟେ।କି ଅଜବ ଯୁକ୍ତି ମା ମାନଙ୍କର!ସ୍ମାର୍ଟ ଫୋନ ନ ଧଇଲେ ମୋ ପିଲା ସ୍ମାର୍ଟ ହବ କେମିତି!ବାସ୍।ତା’ପରେ ସେ ଫୋନରେ ଖାଲି ନାଚ ଗୀତ ଦେଖିଲା । ନ ହେଲେ ଫୋନରେ ଗେମ ଖେଳିଲା । ସ୍କୁଲ କଲେଜ ଗଲା ହେଲେ ସେ ମୋବାଇଲ ଫୋନରେ ଗୀତ ଶୁଣା ନିଶାଟା ଗଲାନା।ରାସ୍ତାରେ ଚାଲୁଥାଉ କି ଅଟୋରେ ଓହଳି ଥାଉ ମୋବାଇଲ ଫୋନର ଇୟର ଫୋନଟା କାନରେ ଗେଞାହେଇ ନ ଥିଲେ ନ ହୁଏ । ଏମିତି କି ରାସ୍ତା କଡରେ ହାଲକା କଲାବେଳେ ବି ଗୀତ ଶୁଣା ଚାଲିଥିବ।ଦିନ ଆସିବ ଆଗାମୀ ପୀଢି କାଲ ହେଇ ବୁଲିବେ।କାନ ଡାକ୍ତର ବି କିଛି କରିପାରିବେନି। ନାହିଁ ଯଦି ପଇସା ପତ୍ର ଟିକେ ସ୍ୱଛଳ ତେବେ ମରଦକୁ କହି ଗୋଟେ କମ୍ପ୍ୟୁଟର କିଣେଇଦେବେ। କଣ ନା ମୋ ପିଲା ପାଠ ପଢିବା ପାଇଁ କମ୍ପ୍ୟୁଟରଟେ ନିହାତି ଦରକାର।ସେଥିରେ ପାଠ ପଢା କମ ଗେମ ଖେଳଟା ଆଗ। ବାଇକ ରେସିଙ୍ଗ ଖେଳଟା ଆଗ ଲୋଡ ହବ। କମ୍ପ୍ୟଟରରେ ରେସିଙ୍ଗ ବାଇକ ଚଲଉ ଚଲଉ ଅଭ୍ୟାସରେ ପଡିଯାଏ ।
ପରେ ରାସ୍ତାରେ ସିଜର କଟିଙ୍ଗର ରୁପ ନିଏ। ସେ ସିଜର କଟିଙ୍ଗରେ ନିଜେ ତ ମରନ୍ତି ଅନ୍ୟକୁ ବି ମାରନ୍ତି।ପିଲାର ୟେ ସବୁ କୁଅଭ୍ୟାସ ଅଜାଣତରେ ଏହି ଗାନ୍ଧାରୀମାନେ ହିଁ କରେଇ ଦିଅନ୍ତି। ପିଲାଟା ଗୋଟେ ଅମଣିଷ ହେଇଯାଏ। ୟେ ନ୍ୟିକ୍ଲିୟର କନସେପ୍ଟରେ ପିଲାଟା କାହାକୁ ଚିହ୍ନେନା।କାହାକୁ ମାନେନା।ବଡବାପା ଦାଦା ପିଉସା ସମସ୍ତଙ୍କୁ ପିଲାଠୁ ଦୁରେଇ ଦିଆଯାଏ।ଗାଁ ଛକରେ ଠିଆ ଠିଆରେ ବୋତଲ ଟେକେ।କାହାର କିଛି କହିବାର କି ତାଗିଦ କରିବାର ଯୁଉ ନ ଥାଏ।କେହି କିଛି କହିଲେ ଗର୍ଜି ଉଠେ ଗାନ୍ଧାରୀ। ସିଏ କିଏ ମୋ ପିଲାକୁ କହିବ!ସିଏ ମୋ ପିଲାକୁ ଖୁଆଉଛି ନା ପିଆଉଛି!ମୋ ପିଲା କଣ କଲା କାହାର କଣ କଣ ଗଲା!ଏମିତି କି ବେଳେ ବେଳେ ବୋପାର କହିବାର ଗୋଟେ ସୀମା ନିର୍ଦ୍ଧାରଣ କରିଦିଏ।ତା’ଠୁ ଅଧିକା କହିଲେ ଗାନ୍ଧାରୀ କାନ୍ଦି ପକେଇ କହିବାକୁ ପଛାଏନି ତୁମେ ମୋ ପିଲାକୁ ଦେଖିପାରୁନ।ଆଜିର ଗାନ୍ଧାରୀ ପ୍ରେମ ହିଁ ନିଜ ପିଲାକୁ ଅମଣିଷ କରିଦଉଛି। ୟେ ଗାନ୍ଧାରୀମାନେ ନିଜ ନିଜର ଚିନ୍ତାଧାରା ନ ବଦଳେଇଲେ ଆଗାମୀ ପୀଢି ଗୋଟେ ଗୋଟେ ଅକର୍ମଣ୍ୟ ରୋବର୍ଟ ହେଇ ବାହାରିବେ। ହେଃ ଗାନ୍ଧାରୀମାନେ ନିଜ ଆଖିରୁ ସେ ଅନ୍ଧପୁଟୁଳି ଖୋଲିଦିଅ।ପିଲାକୁ ଦୁର୍ଯ୍ୟୋଧନ କି ଦୁଃଶାସନ କରନା ।














