ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଜାଡି ନଦୀ କେନାଲ ଖୋଳାକୁ ନେଇ ବ୍ରହ୍ମଗିରି ଥାନା ଅନ୍ତର୍ଗତ କୁସୁବେଣ୍ଟି ପଞ୍ଚାୟତ ହରିଦାସପୁର ଗ୍ରାମବାସୀଙ୍କ ସହ ସୋମବାର ଜିଲ୍ଲା ପ୍ରଶାସନ ମୁହାଁମୁହିଁ ହୋଇଛି । ଏହି କେନାଲକୁ କେନ୍ଦ୍ରକରି ହରିଦାସ ଏବଂ କୁସୁବେଣ୍ଟି ଗାଁ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗିରହିଥିଲା। କେନାଲ ଖୋଳା ଚାଲିଥିଲାବେଳେ ହରିଦାସ ଗାଁ ର ଲୋକମାନେ କେନାଲ ଖୋଳିବା ପାଇଁ ବିରୋଧ କରିଥିଲେ। ଚାଷରେ ସମସ୍ୟା କୁ ଆଖି ଆଗରେ ରଖି ଏ ବିଷୟରେ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଆଲୋଚନା ହୋଇଥିଲା ।

ହରିଦାସ ଗ୍ରାମବାସୀଙ୍କ ସହିତ ପ୍ରଶାସନିକ ଅଧିକାରୀମାନେ ସୁସମାଧନ ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ତେଣୁ ବାଧ୍ୟ ହୋଇ ଗତକାଲି ଜିଲ୍ଲା ପ୍ରଶାସନ ତରଫରୁ ସେହି ସ୍ଥାନରେ ୧୬୩ ବିଏନଏସ ଘୋଷଣା କରାଯାଇଥିଲା। ଆଜି ସକାଳୁ ଜିଲ୍ଲା ପ୍ରଶାସନ ପୋଲିସ ପ୍ରଶାସନ ସହିତ କେନାଲ ରୁ ଅବରୋଧ ହଟାଇବା ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ହରିଦାସ ଗାଁ ର ଶତାଧିକ ମହିଳା ପୁରୁଷ ରାସ୍ତା ଅବରୋଧ କରିବା ସହ କେନାଲ ନିକଟରେ ବସି ରହିଥିଲେ। ଯାହାଫଳରେ ଜିଲ୍ଲା ପ୍ରଶାସନ ଏବଂ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ।

ଉଭୟଙ୍କ ମଧ୍ୟରେ ଠେଲାଠେଲି ଧସ୍ତା ଧସ୍ତି ଚାଲିଥିବା ବେଳେ ମହିଳା ମାନେ ପୋଲିସ ଉପରକୁ ପଙ୍କ କାଦୁଅ ଫିଙ୍ଗିଥିଲେ। ଅନ୍ୟ ପଟରେ ପୋଲିସ ତରଫରୁ ବଳ ପୂର୍ବକ ମହିଳା ପୁରୁଷଙ୍କୁ ଟାଣି ଓଟାରି ଗାଡ଼ିକି ନେଇ ଯାଇଥିଲେ । ପ୍ରଶାସନ କେନାଲ ଖୋଳିବାରେ ସଫଳ ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପ୍ରଶାସନ ଜଗି ରହିଛି ।

ପୋଲିସ ୭୦ ଜଣରୁ ଉର୍ଦ୍ଧ୍ବ ମହିଳା ପୁରୁଷଙ୍କୁ ବ୍ରହ୍ମଗିରି ଥାନାରେ ଅଟକ ରଖାଯାଇଛି । ଦୁଇ ଜଣ ଆହତ ହୋଇ ଆମ୍ବୁଲାନ୍ସ ରେ ମେଡିକାଲ ଯାଇଛନ୍ତି । ଏହି ଘଟଣାକୁ ନେଇ କୁସୁବେଣ୍ଟି ପୁର ଓ ହରିଦାସ ପୁର ଗ୍ରାମରେ ଚାପା ଉତେଜନା ସୃଷ୍ଟି ହୋଇଥିଲେ ମଧ୍ଯ ପୋଲିସ ନିୟନ୍ତ୍ରଣ ରହିଛି ।














