-
ଜନସେବା ପାଇଁ ନାଗରିକ କମିଟି ସମ୍ମାନିତ, ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶଂସା
କଣ୍ଟାବାଞ୍ଜି (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ରୋଏଲ ଟୁଲିପ୍ ସଭାଗୃହରେ ଆଜି ଗୁରୁବାର ଦିନ କଣ୍ଟାବାଞ୍ଜି ପ୍ରେସ୍ କ୍ଲବର ଷଷ୍ଠତମ ବାର୍ଷିକ ଉତ୍ସବ ଭବ୍ୟ ଓ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜିର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ ବାଗ ଯୋଗଦେଇ ସାମ୍ବାଦିକତାର ସମାଜ ଗଠନରେ ଭୂମିକା ଏବଂ ଜନସମସ୍ୟାର ସମାଧାନ ପାଇଁ ଗଣମାଧ୍ୟମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, କଣ୍ଟାବାଞ୍ଜି ଏନ୍ଏସି ଅଧ୍ୟକ୍ଷ ଶ୍ରୀ ବାରିୟମ ସିଂ ସାଲୁଜା ଏବଂ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସମ୍ପାଦକ ଶ୍ରୀ ପୁରୁନ୍ଧର ବାଗ ଉପସ୍ଥିତ ରହି କଣ୍ଟାବାଞ୍ଜି ଅଞ୍ଚଳର ବିକାଶରେ ସାମ୍ବାଦିକ ଓ ସାମାଜିକ ସଂଗଠନମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ତଥା କୌଶଳ ରାଜ୍ୟ ସମନ୍ୱିତ କେନ୍ଦ୍ର କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ମିଶ୍ର ସାମ୍ବାଦିକତାର ନୈତିକତା ଓ ସାମାଜିକ ଦାୟିତ୍ୱ ଉପରେ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ କଣ୍ଟାବାଞ୍ଜି ଓ ଆଖପାଖ ଗ୍ରାମାଞ୍ଚଳର ବିଭିନ୍ନ ଜନସମସ୍ୟାକୁ ନେଇ ନିରନ୍ତର ସଂଘର୍ଷ କରୁଥିବା ସାମାଜିକ ସଂଗଠନ କଣ୍ଟାବାଞ୍ଜି ନାଗରିକ କମିଟିକୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ମାନ ଗ୍ରହଣ ସମୟରେ କମିଟିର ସଭାପତି ଶ୍ରୀ ବିଶାଳ ତାଣ୍ଡି, ଉପସଭାପତି ଶ୍ରୀ ରାଜୁ ଛତ୍ରିଆ, ସମ୍ପାଦକ ଶ୍ରୀ ରୁରେନ୍ଦ୍ର ସୁନାନୀ (ଜିତୁ ସୁନା), ସମ୍ବାଦ ପରାମର୍ଶଦାତା ଶ୍ରୀ ପ୍ରମୋଦ ବେହେରା, ବରିଷ୍ଠ ସଦସ୍ୟ ଶ୍ରୀ ପୁରୁଷୋତ୍ତମ ରଣା,
ଉପକୋଷାଧ୍ୟକ୍ଷ ଶ୍ରୀ ତେମୁ ନାୟକ ଓ ସଦସ୍ୟ ଶ୍ରୀ ଲକି ପନିକା ଉପସ୍ଥିତ ଥିଲେ । ସମ୍ମାନ ଗ୍ରହଣ ପରେ କମିଟି ପକ୍ଷରୁ ସମ୍ପାଦକ ଶ୍ରୀ ରୁରେନ୍ଦ୍ର ସୁନାନୀ ପ୍ରେସ୍ କ୍ଲବର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇ କହିଲେ, “ଏହି ସମ୍ମାନ ଆମକୁ ଆଗାମୀ ଦିନରେ ଜନସ୍ୱାର୍ଥରେ ଆହୁରି ଅଧିକ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରେରଣା ଦେବ ।”

















