No Result
View All Result
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର) ହିଞ୍ଜିଳିକାଟୁ :- ଲିଜ୍ ହୋଇନଥିବା ନଦୀରୁ ବେଆଇନ ଭାବେ ବାଲି ଚୋରାଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ନିକଟ ଦେଇ ପ୍ରବାହିତ ଋଷିକୂଲ୍ୟା ନଦୀରୁ ବାଲି ମାଫିଆ ମାନେ ଦିନରାତି ଶହ ଶହ ହାଇଓ୍ବା, ଟିପ୍ପର ଓ ଟ୍ରାକ୍ଟର ଯୋଗେ ବାଲି ଚୋରାଚାଲାଣ କରୁଥିବା ନିତିଦିନିଆ ଘଟଣା ପାଲଟିଛି। ସବୁ ଜାଣି ନିଦାବିଷ୍ଣୁ ପାଲଟିଛି ଖଣି ବିଭାଗ ।
ଏଣେ ବାଲି ମାଫିଆ ମାନେ ହିଞ୍ଜିଳି ଥାନା ଇଲାକାର ଘୋଡାହାଡ ଓ ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ପ୍ରତିଦିନ ସନ୍ଧ୍ୟାରୁ ପରଦିନ ଭୋର ସମୟ ପର୍ଯ୍ୟନ୍ତ ବାଲି ଚୋରାଚାଲାଣ କରୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ନିରବଦ୍ରଷ୍ଟା ସାଜୁଥିବା ନେଇ ଅଭିଯୋଗ ହୋଇଛି। ବେଆଇନ ବାଲି ଚୋରାଚାଲାଣ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ପରେ ଖଣିବିଭାଗ ତତ୍ପର ହୋଇଉଠିଛି।
ଗୁରୁବାର ଭୋର୍ ସମୟରେ ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀରେ ଖଣି ବିଭାଗୀୟ ଅଧିକାରୀ ମାନେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ୨ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି। ଜବତ ଟ୍ରାକ୍ଟର ୨ ଟିକୁ ହିଞ୍ଜିଳି ଥାନା ପରିସରରେ ରଖାଯାଇଛି। ତେବେ ଚଢାଉ ପୂର୍ବରୁ ସଂପୃକ୍ତ ଅଞ୍ଚଳର ବାଲି ମାଫିଆଙ୍କୁ ସଂପୃକ୍ତ ବିଭାଗର ତଳିଆ କର୍ମଚାରୀଙ୍କ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ପ୍ରତ୍ୟହ ସନ୍ଧ୍ୟା ସମୟ ଠାରୁ ପରଦିନ ଭୋର ସମୟ ପର୍ଯ୍ୟନ୍ତ ବେଆଇନ ବାଲି ଚୋରାଚାଲାଣ ହେଉଥିବା ବେଳେ ଖଣି ବିଭାଗୀୟ ଅଧିକାରୀ ମାନେ ଜାଣିଶୁଣି ଭୋର ସମୟରେ ଚଢ଼ାଉ କରୁଛନ୍ତି ବୋଲି ଅଭିଯୋଗ ଉଠିଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଗୁମର ରହସ୍ୟର ପର୍ଦ୍ଦାଫାଶ ହେବ ବୋଲି ଗ୍ରାମବାସୀ କହିଛନ୍ତି । ଏଭଳି ଚୋରା ବାଲି ଚାଲାଣକୁ ହିଞ୍ଜିକି ଥାନା ବ୍ରାହ୍ମଣଛାଇ ଗ୍ରାମର ଗାଁ ମୁଖିଆଙ୍କ ଇଙ୍ଗିତ, ପ୍ରୋତ୍ସାହନ ଓ ନିୟନ୍ତ୍ରଣରେ ବ୍ୟାପକ ଭାବେ ବାଲି ଲୁଟ ଚାଲିଥିବା ସବୁଠି ଖୋଲା ଆଲୋଚନା ହେଉଛି ।

No Result
View All Result