ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବୋଲଗଡ଼ ବ୍ଲକ୍ ପିଚୁକୁଳି ପଞ୍ଚାୟତସ୍ଥ ଟିକାତାଳ ଗ୍ରାମରେ ପ୍ରତିଷ୍ଠିତ ଶ୍ରୀରାମକୃଷ୍ଣ ସେବାଶ୍ରମର ୪୭ତମ ବାର୍ଷିକୋତ୍ସବ ପବିତ୍ର ରାସପୂର୍ଣ୍ଣିମା ତିଥିରେ ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଭୁବନେଶ୍ୱର ରାମକୃଷ୍ଣ ମିଶନର ସହ ସମ୍ପାଦକ ସ୍ୱାମୀ ମହେଶାତ୍ମାନନ୍ଦଜୀ ମହାରାଜ ଯୋଗଦେଇ ଆଧ୍ୟାତ୍ମିକ ଜୀବନରେ ପ୍ରାର୍ଥନା ଓ ହାତତାଳି ବଜାଇ ଭଗବାନଙ୍କ ନାମ କୀର୍ତ୍ତନରେ ମାନସିକ ଶାନ୍ତି ସହ ଗୃହରେ ଶାନ୍ତି ଆନୟନ କରେ ବୋଲି ଦୃଢ ମତ ପୋଷଣ କରିଥିଲେ ।

ମୁଖ୍ୟବକ୍ତା ଭାବରେ ଅଧ୍ୟାପକ କେଶବ ଚନ୍ଦ୍ର ରାଉତରାୟ ଠାକୁର ରାମକୃଷ୍ଣ ପରମହଂସ ବାଲ୍ୟଜୀବନରୁ ଆରମ୍ଭ କରି ସାଧନାମୟ ଜୀବନର ଅବତାରଣା କରିଥିଲେ। ଆଶ୍ରମର ପ୍ରତିଷ୍ଠାତା ସମ୍ପାଦକ ସ୍ୱାମୀ ଭାଗବତାନନ୍ଦଜୀ ମହାରାଜ ରାସ ପୂର୍ଣ୍ଣମୀର ମହତ୍ତ୍ୱ ପ୍ରକାଶ କରିବା ସହିତ ମାନବ ଜୀବନର ଏକମାତ୍ର ଉଦ୍ଦେଶ୍ୟ ଈଶ୍ୱର ଲାଭ ବୋଲି ରାମକୃଷ୍ଣଙ୍କର ଉକ୍ତିକୁ ସରଳ ଭାବରେ ବୁଝାଇଥିଲେ। ସମ୍ମାନିତ ଅତିଥି ଭାବରେ ବ୍ରଜକିଶୋର ମହାପାତ୍ର ଯୋଗଦେଇ ଶ୍ରୀ ଶ୍ରୀ ଠାକୁର,

ମା’ସାରଦା ଓ ସ୍ୱାମୀ ବିବେକାନନ୍ଦଙ୍କ ଧରାବତରଣର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସଭା ଆରମ୍ଭରେ ବ୍ରହ୍ମଚାରୀ ରମେଶ ବେଦମନ୍ତ୍ର ପାଠ କରିଥିଲେ। ଶ୍ରୀରାମକୃଷ୍ଣ ଆଶ୍ରମ, ଢଂସର ତରଫରୁ ଭାଗିରଥି ଜେନା ଓ ଭକ୍ତମାନେ ଭଜନ ପରିବେଷଣ କରିଥିଲେ। ଆଶ୍ରମର ସହସମ୍ପାଦକ ସର୍ବେଶ୍ୱର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଇତ୍ୟବସରରେ ଆଶ୍ରମର ତ୍ରୟବାର୍ଷିକ ରିପୋର୍ଟ ପୁସ୍ତକ ଉନ୍ମୋଚନ ସହ ଯୁଗଳ କିଶୋର ରାଉତରାୟଙ୍କ ରଚିତ “ଶ୍ରୀରାମକୃଷ୍ଣ ସେବାଶ୍ରମ” କବିତା ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ଏଥି ସହିତ ୮ଜଣ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ଛାତ୍ରବୃତ୍ତି ପ୍ରଦାନ ସହିତ ୧୦୦ ଜଣ ଅଭାବୀ ମା’ ମାନଙ୍କୁ ସ୍ୱାମୀ ମହେଶାତ୍ମାନନ୍ଦ ମହାରାଜଙ୍କ କରକମଳରେ ଶାଢ଼ୀ ବଣ୍ଟନ କରାଯାଇଥିଲା। ଶେଷରେ ବରିଷ୍ଠ ସଦସ୍ୟ ପଦ୍ମଚରଣ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦକ ଗୋଲକ ଚନ୍ଦ୍ର ସାହୁ, ମନୋଜ କୁମାର ଗୁମାନସିଂହ, ଶ୍ୟାମାକାନ୍ତ ପଟ୍ଟନାୟକ, ଦିଲ୍ଲୀପ କୁମାର ପଣ୍ଡା, ସୁବଳ ଛୁଆଳ ସିଂହ, ଅଶୋକ କୁମାର ଦାସ, ସୁରେଶ କୁମାର ପଣ୍ଡା, ଅଶୋକ କୁମାର ସାହୁ, ବାବାଜୀ ବେହେରା, ନାରାୟଣ ସାହୁ, ରବୀନ୍ଦ୍ର କୁମାର ଜେନା, ସନ୍ତୋଷ କୁମାର ମହାପାତ୍ର, ନିର୍ମଳ ପଟ୍ଟନାୟକ, ଶୁଭ୍ରାଂଶୁ ଶେଖର ସାହୁ ପ୍ରମୁଖ ସଦସ୍ୟମାନେ ଉତ୍ସବକୁ ପରିଚାଳନା କରିଥିଲେ।














