ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କାର୍ତ୍ତିକ ମାସ ୩୦ ଦିନ ତିନିଦିନ ପରି ଶେଷ ହୋଇଗଲା । ସରକାରଙ୍କ ତରଫରୁ ପାଞ୍ଚଟି ହବିଷ୍ଯାଳି ଶିବିରରେ ଭକ୍ତିଭାବ ସହ ଏକ ବିଷାଦ ପରିବେଶ ସୃଷ୍ଟି ହୋଇଥିଲା । ଗୋଟିଏ ପରିବାର ପରି ଆତ୍ମୀୟତା ଭାବ ସୃଷ୍ଟି ହୋଇଥିଲା । ସକାଳୁ ସ୍ନାନ, ସୂର୍ଯ୍ଯ ନମସ୍କାର, ରାଧା ଦାମୋଦରଙ୍କ ପୂଜା, ଧୂପଦୀପ ଅର୍ଘ୍ୟଦାନ ସମୟରେ ଗୋଟିଏ ଭାବରେ ପ୍ରଭୁଙ୍କ କଥା ଚିନ୍ତା କରି ସମୟ ବିତି ଯାଉଥିଲା । ଘରଦ୍ବାର ନାତି ନାତୁଣୀ ଆତ୍ମୀୟସ୍ବଜନ ସବୁ ଭୁଲି ଯାଇଥିଲେ ।

କାଳିଆ ର କଳାମୁଖ ଦର୍ଶନ ଓ ମହାପ୍ରସାଦ ସେବନରେ ଦିନ ବିତି ଯାଉଥିଲା । ଶିଶୁମାନେ ଯେପରି ଖେଳରେ ମଜିଯାଇ ସମୟ ଜାଣି ପାରନ୍ତି ନାହିଁ । ସେହିପରି ହବିଷ୍ଯାଳୀ ମାନେ ରାଇଦାମୋଦର ପ୍ରେମରେ ମଜି ଯାଇଥିଲେ । ବୟସ ଅଧିକ ହୋଇଥିଲେ ମଧ୍ଯ ଶିବିରରେ ବାଳକୃଷ୍ଣଙ୍କ ପରି ଦହି ବିକ୍ରି କୋଳି ବିକ୍ରି ଅଭିନୟ କରି ସମୟ କଟି ଯାଉଥିଲା । କାର୍ତ୍ତିକ ପୂର୍ଣ୍ଣମୀ ବୁଧବାର ସକାଳୁ ସବୁ କାମ ସରିବା ପରେ ଘରବାହୁଡା ସମୟରେ ଆଖିରୁ ଲୁହ ଝରୁଥିଲା ।















