No Result
View All Result
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) ହିଞ୍ଜିଳିକାଟୁ :- ସରକାର ବଦଳିଛି। ପ୍ରଶାସନିକ ଅଧିକାରୀ ବି ବଦଳି ହୋଇ ଅନ୍ୟ ସ୍ଥାନରେ ନିୟୋଜିତ ହୋଇଛନ୍ତି। ବର୍ଷ ପରେ ବର୍ଷ ବିତିଗଲାଣି। ବାପା କର୍କଟ ରୋଗରେ ପୀଡିତ। ପେଟ ପାଟଣା ପାଇଁ ମା ଗାଁ ରେ ବୁଲି ବୁଲି ପାଇଟି ଖୋଜିବାରେ ବ୍ୟସ୍ତ। ଯାହା କିଛି ରୋଜଗାର ହୁଏ ପରିବାର ପ୍ରତିପୋଷଣ କରିବା କଷ୍ଟ। ଏଭଳି ସ୍ଥିତିରେ ଜନ୍ମରୁ ଭିନ୍ନକ୍ଷମ ପାଲଟିଥିବା ଝିଅର ଦୁଃଖ ବଳି ଯାଇଛି। ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ଉଭୟ ସ୍ଵାମୀ ସ୍ତ୍ରୀ। ଭିନ୍ନକ୍ଷମ ଝିଅଟିକୁ ଧରି ଏ ଦୁଆର ସେ ଦୁଆର ବୁଲି ବୁଲି ଦିନ ପରେ ଦିନ ବିତିଗଲାଣି। କିନ୍ତୁ ଏହା ସାତ ସପନ ପାଲଟିଛି।
ହିଞ୍ଜିଳିକାଟୁ ବ୍ଳକ ପୁଟିଆ ପଦର ପଞ୍ଚାୟତ ବାଳକୃଷ୍ଣ ପୁର ଗ୍ରାମରୁ ଏଭଳି ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ସଂପୃକ୍ତ ଗ୍ରାମର ରୋଡ ସାହି ବାସିନ୍ଦା ସୋମନାଥ ରାଉତ ଓ ଝୁଲି ରାଉତଙ୍କ ବଡ ଝିଅ ଲକ୍ଷ୍ମୀ ରାଉତ। ବୟସ ପାଖାପାଖି ୧୦ ବର୍ଷ । ଜନ୍ମରୁ ମୁଣ୍ଡର ଆକୃତି ବଢ଼ି ଚାଲିଛି। ଦେହର ଗଢ଼ଣ ଠାରୁ ମୁଣ୍ଡର ଆକାର ବଡ। ଚାଲିବା ବୁଲିବା ପାଇଁ ସମ୍ପୂର୍ଣ୍ଣ ଅକ୍ଷମ। ଏଇ କିଛି ଦିନ ତଳେ ଆଧାର କାର୍ଡ ଟିଏ ପାଇଁ ବହୁ କଷ୍ଟ ସ୍ବୀକାର କରିଛନ୍ତି ବାପା ଓ ମା। ସରକାରଙ୍କ ନୀତି ଓ ନିୟମ ଅନୁଯାୟୀ କାଗଜ ପତ୍ର ଠିକ ନ ଥିଲେ କୌଣସି ପ୍ରକାର ସହାୟତା ମିଳିବା ଭାରୀ କଷ୍ଟକର ।
ଏଭଳି ଦୁର୍ଗତି ସମୟରେ ଭିନ୍ନକ୍ଷମ ଲକ୍ଷ୍ମୀ ପାଇଁ ଡ଼ାକ୍ତରୀ ପ୍ରମାଣପତ୍ର, ରାସନ କାର୍ଡ ଓ ମାସିକ ଭତ୍ତା ଖଣ୍ଡିଏ ପାଇବା ପାଇଁ ଦୂରୁହ ବ୍ୟାପାର ହୋଇଛି। ଫଳରେ ସରକାରୀ ସହାୟତା ପାଇବା ପାଇଁ ସଂଘର୍ଷ କରୁଛି ଜନ୍ମରୁ ଭିନ୍ନକ୍ଷମ ଲକ୍ଷ୍ମୀ। ଏଭଳି କରୁଣ ଚିତ୍ର ପ୍ରତି ସରକାରୀ ବାବୁ ମାନଙ୍କ ଦୃଷ୍ଟି ଏ ପର୍ଯ୍ୟନ୍ତ ପଡ଼ି ନାହିଁ। ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପରେ ଯୋଜନା କରୁଛନ୍ତି ସତ।
କିନ୍ତୁ ନିୟମ କାନୁନ ଆଳ ଦେଖାଇ ସରକାରୀ ବାବୁ ମାନେ ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବା ଦେଖା ଯାଇଛି। ହିଞ୍ଜିଳିକାଟୁ ବ୍ଳକ ପ୍ରଶାସନ ଚାହିଁଲେ ଭିନ୍ନକ୍ଷମ ଲକ୍ଷ୍ମୀକୁ ସମସ୍ତ ସରକାରୀ ସୁବିଧା ଓ ସହାୟତା ମିଳି ପାରନ୍ତା ବୋଲି ପୁଟିଆ ପଦର ସରପଞ୍ଚ ସୁଦର୍ଶନ ରାଉତ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣା ଉପରେ ଉଚ୍ଚ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଇଛି।

No Result
View All Result