ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସର୍ବଦର୍ଶନ ବିଭାଗଦ୍ବାରା ଆୟୋଜିତ ୧୫/୧୦/୨୦୨୫ ରୁ ୧୬/୧୦/୨୦୨୫ ପର୍ଯ୍ୟନ୍ତ ହେବାକୁ ଥିବା “ଭାରତୀୟ ଜ୍ଞାନପରମ୍ପରାରେ ଯୋଗବିଜ୍ଞାନ” ଶୀର୍ଷକ ଦୁଇଦିନିଆ ରାଷ୍ଟ୍ରୀୟ ସଂଗୋଷ୍ଠୀ ବୁଧବାର ଦିନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀର ମାନ୍ଯବର ସାଂସଦ ଡ. ସଂବିତ୍ କୁମାର ପାତ୍ର ଯୋଗଦାନ କରି ଯୋଗବିଜ୍ଞାନ ସମ୍ବନ୍ଧୀୟ ବହୁ ବୈଜ୍ଞାନିକ ତତ୍ତ୍ଵ ବ୍ଯାଖ୍ଯାନ କରିଥିଲେ ।

ଯୋଗ ବିଜ୍ଞାନସମ୍ମତ ଓ ଏକ ବିଶାଳ ଆଧ୍ଯାତ୍ମିକ ଶାସ୍ତ୍ରବୋଲି ସେ ମତବ୍ଯକ୍ତ କରିଥିଲେ । ମୁଖ୍ୟବକ୍ତା ଭାବରେ କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟର ଦର୍ଶନବିଭାଗର ପ୍ରାକ୍ତନ ଅଧ୍ୟକ୍ଷ ପ୍ରୋ. ସୁରେନ୍ଦ୍ରମୋହନମିଶ୍ର ନିଜର ଓଜସ୍ଵିନୀ ବକ୍ତବ୍ଯ ପ୍ରଦାନ କରି ଯୋଗଶାସ୍ତ୍ରକୁ ସରଳ ଭାବରେ ବ୍ଯାଖ୍ଯା କରିଥିଲେ । ସମ୍ମାନିତବକ୍ତା ଭାବରେ ବିଶ୍ବଭାରତୀ ଶାନ୍ତିନିକେତନର ସଂସ୍କୃତ ପାଲି ଓ ପ୍ରାକୃତବିଭାଗର ଆଚାର୍ଯ୍ୟ ପ୍ରୋ. ନରୋତ୍ତମସେନାପତି ମଧ୍ଯ ତଦନୁରୂପ ଯୋଗର ଉପାଦେୟତା ବର୍ଣ୍ଣନା କରିଥିଲେ ।
ସମ୍ମାନିତ ଅତିଥିଭାବରେ ବିଶ୍ବଭାରତୀ ଶାନ୍ତିନିକେତନର ଶିକ୍ଷାଶାସ୍ତ୍ରବିଭାଗ ମୁଖ୍ୟ ପ୍ରୋ. ସନତ୍ କୁମାର ରଥ ଯୋଗର ପ୍ରାସଂଗିକତା ବିଷୟରେ ବକ୍ତବ୍ଯ ପ୍ରଦାନ କରିଥିଲେ । ସାରସ୍ବତ ଅତିଥି ଭାବରେ ଉଚ୍ଚଶିକ୍ଷାବିଭାଗର ପୂର୍ବତନ ସଚିବ ଶ୍ରୀମାନ୍ ରମାକାନ୍ତ ନାୟକ ଯୋଗଶାସ୍ତ୍ର ବର୍ତ୍ତମାନ କିଭଳି ଭାବରେ ନିଜର ପ୍ରଭାବ ବିସ୍ତାର କରିସାରିଛି ସେ ବିଷୟରେ ସ୍ଵକୀୟ ବକ୍ତବ୍ଯ ରଖିଥିଲେ । ସ୍ନାତକୋତ୍ତରପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ସାହିତ୍ୟବିଭାଗର ଅଧ୍ୟକ୍ଷ ପ୍ରୋ. ବସନ୍ତ କୁମାର ମିଶ୍ର ନିଜର ସାଭାପତ୍ଯ ଭାଷଣ ପ୍ରଦାନ କରି ସମସ୍ତକୁ ଯୋଗପଥରେ ଗମନ କରିବାକୁ ଉପଦେଶ ପ୍ରଦାନ କରିଥିଲେ ।















