No Result
View All Result
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର ,ହିଞ୍ଜିଳିକାଟୁ :- ସରକାର ବଦଳିଛି । ବଦଳିଛି ଶାସନ ବ୍ୟବସ୍ଥା । କିନ୍ତୁ ଏ ପର୍ଯ୍ୟନ୍ତ ବଦଳିନି ନିପଟ ଗାଁ ମଫସଲ ର ନୀରିହ ଲୋକଙ୍କ ଦୁଃଖ ଆଉ ଦୁର୍ଦ୍ଦଶା । ସବୁଦିନେ ଏଭଳି ସମସ୍ୟା ଦେଇ ଗତି କରିବାକୁ ପଡୁଛି ବୋଲି କ୍ଷୋଭ ଭରା କଣ୍ଠରେ ପ୍ରକାଶ କରିଛନ୍ତି ଗ୍ରାମବାସୀ । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବି ବାରମ୍ବାର ଗୁହାରୀ କରୁଛୁ । କିନ୍ତୁ ପଦକ୍ଷେପ ଶୁନ। ଏମିତି ଗୁହାରୀ କରି କରି ଦିନ ବିତି ଗଲାଣି ପଛେ କିଛି ବି ପ୍ରତିକାର ହେବାର ନାଁ ଗନ୍ଧ ନାହିଁ।
ଭାଗ୍ୟକୁ ଆଦରି ନିରୁପାୟ ହୋଇ ଯାତନା ଓ କଷ୍ଟ ସହ୍ୟ କରିବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି । ଏହା ହେଉଛି ହିଞ୍ଜିଳିକାଟୁ ବ୍ଳକ ଚାନ୍ଦୁଲି ପଞ୍ଚାୟତର ବହୁଳ ଜନସଂଖ୍ୟା ବିଶିଷ୍ଟ ଖଣ୍ଡରା ଗାଁ ର ବଡ ଦୁଃଖଦ ପାଲଟିଛି। ବ୍ଲକ ପ୍ରଶାସନ ପକ୍ଷରୁ ଆଦର୍ଶ ବନ୍ଧ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଖଳା ବନ୍ଧକୁ କରାଯାଇଛି ଆଦର୍ଶ ବନ୍ଧ। ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ସୌନ୍ଦର୍ଯ୍ୟ କରଣ କରାଯାଇଛି ।
ବନ୍ଧ ଚତୁଃପାର୍ଶ୍ଵରେ ସୋଲାର ଲାଇଟ୍ ସ୍ଥାପନ କରି ଆଲୋକିକରଣ କାର୍ଯ୍ୟ କରାଯାଇଛି। ବନ୍ଧର ଉତ୍ତର ଦିଗରେ ଥିବା ପୂର୍ଣାନନ୍ଦ ଗୋସ୍ଵାମୀ ଆଶ୍ରମକୁ ଗେରୁଆ ରଙ୍ଗରେ ସୌନ୍ଦର୍ଯ୍ୟ କରଣ କରାଯାଇଛି। ଦକ୍ଷିଣ ପଟରେ ସୁସଜ୍ଜିତ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଛି। ପୂଜା ପାର୍ବଣ ଓ ଜରୁରୀ ଆବଶ୍ୟକତା ପୂରଣ ନିମନ୍ତେ ଆଦର୍ଶ ବନ୍ଧ ଉପରେ ଗାଁ ଲୋକେ ଅଧିକ ନିର୍ଭରଶୀଳ।
କିନ୍ତୁ ଗତ ୨ବର୍ଷ ଧରି ପଞ୍ଚାୟତ ପକ୍ଷରୁ ଏହାର ରକ୍ଷଣା ବେକ୍ଷଣ ହୋଇ ନ ଥିବା ଜଣାପଡ଼ିଛି। ପଞ୍ଚାୟତର ନିଜସ୍ଵ ଆୟ ବୃଦ୍ଧି ଲକ୍ଷ୍ୟରେ ମାଛ ଚାଷ ପାଇଁ ଆଦର୍ଶ ବନ୍ଧ ନିଲାମ ସୁତ୍ରରେ ସ୍ଵଂୟ ସହାୟିକା ଗୋଷ୍ଠୀ ଦ୍ଵାରା ପରିଚାଳିତ ହେଉଥିଲା। କିନ୍ତୁ ଗତ ୨ବର୍ଷ ଧରି ନିଲାମ ହୋଇ ନ ଥିବା ବେଳେ ଆଦର୍ଶ ବନ୍ଧ ଅବ୍ୟବହୃତ ଓ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଏହାର ରକ୍ଷଣା ବେକ୍ଷଣ ଦାୟିତ୍ଵ ଅଭାବରୁ ଆଦର୍ଶ ବନ୍ଧ ବହୁ ଦିନ ଧରି ଦଳ, ପଙ୍କ ଓ ଆବର୍ଜ୍ଜନାରେ ପରିପୂର୍ଣ୍ଣ ହୋଇଛି।
ସବୁଠାରୁ ଉଦବେଗର ବିଷୟ ହେଲା ଯେ,ବନ୍ଧ ଭିତରେ ଥିବା ଦଳ ପଚି ସଢ଼ି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଅଧିକ ଚିନ୍ତାର କାରଣ ହେଲା ବନ୍ଧ ସାରା ପାଣି ପୋକ ସାଲୁ ବାଲୁରେ ପରିଣତ ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି। ବନ୍ଧର ପାଣି ଏତେ ମାତ୍ରାରେ ପ୍ରଦୁଷିତ ହୋଇଛି ଯେ ,ତାହା ବ୍ୟବହାର ଅନୁପଯୁକ୍ତ ହୋଇ ସ୍ବାସ୍ଥ୍ୟ ପ୍ରତି ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଛି। ଯେ କେହି ଗଧୋଇ ସାରିଲା ପରେ କୁଣ୍ଡେଇ ରାମ୍ପି ହୋଇ ଜୀବନ ଚାଲିଗଲା ପରି ପରିସ୍ଥିତି ସୃଷ୍ଟି ହୋଇ ଦେହ ସାରା ପ୍ରତିକ୍ରିୟା ସୃଷ୍ଟି ହେଉଛି ।
ଗ୍ରାମବାସୀ ଏଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ଏଯାବତ୍ କୌଣସି ଦୃଷ୍ଟି ଦେଇ ନାହାନ୍ତି। ଶେଷରେ ଗ୍ରାମବାସୀ ଆଦର୍ଶ ବନ୍ଧର ଦୂରାବସ୍ଥା ନେଇ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରି ଦୃଷ୍ଟି ଆକର୍ଷଣ କରିଛନ୍ତି ।

No Result
View All Result