ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ଶନିବାର) ହିଞ୍ଜିଳିକାଟୁ :- ଭାରତବର୍ଷ ଯଥାର୍ଥରେ ଏକ ମହିମୈଘିକ ଭୂଖଣ୍ଡ । ଦିନେ ଏହାର ପବିତ୍ର ଭୂମିଥିଲା ଚୈତନ୍ୟ ଦେବ-ଦେବୀଙ୍କର ଲୀଳାକ୍ଷେତ୍ର । କିନ୍ତୁ ଦୈବ୍ୟ ଯୁଗର ଅବସାନ ପରେ ଏ ଦେଶରେ ଜନ୍ମ ନେଇଥିଲା ଭକ୍ତି ଯୁଗ । ଭକ୍ତି ଯୁଗର ଆଦି କାଳରେ ନିରାକାର ଜ୍ୟୋତିସ୍ୱରୁପ ପରମତ୍ମା ଶିବଙ୍କ ଉପାସନା ହିଁ ଥିଲା ମୁଖ୍ୟ । ସମୟକ୍ରମେ ଏଠାରେ ଶକ୍ତି ଉପାସନାର ପ୍ରବଳତା ମଧ୍ୟ ପରିଲିକ୍ଷିତ ହୋଇଥିଲା । ଏହି ସମୟରେ ଭାରତବର୍ଷରେ ବହୁ ଶକ୍ତିପୀଠ ମୁଣ୍ଡଟେକି ଉଠିଥିଲା । ସେମାନଙ୍କ ମଧ୍ୟରୁ ଆଜି କେତେକ କାଳର କରାଳ ସ୍ରୋତରେ ନିଶ୍ଚିହ୍ନ ହୋଇଯାଇଛନ୍ତି ତ, କେତେକ ଭଗ୍ନ କଳେବର ନେଇ ତୃପ୍ତ ଅତୀତର ମୁକସାକ୍ଷୀ ରୂପେ ଦଣ୍ଡାୟମାନ । ଏପରିକି ଆଉ କେତକ କୌଣସି ଧର୍ମପ୍ରାଣ ବ୍ୟକ୍ତିର ସହଯୋଗରେ ଧ୍ୱଂସସ୍ତୁପ ତଳୁ ପୁନରୂଦ୍ଧାର ହୋଇ ଅତୀତର ଗୌରବମୟ ଇତିହାସର ପୁନରାବୃତି କରୁଛି । ଏମିତି ଏକ ଧ୍ୱଂସସ୍ତୁପରୁ ଆତ୍ମପ୍ରକାଶ କରିଥିବା ସ୍ୱକୀୟ ମହିମାରେ ଦିପ୍ତିମନ୍ତ ଶକ୍ତିପୀଠ ହିଞ୍ଜିଳିର ଆରାଧ୍ୟ ମା କନକଦୁର୍ଗା ମନ୍ଦିର ।
ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରୁ ୨୨ କିଲୋମିଟର ଉତରରେ ହିଞ୍ଜିଳିକାଟୁ ସହର ଅବସ୍ଥିତ । ଏହାର ବାମ ପ୍ୱାଶ୍ୱର୍ରେ ମେଣ୍ଢାଖାଇ ଓ ଦକ୍ଷିଣ ପ୍ୱାଶ୍ୱର୍ରେ ବାରାହୀ ପାହାଡ଼ ଦୁଇ ଜାଗ୍ରତ ପ୍ରହରି ପରି ଦଣ୍ଡାୟମାନ । ଏଠାକାର ବର୍ଷୀୟାନ ଶିକ୍ଷକ ଶ୍ରୀଯୁକ୍ତ କାଶିନାଥ ପାଠୀ ହିଞ୍ଜିଳିକାଟୁ ସହରର ପ୍ରାଚିନ ଐତିହ୍ୟ ତଥା ଦେବୀ କନକଦୁର୍ଗାଙ୍କ ଶକ୍ତି ଓ ମହିମାର ସ୍ମୃତି ରୋମନ୍ଥନ କରି କୁହନ୍ତି ସେହି ଦିନଟି ଥିଲା ୧୯୬୩ ମସିହାର ଏକ ଶୁଭ ସକାଳ । ହିଞ୍ଜିଳିର ପ୍ରତିଟି ନଗରବାସୀଙ୍କ ମୁହଁରେ ଅପୂର୍ବ ଉଲ୍ଲାସର ରେଖା । ହୃଦୟରେ ଖୁସିର ପ୍ରକମ୍ପନ । ଆଖିରେ ଆନନ୍ଦର ଅନିର୍ବାର ଦୀପଶିଖା । କାରଣ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ସେ ଥିଲା ଉଦଘାଟନ ଦିବସ । ଏହି ଶୁଭ ଅବସରରେ ଉଦଘାଟନ ଉତ୍ସବରେ ଯୋଗଦେବାକୁ ଆସିଥାନ୍ତି କଳିଙ୍ଗର ବରପୁତ୍ର ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ସାଥିରେ ଓଡ଼ିଶାର ବରେଣ୍ୟ ସାରସ୍ୱତ ସାଧକ ବାଗ୍ମୀ ଋଷିପ୍ରତିମ ଗୌରୀଶଙ୍କର ବ୍ରହ୍ମା ।
ଶ୍ରୀ ବ୍ରହ୍ମା ନିଜ ବକ୍ତବ୍ୟରେ ମାଦଳା ପାଞ୍ଜିକୁ ଆଧାର କରି ହିଞ୍ଜିଳିକାଟୁ ନଗରର ପ୍ରାଚୀନତା ଓ ଏହାର ନାମକରଣ ମୂଳରେ ଥିବା ଐତିହାସିକ ସତ୍ୟତାକୁ ପ୍ରତିପାଦନ କରି କହିଥିଲେ ପ୍ରାଚୀନ ଗଞ୍ଜାମ ଜିଲ୍ଲାରେ ହିଙ୍ଗୁଳାକଟକ ନାମରେ ଏକ ନଗରୀ ଅବସ୍ଥିତ ଥିଲା । ଏହି ନଗର ପାଶ୍ୱର୍ରେ ଶ୍ୟାମଳ ତରୁ ଲତା ପୂଣ୍ଣ ପାହାଡ଼ର ଶୋଭାଥିଲା ଅତୀବ ଚିତାକର୍ଷକ । ଏହି ପାହାଡ଼ର ଶିର୍ଷ ଦେଶରେ ପ୍ରାକୁତିକ ଭାବରେ ଷୋହଳଟି ପଥରର ଗୁମ୍ଫା ବା ଗମ୍ଭିରା ରହିଥିଲା । ଏହାର ଗୋଟିଏ ଗମ୍ଭିରାରେ ଦେବୀ ବରାହୀ ଷୋଡ଼ଶୀ ରୂପରେ ଆବିର୍ଭୂତା ଥିଲେ । ତେଣୁ ବହୁ ମୁନି, ଋଷି, ସାଧକ ନିଜ ସାଧନାର ଊପଯୁକ୍ତ କ୍ଷେତ୍ର ରୂପେ ଏହି ପାହାଡ଼ଟିକୁ ବାଛି ନେଇଥିଲେ । ଦେବୀ ବାରାହୀଙ୍କ ଅବସ୍ଥାନ ଯୋଗୁଁ ସେମାନେ ଶ୍ରଦ୍ଧା ଓ ଭକ୍ତିରେ ପାହାଡ଼ଟିକୁ ବାରାହୀ ପାହାଡ଼ ନାମରେ ଡ଼ାକିବାକୁ ଲାଗିଲେ । ମାତା ବାରାହୀଙ୍କ ଅସୀମ କରୁଣାରୁ ହିଙ୍ଗୁଳାକଟକ ମହାମାରୀ, ରୋଗବ୍ୟାଧି,ପ୍ରାକୃତିକ ବିପର୍ଯ୍ୟୟ ତଥା ଭୂତପ୍ରେତାଦିଙ୍କ ପ୍ରଭାବରୁ ମୁକ୍ତ ଥିଲା । ତେଣୁ ନଗରବାସୀ ଦେବୀ ବରାହୀଙ୍କ ହିଙ୍ଗୁଳାକଟକର ରକ୍ଷାକର୍ତା ଓ ଆରାଧ୍ୟ ହୋଇଥିବା ଯୋଗୁଁ ତାଙ୍କୁ ହିଙ୍ଗୁଳାଇ ବୋଲି ମଧ୍ୟ କହୁଥିଲେ ।
କ଼ାଳକ୍ରମେ ସେହି ହିଙ୍ଗୁଳାକଟକ ଆଧୁନିକ ହିଞ୍ଜିଳିକାଟୁ ନାମରେ ନିଜ ପରିଚୟ ସାବ୍ୟସ୍ତ କରୁଥିବା ଅନୁମାନ କରାଯାଏ । ପୁନଶ୍ଚ ପ୍ରାଚୀନ ବରାହୀ ପାହାଡ଼, ବର୍ତମାନ ଅପଭ୍ରଂଶ ହୋଇ ବାଉରି ପାହାଡ଼ରେ ରୁପାନ୍ତରିତ ହେବା ମିଥ୍ୟା ହୋଇନପାରେ । ଜଗନ୍ମାତା ବରାହୀଙ୍କ ଅସ୍ୟମ ଶକ୍ତି ଓ ଶତୃସଂହାରିଣୀ ରୂପର ବଣ୍ଣନା କରିବାକୁ ଯାଇ ଡ଼ାକ୍ତର ପ୍ରଭାକର ପାଢି, ହାଡ଼ୁହର୍ଷଦ ପାଢି ଆଦି ବୟୋବୃଦ୍ଧ ବ୍ୟକ୍ତି ମାନେ କୁହନ୍ତି ମହାରାଜା ମୁକୁନ୍ଦଦେବଙ୍କ ରାଜତ୍ୱ କାଳରେ କଳାପାହାଡ଼ ଯେତେବେଳେ ହିନ୍ଦୁ ଦେବ-ଦେବୀ ମନ୍ଦିର ଗୁଡ଼ିକୁ ଧ୍ୱସଂ କରିବାର ଉଗ୍ର ସଂକଳ୍ପ ନେଇ ଅଗ୍ରସର ହେଉଥିଲା, ସେତେବେଳେ ତାର କୃର ଦୃଷ୍ଟି ପକ୍ଷରୁ ଦେବୀ ବରାହୀ ମଧ୍ୟ ବାଦ୍ ପଡ଼ିନଥିଲେ । କିନ୍ତୁ କଳାପାହାଡ଼ ଯେତେବେଳେ ଦେବିଙ୍କର ପାଷାଣ ବିଗ୍ରହଟିକୁ ଭାଙ୍ଗି ଦେବାକୁ ଉଦ୍ୟତ ଠିକ ସେତେବେଳେ ଦେବୀ ନିଜେ ଚୈତନ୍ୟ ରୂପରେ ଖଡଗହସ୍ତା ହୋଇ କଳାପାହାଡ଼ର ଦର୍ପକୁ ଚୂର୍ଣ୍ଣ କରିଦେଇଥିଲେ । ତେଣୁ ପରାଜୟର ଗ୍ଳାନିରେ ଜର୍ଜରିତ କଳାପାହାଡ଼, ଦେବୀଙ୍କ ନିକଟରେ ନତଯାନୁ ପୂର୍ବକ ପ୍ରାୟ ୧୫ ଏକର ଜମି ଦେବୀଙ୍କ ଭୋଗନୀତି ନିମନ୍ତେ ଦାନ କରିଥିଲେ । ଯାହାକି ବର୍ତମାନ ମଧ୍ୟ ରାଜସ୍ୱ ବିଭାଗର ନଥିରେ କଳାପାହାଡ଼ ଇନାମ ଦେବୀଚିରା ନାମରେ ଲିପିବଦ୍ଧ । ତେଣୁ ହିଞ୍ଜିଳି ଶକ୍ତିପୀଠ ବରାହୀଙ୍କର ଐତିହାସିକ ସତ୍ୟତକୁ ଅସ୍ୱୀକାର କରାଯାଇନପାରେ । ବର୍ତମାନ ହିଞ୍ଜିଳି ଗ୍ରାମ ମଧ୍ୟରେ ଥିବା କନକଦୁର୍ଗା ମନ୍ଦିରଟି ବହୁ ପୁର୍ବରେ ସପ୍ନେଶ୍ୱର ଶିବ ମନ୍ଦିରର ବାମ ପାଖରେ କୌଣସି ଏକ ଧ୍ୱସଂ ସ୍ଥୂପର କେତୋଟି ଶିଳାଖଣ୍ଡ ରୂପେ ପଡ଼ିରହିଥିଲା ।
କିନ୍ତୁ ପରବର୍ତି ସମୟରେ ଚୌଧୁରୀ ବଂଶର ଧର୍ମନିଷ୍ଠ ଦାୟାଦ ବୀରବର ଗୌରାଙ୍ଗ ଚରଣ ଚୌଧୁରୀ ମହାପାତ୍ରଙ୍କ ଦ୍ୱାରା ନିର୍ମାଣ ହୋଇଥିବା କଥା ଜଣାଯାଏ । ବର୍ତମାନ ଏହି ଚୌଧୁରୀ ବଂଶର ୮୫ ବର୍ଷିୟ ବୃଦ୍ଧ ପଦ୍ମ ଚରଣ ଚୌଧୁରୀ ଏହା ତାଙ୍କରି ପୂର୍ବବର୍ତି ୬ଷ୍ଠ ପିତୃପୁରୁଷଙ୍କ ଅଥାର୍ତ୍ ୩୦୦/୩୫୦ ବର୍ଷ ପୁର୍ବ କିର୍ତି ବୋଲି କୁହନ୍ତି । କନକଦୁର୍ଗା ମନ୍ଦିରର ପୁନରୁଦ୍ଧାର ମୁଳରେ ୨ଟି କାରଣ ଥିବା ଶୁଣିବାକୁ ମିଳେ । କେତେକ କୁହନ୍ତି ମୂଳ ବାରାହୀ ପୀଠ ଗ୍ରାମ ଠାରୁ କିଛି ଦୂର ଓ ନିର୍ଜନ ପାହାଡ଼ ଉପରେ ହୋଇଥିବା ଯୋଗୁଁ ଏହା ତନ୍ତ୍ର ସାଧନାର ଅନୁକୁଳ ପରିବେଷ ଥିଲା । ଫଳରେ କିଛି ଖଳ ପକୃତିର ସାଧକ ରିଦ୍ଧିସିଦ୍ଧି ନାମରେ କିଛି ନିରିହ ପଶୁ, ପକ୍ଷୀକୁ ବଦ୍ଧ କରିବା ସଙ୍ଗେସଙ୍ଗେ ଶିଶୁ ବଦ୍ଧ କରିବାକୁ ମଧ୍ୟ ପଛଘୁଞ୍ଚା ଦେଇନଥିଲେ । ଏହା ଦ୍ୱାରା ପବିତ୍ର ପୀଠଟି ଦିନକୁ ଦିନ ନାନା ନାରକୀୟ କାର୍ଯ୍ୟକଳାପରେ ରକ୍ତରଞ୍ଜିତ ହେବାକୁ ଲାଗିଲା ।
ତେଣୁ ଉକ୍ତ ସାଧକମାନଙ୍କ ଏତାଦୃଶ କୁକର୍ମରୁ ମୁକ୍ତ ରଖିବାକୁ ବିଚାର କରି ଦେବୀ ବରାହୀଙ୍କୁ ପାହାଡ଼ ଶୀର୍ଷସ୍ଥ ମୂଳ ଆସ୍ଥାନରୁ ଉଠାଇ ଆଣି ଗ୍ରାମ ମଝିରେ ମନ୍ଦିର ନିର୍ମାଣ କରି ସିଂହାସନରୂଢ କରାଗଲା । ଜ୍ୟୋତିଷ ମେଳକ ଅନୁଯାୟୀ ହିଞ୍ଜିଳି ଗ୍ରାମପାଇଁ ବରାହୀ ଅପେକ୍ଷା କନକଦୁର୍ଗା ନାମଟି ଶୁଭପ୍ରଦ ହେବାରୁ , ସେହିଦିନ ଠାରୁ ବରାହୀ ନାମଟି ଲୋପପାଇ କନକଦୁର୍ଗା ନାମଟି ପ୍ରଚଳିତ ହୋଇଆସୁଛି । ଅନ୍ୟପକ୍ଷରେ ଶୁଣାଯାଏ ଦେବୀ ବରାହୀ ନିଶାର୍ଦ୍ଧରେ ଲୋହିତବସନ ପରିହିତା, ଦିବ୍ୟ ଅଳଙ୍କାରରେ ବିଭୂଷିତ ଏକ ଷେଡ଼ଶୀ ତରୁଣୀ ରୂପରେ ପାହାଡ଼ରୁ ଓହ୍ଲାଇଆସନ୍ତି । ମନ୍ଦିର ଓ ପାହାଡ଼ ମଝିରେ ଥିବା ପଦ୍ମପୁଷ୍କରିଣୀ ଜଳ ଉପରେ ନୂପୁର ନିକୁଣରେ ଚାଲିଚାଲି (ବର୍ତମାନ ଦେଉଳ ବନ୍ଧ ନାମରେ ନାମିତ ବନ୍ଧ)ଶିବ ମନ୍ଦିର ସନ୍ନିକଟ ଭଗ୍ନାବଶେଷ ଉପରେ ଆସି ଠିଆ ହୁଅନ୍ତି । ଐହି ଆଲୋକିକ ଦୃଶ୍ୟ ହୃଷିକେଶ ଦ୍ୟାନସୁମନ୍ତ, ପ୍ରସନ୍ନ ପାଠୀଶର୍ମା, ଶରତ ଚନ୍ଦ୍ର ସାବତ ଆଦି ଭଦ୍ରବ୍ୟକ୍ତି ନିଜର ପିତା ଓ ପିତାମହଙ୍କର ଆଖିଦେଖା କଥା, ସେମାନଙ୍କ ଠାରୁ ଶୁଣିଥିବା ମତବ୍ୟକ୍ତ କରିଛନ୍ତି ।
ଏହି ଧ୍ୱସଂସ୍ତୁପକୁ ଦେବୀଙ୍କର ଆଗମନ ହିଁ ତାଙ୍କ ନୂତନ ଆସ୍ଥାନ ସ୍ଥାପନର ଇଛା ବୋଲି ଅନୁଭବ କରି ବୀରବର ଗୌରାଙ୍ଗ ଚରଣ ଚୌଧୁରୀ ମହାପାତ୍ରଙ୍କ ଦ୍ୱାରା ଭଗ୍ନସ୍ଥୂପ ଉପରେ ନୂତନ ମନ୍ଦିର ନିର୍ମାଣ କରାଯାଇଥିଲା । ସେହିଦିନ ଠାରୁ ହିଙ୍ଗୁଳାକଟକର(ହିଞ୍ଜିଳିକାଟୁ) ଆରାଧ୍ର ଦେବୀ ହିଙ୍ଗୁଳାଇ ବା ବରାହୀ କନକଦୁର୍ଗା ନାମରେ ପୂଜିତ ଓ ବିଦିତ ହୋଇଆସୁଛନ୍ତି । ଦେବୀଙ୍କର ପର୍ବପର୍ବାଣି ମାନଙ୍କ ମଧ୍ୟରେ ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମି ଠାରୁ ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ ଷୋହଳ ଦିନା ପର୍ବ ବିଶେଷ ପ୍ରସିଦ୍ଧ ଅଟେ । ତନ୍ମଧ୍ୟରୁ ଆଶ୍ୱିନ ଅମବାସ୍ୟା ଠାରୁ ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ ଏହି ୯ ଦିନକୁ ମାତା କନକଦୁର୍ଗାଙ୍କ ନବରାତ୍ରୀ ମହୋତ୍ସବ ବୋଲି କୁହାଯାଏ । ଏହି ଦିନ ମାନଙ୍କରେ ମାତା କନକଦୁର୍ଗାଙ୍କୁ ଭିନ୍ନ ଭିନ୍ନ ରୂପରେ ସୁ-ସଜ୍ଜିତ କରାଯାଇଥାଏ । ମାତାଙ୍କ ଶିର ମୁକୁଟ ଠାରୁ ଆରମ୍ଭକରି ଲଲାଟ, କଣ୍ଠ, କାଟିତଟ, ବାହୁ ଏପରିକି ଚରଣଅଙ୍ଗୁଳିର ମୁଦ୍ରିକା ପର୍ଯ୍ୟନ୍ତ ବହୁ ମୂଲ୍ୟବାନ ସୁନାଅଳଙ୍କାରରେ ବିମଣ୍ଡିତ କରାଯାଇଥାଏ ।
ଏହି ସୁନାବେଶକୁ ଦର୍ଶନ କରିବା ସକାଶେ ପ୍ରବଳ ଜନସମାଗମ ହୋଇଥାଏ । ଶାରଦୀୟ ପାର୍ବଣର ଶେଷ ୩ ଦିନ (୬ଷ୍ଠୀ, ୭ମୀ ଓ ୮ମୀ )ବ୍ୟାପି ମନ୍ଦିର ପୀଠରେ ଘୃତଯଞ ସହ ନାମଯଞ ଓ ଭଜନା ଆୟୋଜନ କରାଯାଇଥାଏ । ମାତା କନକଦୁର୍ଗାଙ୍କୁ ପରମବୈଷ୍ଣବୀ ରୂପରେ ଗ୍ରହଣ କରାଯାଇ ପତିଦିନ ସାତ୍ୱିକ ବ୍ୟଞ୍ଜନ ହିଁ ଭୋଗଲାଗି କରାଯାଇଥାଏ । ବିଶେଷକରି ଖିରି ଓ କାକରାପିଠା ଅତି ଶୁଦ୍ଧପୁତ ଭାବରେ ପ୍ରସ୍ତୁତ କରି ମାଆଙ୍କୁ ଅର୍ପଣ କରାଯାଇଥାଏ । ଗଞ୍ଜାମ ତଥା ସମଗ୍ର ଓଡ଼ିଶାରେ ଆଦିଶକ୍ତି ମା କନକଦୁର୍ଗାଙ୍କ ସୁପ୍ରସିଦ୍ଧି ସମ୍ପର୍କରେ ଜଣାଯାଏଯେ, ଯେଉଁ ବ୍ୟକ୍ତି ଶ୍ରଦ୍ଧା, ଓ ବିଶ୍ୱାସର ସହିତ ମାଆଙ୍କର ବ୍ରତ ଧାରଣ କରି ମନ୍ଦିରରେ ବା ନିଜ ଘରେ ସକାଳ ଓ ସନ୍ଧ୍ୟାରେ ଦୀପଦାନ କରେ ତାର ସମସ୍ତ ମନୋକାମନା ସହସା ଫଳବତି ହୁଏ । ତେଣୁ ପ୍ରତିଦିନ ବିଶେଷ କରି ପ୍ରତି ସଂକ୍ରାନ୍ତିରେ ବହୁ ଦୂର ଦୁରାନ୍ତରୁ ବିଶ୍ୱାସୀ ଭକ୍ତ ମାନେ ମାଆଙ୍କର ଦର୍ଶନ ପାଇର୍ ଆସିଥାନ୍ତି । ତେବେ ଆସନ୍ତୁ ମାତା କନକଦୁର୍ଗାଙ୍କ ଚରଣ କମଳରେ ନିଜକୁ ସମର୍ପଣ କରି ଜୀବନକୁ ସାର୍ଥକ କରିବା । ଜୟ ମା କନକଦୁର୍ଗା । (ହିଞ୍ଜିଳିକାଟୁ /ଶେଷଦେବ ସାହୁ)