No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀରେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ଷୋଳ ପୂଜା ନୀତି ରବିବାର ଠାରୁ ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ମା ବିମଳା, ମା ଭୁବନେଶ୍ଵରୀ ଓ ମା ସର୍ବ ମଙ୍ଗଳା (ବଟ ମଙ୍ଗଳା) ଆଦି ଦେବୀଙ୍କର ଷୋଳପୂଜା ଅନୁଷ୍ଠିତ ଆରମ୍ଭ ହେବା ସହ ବେଶ ଆରମ୍ଭ ହୋଇଛି ।
ଷୋଳ ଦିନରେ ଷୋଳ ପ୍ରକାର ବେଶ ଅନୁଷ୍ଠିତ ହେବ । ସେହିପରି ଶ୍ରୀକ୍ଷେତ୍ରରେ ଥିବା ଚଣ୍ଡୀ ପୀଠରେ ଷୋଳ ପୂଜା ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରର କାଳିକାଦେବୀ ସାହିର ମା ଦକ୍ଷିଣକାଳୀ, ବାସେଳୀ ସାହିର ମା ବାସେଳୀ, ବାଲିକୁଦା ରାମଚଣ୍ଡୀ ସାହିର ମା ରାମଚଣ୍ଡୀ, କୁଣ୍ଢେଇବେଣ୍ଟ ସାହି ଅନ୍ତର୍ଗତ ବିଶୁନି ଯାଗା ସ୍ଥିତ ମା ରାମଚଣ୍ଡୀ,
ଭଗବତୀ କୋଟ ସ୍ଥିତ ମା ଭଗବତୀ, ବିମାନବଡୁ ସାହିର ସର୍ବ ମଙ୍ଗଳା, ବାସେଳୀ ସାହିର ମା ମଙ୍ଗଳା ଓ ଅବକାଶ ଲେନ୍ ର ମା ଭୁବନେଶ୍ଵରୀ ଆଦି ଦେବୀ ଙ୍କର ମଧ୍ୟ ଷୋଳପୂଜା ଅନୁଷ୍ଠିତ ହେବା ସହ ଷୋଳ ଦିନ ଧରି ଏହି ଦେବୀମାନେ ବିଭିନ୍ନ ବେଶରେ ଦର୍ଶନ ଦେବେ ।
ମରିଚକୋଟ ସ୍ଥିତ ମା ମରିଚେଇ ଠାକୁରାଣୀଙ୍କ ର ମହାଳୟା ଠାରୁ ବେଶ ଆରମ୍ଭ ହେବ । ଚୁଡଙ୍ଗ ସାହିର ମା ବିଶ୍ୱେଶ୍ୱରୀ, ବାଲି ସାହିର ମା ଶ୍ୟାମାକାଳୀ, ଦଇତାପଡ଼ା ସାହି ସ୍ଥିତ ମା ହାତଯୋଡ଼ି ଠାକୁରାଣୀ,
ମିଶ୍ର ସାହି ସ୍ଥିତ ମା ଅଲେଇ, ମା ବାଟ ମଙ୍ଗଳା ଓ ଅଠରନଳା ନିକଟ ମା ଭୁବନେଶ୍ଵରୀ ଭଳି ଅନେକ ଦେବୀ ପୀଠରେ ଦେବୀ ମାନଙ୍କର ମହାସପ୍ତମୀରୁ ବିଭିନ୍ନ ବେଶ ଆରମ୍ଭ ହେବ । ନୀତିକାନ୍ତି ସହ ପ୍ରତିଦିନ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିବ ।

No Result
View All Result