ନଅଟି ଚୋରି ଓ ଛିନତାଇ ଗ୍ୟାଙ୍ଗର ଦୁଇ ନାବାଳକ ସମେତ ତିନି ଅଭିଯୁକ୍ତଙ୍କୁ ଗିରଫ୍ କଲା ରାଉରକେଲା ସେକ୍ଟର-୧୯ ପୋଲିସ
ରାଉରକେଲା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସେକ୍ଟର-୧୯ ପୋଲିସ ଷ୍ଟେସନ୍ ସଫଳତାର ସହ ଛଅଟି ଛିନତାଇ ଏବଂ ତିନୋଟି ଚୋରି ମାମଲା ସମାଧାନ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଆଇନ ବିରୁଦ୍ଧାଚରଣ (CCL) ରେ ଦୁଇ ପିଲାଙ୍କୁ ଅଟକ ରଖିଛି । ଅଭିଯୁକ୍ତଙ୍କଠାରୁ ପୋଲିସ ଆଠଟି ଚୋରି ମୋବାଇଲ୍ ଫୋନ୍, ନଗଦ ୧୫,୯୦୦ (୧୫ ହଜାର ୯ ଶହ)ଟଙ୍କା ଏବଂ ଅନ୍ୟାନ୍ୟ ଚୋରି ଜିନିଷ ଜବତ କରିଛି । ଡିଏସପି ମନୋରଞ୍ଜନ ଦାସ ଏବଂ ସେକ୍ଟର-୧୯ ଥାନା ଅଧିକାରୀ ବୈଦ୍ୟନାଥ ସାହୁ ଏ ବିଷୟରେ ସୂଚନା ଦେଇଛନ୍ତି ।
ପୋଲିସର ସୂଚନା ଅନୁସାରେ ୨୦୨୬ ଜୁଲାଇ ୨୯ ତାରିଖରେ ସେକ୍ଟର-୧୯ ପୋଲିସ ଥାନା କେସ୍ ନମ୍ବର ୧୬୧ ଅନୁଯାୟୀ ପଞ୍ଜିକୃତ ଏକ ମାମଲାର ତଦନ୍ତ ସମୟରେ ଏହି ସଫଳତା ମିଳିଛି । ଅଭିଯୋଗକାରୀ ବିଶ୍ରା ଥାନା ଅନ୍ତର୍ଗତ ଖୁଣ୍ଟଗାଓଁ ସାରାଇଟୋଲି ନିବାସୀ ସୁକୋ ଓରାମ (୫୦) କହିଛନ୍ତି ଯେ, ଜୁଲାଇ ୨୯ ତାରିଖ ଦିନ ପ୍ରାୟ ୨ଟା ସମୟରେ, ସେ ସେକ୍ଟର-୧୯ ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆର ଟାଉନସିପ୍ ଶାଖାରୁ ୪,୦୦୦ ଟଙ୍କା ଉଠାଇ ଫେରୁଥିଲା ବେଳେ ଏକ ମୋଟରସାଇକେଲରେ ତିନି ଜଣ ଯୁବକ ତାଙ୍କ ପଛରୁ ଆସି ତାଙ୍କ ଭ୍ୟାନିଟି ବ୍ୟାଗକୁ ଛଡ଼ାଇ ନେଇଥିଲେ ।
ଭ୍ଯାନିଟରେ ୪ ହଜାର ୧୦୦ ଟଙ୍କା, ଏକ ଆଧାର କାର୍ଡ, ଗୋଟିଏ ବ୍ୟାଙ୍କ ପାସବୁକ୍ ଏବଂ ଏକ ଫଟୋ ଥିଲା । ଭ୍ଯାନିଟ୍ ନେଇ ସେମାନେ ସେଠାରୁ ପଳାଇ ଯାଇଥିଲେ । ମମାମଲାର ତଦନ୍ତ କରି ପୋଲିସ ରାଉରକେଲା ସେକ୍ଟର-୩ ଥାନା ଅଧିନସ୍ଥ ସେକ୍ଟର-୧ର କଲ୍ୟାଣୀ ବସ୍ତି ନିବାସୀ କନ୍ହେୟା ଚୌଧୁରୀଙ୍କ ପୁଅ ସୁରଜ ଚୌଧୁରୀ ଓରଫ ଚିଣ୍ଟୁ (୨୬)କୁ ଗିରଫ କରିଥିଲା । ଏହି ମାମଲାରେ ସମ୍ପୃକ୍ତ ଦୁଇ ନାବାଳକଙ୍କୁ ମଧ୍ୟ ଅଟକ ରଖାଯାଇଥିଲା । ପୋଲିସ କହିଛି ଯେ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ଆଧାରରେ, ଛିନତାଇ ଏବଂ ଚୋରିର ମୋଟ ନଅଟି ଘଟଣାର ପର୍ଦ୍ଦାଫାସ ହୋଇଛି, ଏବଂ ଅଧିକ ତଦନ୍ତ ଜାରି ରହିଛି ।












