ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ପ୍ରେସକ୍ଲବ ବିଦ୍ୟାରତ୍ନ ଭବନ ଠାରେ ବାଙ୍କୀ ବଣିକ ସଂଘ ତରଫରୁ ବିଦ୍ୟୁତ୍ ବିଭାଗ ଦ୍ୱାରା ସ୍ମାର୍ଟ ମିଟର ଲଗାଇବା ପ୍ରତିବାଦରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପାଦକ ଶ୍ରୀନୀବାସ ବେହେରା ଯୋଗଦେଇ ବଣିକ ସଂଘର ନିମ୍ନଲିଖିତ ଦାବୀମାନ ଯଥା ଯେଉଁ ଜାଗାରେ ନୂଆ ସ୍ମାର୍ଟ ମିଟର ଲଗାଯାଇଛି ସେଗୁଡିକୁ ବାହାର କରି ପୁନର୍ବାର ପୂର୍ବ ମିଟର ଲଗାଇବା, ଯେଉଁ ମିଟର ଗୁଡିକ ଖରାପ ଅଛି ସେଗୁଡିକ ବଦଳାଇ ଡିଜିଟାଲ୍ ମିଟର ଲଗାଯାଉ ଏହାର ମୂଲ୍ୟ କମ୍ପାନୀ ବହନ କରୁ ।
ଯେଉଁ ଉପଭୋକ୍ତାମାନେ ମିଟର ବସାଇବା ପାଇଁ ବିରୋଧ କରୁଛନ୍ତି ସେମାନଙ୍କୁ ଆକ୍ରୋଶ ମୂଳକ ଭାବେ ଜୋରିମନା କରାନଯିବା ପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟୁତ୍ ବିଭାଗର ସହକାରୀ ଯନ୍ତ୍ରୀ ସୌମ୍ୟରଞ୍ଜନ ମହାପାତ୍ର ଯୋଗଦେଇ ଦାବୀ ଗୁଡିକ ବିଚାର କରାଯିବା ସହ ଗ୍ରାହାକମାନଙ୍କୁ ହଇରାଣ ହରକତ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବାଙ୍କୀରେ ମୋଟ ୩୫ହଜାର ବିଦ୍ୟୁତ୍ ଗ୍ରାହକ ଥିବା ବେଳେ ୧୫ହଜାର ଗ୍ରାହକ ବିଦ୍ୟୁତ୍ ବିଲ୍ ଠିକ୍ ସମୟରେ ପୈଠ କରୁନଥିବା ସହକାରୀ ଯନ୍ତ୍ରୀ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ତେଣୁ ଗ୍ରାହକମାନେ ବିଦ୍ୟୁତ୍ ବିଭାଗକୁ ସାହାଯ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।
ବିଦ୍ୟୁତ୍ ଉପଭୋକ୍ତାଙ୍କ ସମସ୍ତ ଦାବି ଗୁଡିକ ବିଚାର କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ଦିନେଶ ରଞ୍ଜନ ସାହୁ, ଟାଟା ପାୱାର ପରିଚାଳକ ସତ୍ୟଜିତ୍ ପ୍ରଧାନ ଯୋଗଦେଇଥିଲେ । ବାଙ୍କୀ ବଣିକ ସଂଘର ବିଭିନ୍ନ କମିଟିର ସଂପାଦକ , ସଭାପତି ଓ ସଭ୍ୟମାନେ ଯୋଗଦେଇଥିଲେ । ଏଥିରେ ଉପନଗରପାଳ ସନ୍ତୋଷ କୁମାର ରଣା , ସମରେନ୍ଦ୍ର ମହାପାତ୍ର, କାଉନସିଲର ସନାତନ ବେହେରା, ଯୁକଳକିଶୋର ଭୂତ, ନାରାୟଣ ସାହୁ ସୌମେନ୍ଦ୍ର ମିଶ୍ର, କାଉନସିଲର ପଠାଣୀ ବେହେରା, ଭାଗୀରଥି ବିଶ୍ୱାଳ, ରାଜେନ୍ଦ୍ର ମହାପାତ୍ର, ସାମ୍ବାଦିକ କାହ୍ନୁଚରଣ ବେହେରା, ମନୋଜ କୁମାର ଦଳେଇଙ୍କ ସମେତ ଗ୍ରାହକ ମାନଙ୍କ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ ।














