କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡକୁ ୧୭ବର୍ଷ ପୂରଣ ହୋଇଛି । ୨୦୦୮, ଅଗଷ୍ଟ ୨୩ରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ପାଇଁ ସ୍ୱାମୀଜୀ କନ୍ଧମାଳର ଜଳେଶପଟା ଆଶ୍ରମକୁ ଯାଇଥିବା ସମୟରେ ପ୍ରାୟ ୪୦ରୁ ଅଧିକ ଆତତାୟୀ ଗୁଳି ବର୍ଷଣ କରିବା ଫଳରେ ସ୍ବାମୀଜୀଙ୍କ ସମେତ ତାଙ୍କର ଚାରିଜଣ ଅନୁଗାମୀଙ୍କ ମୃତ୍ୟୁ ଘଟିଥିଲା । ପରବର୍ତ୍ତୀ ସାମ୍ପ୍ରଦୟିକ ହିଂସାରେ ୩୫ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ଓ ଶତାଧିକ ବାସଗୃହ ନିଆଁରେ ପାଉଁଶ ହୋଇଯାଇଥିଲା ।

କିନ୍ତୁ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଥିବା ଏହି ଲୋମହର୍ଷଣକାରୀ ଘଟଣାରେ ଏ ପର୍ଯ୍ୟନ୍ତ ସ୍ୱାମୀଜୀଙ୍କୁ ନ୍ୟାୟ ମିଳିପାରି ନାହିଁ । ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ ରିପୋର୍ଟ ସାର୍ବଜନୀନ ହୋଇପାରି ନାହିଁ । ଆସନ୍ତା ୧୮ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ୨୦୧୫ ମସିହାରୁ ରାଜ୍ୟ ଆଇନ ବିଭାଗରେ ପଡ଼ି ରହିଥିବା ତଦନ୍ତ ରିପୋର୍ଟ ଗୃହରେ ଉପସ୍ଥାପନ ହେବ କି ନାହିଁ, ତାହା ଉପରେ ସାରା ରାଜ୍ୟର ନଜର ରହିଛି । ବିରୋଧୀ ଆସନରେ ବସିଥିବା ବେଳେ ଏହି ରିପୋର୍ଟ ବିଧାନସଭାରେ ଉପସ୍ଥାପନ ପାଇଁ ବିଜେପି କ୍ରମାଗତ ଭାବେ ଦାବି କରି ଆସୁଥିଲା ।















