ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଗଜପତି ତରଫରୁ “ପ୍ରାୟୋଜନ, ପାଳିତ ଯତ୍ନ, ପରବର୍ତ୍ତୀ ଯତ୍ନ ଓ ଅଣଆନୁଷ୍ଠାନିକ ଯତ୍ନ ଉପରେ ଏକ ଦିନିକିଆ କର୍ମଶାଳା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ, କୋଡିନେଟର ଚାଇଲ୍ଡ ହେଳପ୍ଲାଇନ, କେନ୍ଦ୍ର ପରିଚାଳିକା ୱାନ ସ୍ଟପ ସେଣ୍ଟର, ଜିଲ୍ଲା ପ୍ରକଳ୍ପ ସହଯୋଗୀ ଆଭା, ପ୍ରକଳ୍ପ ସଂଯୋଜକ ଜାମ୍ସ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକର କର୍ମକର୍ତ୍ତା ତଥା ସରକାରଙ୍କଠାରୁ ଆର୍ଥିକ ସହାୟତା ପାଉଥିବା ଶିଶୁମାନେ ଏବଂ ସେମାନଙ୍କର ଅଭିଭାବକ ଉପସ୍ଥିତ ଥିଲେ ।
ପ୍ରଥମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ସମସ୍ତଙ୍କୁ ସ୍ଵାଗତ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାପରେ ଶ୍ରୀଯୁକ୍ତ ତ୍ରିପାଠୀ ସରକାରଙ୍କ ତରଫରୁ ଦିଆଯାଉଥିବା ମାସିକ ୪୦୦୦ ଟଙ୍କା ସହାୟତା ରାଶି ଶିଶୁମାନଙ୍କର ଆବଶ୍ୟକତା ଅନୁସାରେ ଖର୍ଚ୍ଚ ହେଉଛି ନା ନାହିଁ ତାହା ଅଭିଭାବକମାନଙ୍କୁ ପଚାରି ବୁଝିଥିଲେ । ଯେଉଁ ଶିଶୁମାନେ ୧୦ମ ଶ୍ରେଣୀରୁ ଉତ୍ତିନ୍ନ ହୋଇ ଉପର ଶ୍ରେଣୀରେ ପଢୁଛନ୍ତି ସେମାଙ୍କୁ ଯଶୋଦା ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ନିମନ୍ତେ ଆବେଦନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।
ଏହାପରେ ସୁରକ୍ଷା ଅଧିକାରୀ ଅଣଆନୁଷ୍ଠାନିକ ଯତ୍ନ ଶ୍ରୀମତୀ ଶ୍ରୀଦେବୀ ରଇତ ପ୍ରାୟୋଜନ ନିମନ୍ତେ ଶିଶୁଙ୍କର ଯୋଗ୍ୟତା, ଆବଶ୍ୟକତା ଦସ୍ତାବିଜ ଏବଂ ଆବେଦନର ପ୍ରକ୍ରିୟା ବିଷୟରେ ବୁଝାଇଥିଲେ । ପ୍ରକଳ୍ପ ସଂଯୋଜକ ଜାମ୍ସ ଶ୍ରୀ ପ୍ରତ୍ୟୁଷ ପଣ୍ଡା ଶିଶୁମାନଙ୍କର ମାନସିକ ସ୍ବାସ୍ଥ୍ୟର ବିକାଶ ଏବଂ ଏହି ଦିଗରେ ଅଭିଭାବକ ତଥା ହିତାଧିକାରୀମାନଙ୍କର ଭୂମିକା ବିଷୟରେ ଆଲୋଚନା କରିଥିଲେ । ଏହାପରେ ପରାମର୍ଶଦାତା ଶ୍ରୀ ଡୁଂଗେଇ ମଲିକ ଯେଉଁ ଶିଶୁମାନେ ସହାୟତା ଶିଶୁମାନେ ଉକ୍ତ ସହାୟତା ରାଶି ପାଉଛନ୍ତି ସେମାନେ ଯେପରି ନିୟମିତ ବିଦ୍ୟାଳୟ ଯିବା ସହିତ ପ୍ରତିଦିନର ଆବଶ୍ୟକତା ନିମନ୍ତେ ସେହି ରାଶି ବ୍ୟବହାର କରିବେ ସେଥି ଉପରେ ଆଲୋଚନା କରିଥିଲେ ।
ଏହାପରେ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିଶାନ ଶାଲୋମ ପରିଚାଳକ ଶ୍ରୀ ପ୍ରତ୍ୟୁଷ କୁମାର ସୂର୍ୟ ଯୋଗ୍ୟ ଶିଶୁମାନଙ୍କୁ ସରକାରୀ ସହାୟତା ରାଶି ଯୋଗାଇଦେବାରେ ବିଭିନ୍ନ ହିତାଧିକାରୀଙ୍କର ଭୂମିକା ବିଷୟରେ ଆଲୋଚନା କରିଥିଲେ । ଶେଷରେ କେନ୍ଦ୍ର ସହକର୍ମୀ ୱାନ ସ୍ଟପ ସେଣ୍ଟର ଶ୍ରୀମତୀ ସୁନିତା ମହାରଣା ଉପସ୍ଥିତ ଅତିଥିବୃନ୍ଦ, ଶିଶୁ ଏବଂ ଅଭିଭାବକଙ୍କୁ ଧନ୍ୟବାଦ ଦେଇ କାର୍ମଶାଳା ସମାପ୍ତ କରିଥିଲେ ।













