ଓଡ଼ିଶା ତାଜା ନ୍ୟୁଜ (୮ ସେପ୍ଟେମ୍ବର ମଙ୍ଗଳବାର) ଭୁବନେଶ୍ୱର :– ସମାଜର ତଳ ବର୍ଗରେ ବାସ କରୁଥିବା ଲୋକମାନଙ୍କ ନଗଦ ଅର୍ଥ ଆବଶ୍ୟକତାକୁ ପୂରଣ କରିବା ଲାଗି ମାଇକ୍ରୋଫାଇନାନ୍ସ ଗୁରୁତ୍ୱପୂର୍ଣ୍ଣ ବୋଲି କୋଲକାତାର ମାଇକ୍ରୋଫାଇନାନ୍ସ ସଂସ୍ଥା ଭିଲେଜ୍ ଫାଇନାନ୍ସିଆଲ୍ ସର୍ଭିସେସ୍ (ଭିଏଫ୍ଏସ୍)ର ଏମ୍ଡି ଓ ସିଇଓ କୁଲଦୀପ ମାଇତି କହିଛନ୍ତି । ଭିଏଫ୍ଏସ୍ରେ ୧୦ କୋଟିରୁ ଅଧିକ ମହିଳା ଗ୍ରାହକ ଥିବା ବେଳେ ସେମାନଙ୍କୁ ୩ ଲକ୍ଷ କୋଟି ଟଙ୍କାର ଋଣ ଆବଟଂନ କରାଯାଇଛି ଓ ଅସୁଲ ହାର ମଧ୍ୟ ୯୯ ପ୍ରତିଶତ ରହିଛି । ପ୍ରତିବର୍ଷ ଋଣ ଆବଂଟନରେ ୩୦-୪୦ ପ୍ରତିଶତ ବୃଦ୍ଧି ଘଟୁଛି । ଶ୍ରୀ ମାଇତି କହିଛନ୍ତି, ମାଇକ୍ରୋଫାଇନାନ୍ସ କାର୍ଯ୍ୟକଳାପ ମୁଖ୍ୟତଃ କୃଷି କ୍ଷେତ୍ର ଉପରେ ନିର୍ଭରଶୀଳ ଯେଉଁ କ୍ଷେତ୍ରଟି ମହାମାରୀ ଦ୍ୱାରା ପ୍ରଭାବିତ ହୋଇନାହିଁ । ମାତ୍ର ଯାତାୟାତରେ କଟକଣା ଯୋଗୁଁ ଏହି କ୍ଷେତ୍ରର ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଛି ।
ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକ ପାଇଁ ମୋରାଟୋରିଅମ୍ର ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ । ଦେଶରେ ମହାମାରୀର ପ୍ରଭାବ ହ୍ରାସ ପାଉଥିବା ବେଳେ ସଂକ୍ରମଣ ନିୟନ୍ତ୍ରଣ ମଧ୍ୟକୁ ଆସୁଛି । ଏବର୍ଷ ଖରିଫ ଚାଷ ଭଲ ହେବାର ସମ୍ଭାବନା ରହିଛି ଏବଂ ଭିତିଭୂମିରେ ହେଉଥିବା ନିବେଶ ଯୋଗୁଁ ଆସନ୍ତା ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ସ୍ଥିତିରେ ବଡ଼ ଧରଣର ସୁଧାର ଆଶା କରାଯାଉଛି । ଲଘୁ ଋଣ ପ୍ରଦାନ କ୍ଷେତ୍ରରେ ୩୮ ପ୍ରତିଶତ ବଜାର ଅଂଶ ସହ ଏନବିଏଫ୍ସି- ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ତେଣୁ, ଏଠାରେ ସମସ୍ତଙ୍କ ପାଇଁ ସ୍ଥାନ ରହିଛି । ଏହି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକୁ ପ୍ରବେଶ କରିବା ପରେ କୌଣସି ପ୍ରକାର ଆହ୍ୱାନ ସୃଷ୍ଟି ହେବ ନାହିଁ ବୋଲି ସେ କହିଛନ୍ତି । ଭିଏଫ୍ଏସ୍ ଏବେ ପଶ୍ଚିମବଙ୍ଗ, ତ୍ରିପୁରା, ଆସାମ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ସିକିମ, ଏମ୍ପି, ଉତରାଖଣ୍ଡ, ଛତିଶଗଡ଼, ମେଘାଳୟ, ହରିୟାନା ଓ ୟୁପି ଭଳି ୧୩ଟି ରାଜ୍ୟରେ ୨୪୬ ଶାଖା ଜରିଆରେ ୫ ଲକ୍ଷରୁ ଅଧିକ ମହିଳା ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି ।
ଆଗାମୀ ଦିନରେ କଂପାନି ଏହାର ଉପସ୍ଥସିତିକୁ ୨୦ଟି ରାଜ୍ୟ ପର୍ଯ୍ୟନ୍ତ ସଂପ୍ରସାରିତ କରିବାକୁ ଯୋଜନା ରଖିଛି । ଗ୍ରାହକଙ୍କ ସହିତ ସମ୍ପର୍କକୁ ଭିଏଫ୍ଏସ୍ ଅତ୍ୟଧିକ ଗୁରୁତ୍ୱ ଦେଉଛି ଏବଂ ଶାଖା ହେଉ କିମ୍ବା ମୁଖ୍ୟ କାର୍ଯ୍ୟାଳୟ ସବୁ ଠାରେ କାଯ୍ୟ କରୁଥିବା କର୍ମଚାରୀ ଏଥିପ୍ରତି ଧ୍ୟାନ ଦେଉଛନ୍ତି ବୋଲି ସେ କହିଛନ୍ତି । ମହାମାରୀ ସମୟରେ ଆମ କର୍ମଚାରୀମାନେ ପ୍ରତିଟି ଗ୍ରାହକଙ୍କ ସହ ଟେଲିଫୋନ୍ ଜରିଆରେ କଥାବାର୍ତା ହୋଇ ତାଙ୍କ ସୁଖଦୁଃଖ ବୁଝୁଥିଲେ, ସେମାନଙ୍କୁ ସହାୟତା ଦେବାର ପ୍ରତିଶ୍ରୁତି ଦେଉଥିଲେ ଏବଂ ମାସ୍କ ଏବଂ ସାନିଟାଇଜର୍ ଆଦି ବ୍ୟବହାର କରିବା ଭଳି ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସେମାନଙ୍କୁ ଉତ୍ସାହିତ କରୁଥିଲେ ବୋଲି ଶ୍ରୀ ମାଇତି କହିଛନ୍ତି ।