ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀଜିଲ୍ଲା ବଳଙ୍ଗା ନାବାଳିକା ପୀଡ଼ିତା ଆଉ ନାହାନ୍ତି । ଜୀବନ ଯୁଦ୍ଧରେ ସେ ହାରି ଯାଇଛନ୍ତି । ଏମ୍ସ ଦିଲ୍ଲୀରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଡାକ୍ତରମାନେ ବଳଙ୍ଗା ପୀଡ଼ିତାଙ୍କୁ ବଞ୍ଚାଇବା ପାଇଁ ଶତ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି । ଏହି ଖବର ଜଣାପଡ଼ିବା ପରେ ବଳଙ୍ଗାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ବଳଙ୍ଗା ପୀଡ଼ିତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଦଳ ପୁରା ଉଦ୍ୟମ କରିଥିଲେ । ଏମ୍ସ ଭୁବନେଶ୍ୱରରେ ଏକ ୧୪ ଜଣିଆ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଏବଂ ବିରୋଧୀ ଦଳ ଏମ୍ସ ଦିଲ୍ଲୀ ଏୟାରଲିଫ୍ଟ ଦାବି କରିଥିଲେ ।

ସରକାର ମଧ୍ୟ ଏହାକୁ ସମ୍ବେଦନଶୀଳ ମାମଲା ମନେ କରି ଏମ୍ସ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଇଥିଲା । ସୂଚନାଯୋଗ୍ୟ, ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଗତମାସ ୧୯ ତାରିଖ ଦିନ ପୂର୍ବାହ୍ଣରେ ନିଜ ସାଙ୍ଗ ଘରକୁ ଲୋଣସି କାମରେ ଯାଉଥିଲା । ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ । ସେଠାରେ ନିଆଁ ଲଗାଇ ଦେଇଥିଲେ । ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦେ?ଡ଼ିବାରେ ଲାଗିଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ ।















