କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ କର ଗତ ଜୁନ ମାସରେ ଅବସର ଗ୍ରହଣ କରିଥିଲେ । ଏହି ଅବସରରେ ଆଜି ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର (କଟକ)ର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ସହ ନିର୍ଦ୍ଦେଶକ ପ୍ରଜ୍ଞା ପରମିତା ଜେନା, ସମ୍ମାନିତ ଅତିଥି ଭାବେ ଗାୟକ ସୁଧାକର ଯୁଧିଷ୍ଠିର ପରିଜା, ପଞ୍ଚବଟୀ ଉପ୍ରା କ୍ଲଷ୍ଟର ସି.ଆର.ସି.ସି. ସୋମନାଥ ଭୋଇ,

ପଞ୍ଚବଟୀ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅତସୀ ମିଶ୍ର, ଗ୍ରାମ୍ୟ କମିଟି ସଭାପତି ସନାତନ ପରିଜା, ବିଦ୍ୟାଳୟ ଆଲୁମିନା କମିଟି ସଭାପତି ପ୍ରସାନ୍ତ କୁମାର ପରିଜା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରବିନାରାୟଣ ରାଉତରାୟ, ପ୍ରଧାନ ଶିକ୍ଷୟିତ୍ରୀ ଜାପିକା ବେହେରା ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କରଙ୍କ ଦିର୍ଘ ୩୫ ବର୍ଷ ଗୋଟିଏ ସ୍କୁଲରେ ରହି ପୁଣି ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଅବସର ନେବା ସମ୍ପର୍କରେ ଭୁୟସି ପ୍ରଶଂସା କରିଥିଲେ ।
ତାଙ୍କର ଛାତ୍ର ଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀମାନେ ଏହି ସଭାରେ ନିଜର ପ୍ରିୟ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ପ୍ରକାରର ଉପହାର ପ୍ରଦାନ କରିବା ସହିତ ତାଙ୍କ ଦିର୍ଘ ନିରାମୟ ଜୀବନ କାମନା କରିଥିଲେ । ବିଦାୟୀ ଶିକ୍ଷୟିତ୍ରଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷାବିତ ସତ୍ୟରଞ୍ଜନ ପଣ୍ଡା ଅତିଥି ପରିଚୟ ଦେଇଥିବା ବେଳେ ଶିକ୍ଷାବିତ ଅଶୋକ ପୃଷ୍ଟି ମଙ୍ଗଳାଷ୍ଟକ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ସହଯୋଗ କରିଥିଲେ ।














