କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ତେଲେଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ ସାଇ ଜଗନ୍ନାଥ ମନ୍ଦିର ପକ୍ଷରୁ ଆୟୋଜିତ ବାହୁଡା଼ ରଥଯାତ୍ରା ଶୃଙ୍ଖଳାର ସହ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ଜଗନ୍ନାଥ ରଥଯାତ୍ରା ଦିନ ଯାଇ ମାଉସୀ ମା ଘରେ ରହିବା ପରେ ନବଦିନାତ୍ମକ ରେ ବାହୁଡ଼ିଥିଲେ । ଆଜି ବାହୁଡା଼ ରଥଯାତ୍ରା ପାଇଁ ଠାକୁର ରାଜା ବ୍ରଜବନ୍ଧୁ ଶତପଥୀଙ୍କୁ ତାଙ୍କ ବାସଭବନରୁ ବାଜା ବାଣ ରେଶମୀ କରି ଶୋଭାଯାତ୍ରାରେ ମାଉସୀ ମା ଘର ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା ।

ରାଜା ପହଞ୍ଚିବା ପରେ ମାଉସୀ ମା ଘରୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ପହଣ୍ଡି କରି ରଥ ଉପରକୁ ନିଆଯାଇଥିଲା । ସେଠାରେ ପୂଜାର୍ଚ୍ଚନା କରିସାରିବା ପରେ ଠାକୁର ରାଜା ରଥରେ ଛେରା ପହଁରା କରୁଥିଲେ । ଛେରାପହଁରା ଶେଷ ହେବାପରେ ରଥରୁ ଚାରମାଳ ଖୋଲାଯାଇ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ବାହୁଡା଼ ରଥଯାତ୍ରାରେ ରଥର ସାରଥୀ ହୋଇଥିଲେ ଦେବେନ୍ଦ୍ର ଭୂୟାଁ ।

ଏହି ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ ଲାଗିଥିଲା । ଶ୍ରଦ୍ଧାଳୁମାନେ ରଥକୁ ତେଲଙ୍ଗାପେଣ୍ଠ ବଜାର ଠାରୁ ନୂଆଗଡ ସାଇ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ହରିବୋଲ ହୁଳହୁଳି ଧ୍ୱନିରେ ଟାଣି ଟାଣି ନେଇ ନୂଆଗଡ ଗ୍ରାମର ମହନ୍ତ ଡମ୍ବରୁଧର ସାମନ୍ତରାୟଙ୍କ ଘର ପାଖରେ ଛାଡିଥିଲେ । ସାମନ୍ତରାୟଙ୍କ ପରିବାର ପକ୍ଷରୁ ଜଗନ୍ନାଥଙ୍କ ରଥରେ ସନ୍ଧ୍ୟା ଆରତୀ ସହିତ ପୋଡପିଠା ଭୋଗ ଲାଗି କରାଯାଇଥିଲା ।















