No Result
View All Result
ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀଗୁଣ୍ଡିଚା ଯାତ୍ରାରେ ବଡ଼ଦେଉଳ ଛାଡ଼ି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତେ । ଯାତ୍ରା ପାଇଁ କାହାରିକୁ ତର ନାହିଁ । ବଡ଼ଦେଉଳରେ ବଡ଼ଠାକୁରଙ୍କ ଯାତ୍ରା ପ୍ରସ୍ତୁତିରେ ବ୍ୟସ୍ତ ଥିଲେ ସେବକ ଓ ପ୍ରଶାସକ । ବାହାରେ ଉତ୍କଣ୍ଠିତ ରଥ, ପଥ ଓ ଭକ୍ତ । ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରେ ରଥାରୂଢ଼ ହୋଇଥିଲେ ଦାରୁବ୍ରହ୍ମ । ଶୁକ୍ରବାର ଶ୍ରୀଗୁଣ୍ଡିଚା ଯାତ୍ରା ଆଣି ଦେଇଥିଲା ମିଳନର ସେହି ଦିବ୍ୟ ମୁହୂର୍ତ୍ତ । ଏକାକାର ହୋଇଥିଲେ ଅଗଣିତ ଭକ୍ତ ଓ ସେମାନଙ୍କ ପ୍ରଭୁ ଶ୍ରୀଜଗନ୍ନାଥ।

ହଜାର ହଜାର ଭକ୍ତଙ୍କ ସମାଗମରେ ଭାବଭକ୍ତି, ଘଣ୍ଟନାଦରେ ପୁରି ଉଠିବା ସହ ଲୋକାରଣ୍ୟ ହୋଇଥିଲା ବାଲିଗୁଡା ସହର, ଭକ୍ତ ଓ ଭଗବାନ ଏକାଠି ହୋଇ ୩ ଠାକୁର ତିନି ରଥରେ ବିଜେ ପରେ ସୁରୁଖୁରୁରେ ନୀତିକାନ୍ତି ଶେଷ ହୋଇଥିଲା l ଏ ନେଇ ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଶ୍ରୀଗୁଣ୍ଡିଚା ନୀତି ନିର୍ଘଣ୍ଟ ଅନୁସାରେ ସକାଳେ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି ଓ ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ନୀତି ବଢ଼ି ବେଶ ଶେଷ ହୋଇଥିଲା l ଗୋପାଳ ବଲ୍ଲଭ ଓ ସକାଳ ଧୂପରେ ଖେଚୁଡ଼ି ଭୋଗ ଶେଷ ହେବା ପରେ ରଥ ପ୍ରତିଷ୍ଠା ହୋଇଥିଲା ।

ମଙ୍ଗଳାର୍ପଣ ପରେ ଦାରୁଦିଅଁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା, ପହଣ୍ଡି ସରିବା ପରେ ଠାକୁରଙ୍କୁ ଚିତା ଲାଗି କରାଯାଇଥିଲା । ଠାକୁରଙ୍କ ବେଶ ସାଜସଜ୍ଜା ଶେଷ ହେବା ପରେ ରଥଯାତ୍ରାର ଅନନ୍ୟ ପରମ୍ପରା ହେଉଛି ଛେରା ପହଁରା ନୀତି, ଏଥିରେ ତିନୋଟି ଯାକ ରଥ ଉପରେ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଉପସ୍ଥିତ ରହି ଛେରା ପହଁରା କରିଛନ୍ତି । ପରେ ପରେ ଚାରମାଳ ଫିଟା ହେବା ପରେ ହଜାର ହଜାର ଭକ୍ତ ଜଗନ୍ନାଥ ଓ଼ ବଳଭଦ୍ର ରଥ କୁ ଟାଣି ନେଇଥିବା ବେଳେ ସୁଭଦ୍ରା ରଥ କୁ କେବଳ ମହିଳା ଭକ୍ତ ମାନେ ହିଁ ଟାଣିଟାଣି ମାଉସୀ ମା’ ଙ୍କ ମନ୍ଦିର ନିକଟରେ ପହଞ୍ଚାଇଥିଲେ।
ସନ୍ଧ୍ୟା ରେ ମାଉସୀ ମା’ ଙ୍କ ଠାରେ ପହଞ୍ଚିବା ପରେ ସନ୍ଧ୍ୟା ଆଳତୀ ହଜାର ହଜାର ଭକ୍ତଙ୍କ ଗହଣରେ ହୋଇଥିଲା। ପରେ ପରେ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଙ୍କ ନିର୍ଦେଶ କ୍ରମେ ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁ ଙ୍କ ନେତୃତ୍ୱ ରେ ସମଗ୍ର ଅଞ୍ଚଳରେ କଡା କଡ଼ି ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଟି. ଶ୍ରୀନିବାସ ରାଓ, ମଧୁସୂଦନ ଦାସ, ଲୋକନାଥ ପାଢ଼ୀ ଙ୍କ ସମେତ ସମସ୍ତ ସଦସ୍ୟ ଏବଂ ଅଞ୍ଚଳର ପର୍ଶୁରାମ ବାହିନୀ, ବ୍ରାହ୍ମଣ ସମିତି, ବିଭିନ୍ନ ଯୁବକ ସଂଘ, ମହିଳା ସଂଘ, ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

No Result
View All Result