ଓଡିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ବୁଧବାର) ଭୁବନେଶ୍ୱର :– ୟୁଜି ଏବଂ ପିଜି ଶେଷ ବର୍ଷ / ଫାଇନାଲ୍ ସେମିଷ୍ଟାର ପରୀକ୍ଷା ଶେଷ କରିବା ନିମନ୍ତେ ଧାର୍ଯ୍ୟ ସମୟସୀମା ସେପ୍ଟେମ୍ବର ୩୦ ତାରିଖରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୟୁଜିସି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏହି ମର୍ମରେ ଏକ ଅନୁରୋଧ ପତ୍ର ୟୁଜିସିର ସଚିବଙ୍କ ନିକଟକୁ ପ୍ରେରଣ କରିଛନ୍ତି । କୋଭିଡ୍-୧୯ ସ୍ଥିତିରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାର ଅନୁପାଳନ ଓ ସାମାଜିକ ଦୂରତ୍ୱ ବଜାୟ ରଖି ୟୁଜିସି ଦ୍ୱାରା ଧାର୍ଯ୍ୟ ସମୟସୀମା ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ସମସ୍ତ ପରୀକ୍ଷା ଶେଷ କରିବା କଷ୍ଟକର ବୋଲି ଅଗଷ୍ଟ ୩୧ ତାରିଖରେ ଅନୁଷ୍ଠିତ ବୈଠକରେ ବିଶ୍ୱବିଦ୍ୟାଳୟର କୁଳପତି ଏବଂ
ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ମତ ଦେଇଥିଲେ । ପରୀକ୍ଷା ପରିଚାଳନା ପ୍ରସ୍ତୁତି ନିମନ୍ତେ ଅନ୍ତତଃ ପକ୍ଷେ ୨୦ ଦିନ ଆବଶ୍ୟକ ହୋଇଥାଏ । ସେପେଫମ୍ବର ୩୦ ତାରିଖ ମଧ୍ୟରେ ସମସ୍ତ ପରୀକ୍ଷା ଶେଷ କରିବାକୁ ହେଲେ ଗୋଟିଏ ଦିନରେ ଏକାଧିକ ପରୀକ୍ଷା କରିବାକୁ ପଡ଼ିବ । ଗୋଟିଏ ଦିନରେ ଏକାଧିକ ପରୀକ୍ଷା ହେଲେ ଏକ ସାଙ୍ଗରେ ଅନେକ ଛାତ୍ରଛାତ୍ରୀଙ୍କ ସମାଗମ ହେବ ଏବଂ ଏପରି ସ୍ଥିତିରେ କୋଭିଡ୍-୧୯ ମାର୍ଗଦର୍ଶିକା ଅନୁପାଳନରେ ସମସ୍ୟା ଦେଖାଦେବ । ଏପରି ସ୍ଥିତିରେ ସେପ୍ଟେମ୍ବର ୩୦ ତାରିଖ ଧାର୍ଯ୍ୟ ସମୟସୀମାକୁ ୧୦ ଦିନ ବୃଦ୍ଧି କରିବା ପାଇଁ ବୈଠକରେ କୁଳପତିମାନେ ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥିତିର ସମୀକ୍ଷା କରାଯାଇଥିଲା ।
କୋଭିଡ୍-୧୯ ସ୍ଥିତି ଯେପରି ଗୁରୁତର ନହୁଏ, ସେଥି ନିମନ୍ତେ ରାଜ୍ୟ ସରକାର ୟୁଜି ଓ ପିଜି ଶେଷବର୍ଷ ଫାଇନାଲ୍ ସେମିଷ୍ଟାର ପରୀକ୍ଷାକୁ ସୁବ୍ୟବସ୍ଥିତ ଭାବରେ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଯେପରି ଗୋଟିଏ ଦିନରେ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ଏକ ସଂଗରେ ପରୀକ୍ଷା କେନ୍ଦ୍ରକୁ ଆସିବାକୁ ପଡ଼ିବ ନାହିଁ ଏବଂ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ପକ୍ଷରୁ ପରୀକ୍ଷା କେନ୍ଦ୍ରଗୁଡ଼ିକର ଠିକ୍ ଭାବରେ ସାନିଟାଇଜ୍ କରିବା ନିମନ୍ତେ ଅନ୍ତତଃ ପକ୍ଷେ ଗୋଟିଏ ଦିନ ଲେଖାଏଁ ବ୍ୟବଧାନ ପାଇବେ ସେଥି ନିମନ୍ତେ ସମୟସୀମା ବୃଦ୍ଧିର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ୟୁଜି ଓ ପିଜି ଶେଷବର୍ଷ/ଫାଇନାଲ୍ ସେମିଷ୍ଟାର ପରୀକ୍ଷାର ସମୟସୀମା ସେପ୍ଟେମ୍ବର ୩୦ରୁ ଅକ୍ଟୋବର୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ନିମନ୍ତେ ୟୁଜିସି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।














