ଓଡ଼ିଶା ତାଜା ନିୟୁଜ୍ (୩୦ ଅଗଷ୍ଟ ରବିବାର ) ନୂଆଦିଲ୍ଲୀ /ରାଞ୍ଚି :– ଓଡ଼ିଶାର ‘ବିଚ୍ଛିନ୍ନାଞ୍ଚଳ ମଞ୍ଚ’ ତରଫରୁ ‘ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଲୋକ, ଭାଷା ଓ ସଂସ୍କୃତିର ସମସ୍ୟା ଓ ସମ୍ଭାବନା’ ବିଷୟରେ ଏକ ଅନଲାଇନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି I ବିଚ୍ଛିନ୍ନାଞ୍ଚଳରେ ରୁଚି ରଖୁଥିବା ଦେଶ ବିଦେଶର ୩୦ ଜଣ ଓଡ଼ିଆ ଏଥିରେ ଭାଗ ନେଇଥିଲେ I ଦେଶର ବିଭିନ୍ନ ବିଚ୍ଛିନ୍ନାଞ୍ଚଳରେ ରହିଥିବା ଓଡ଼ିଆମାନଙ୍କ ସହ ସମ୍ପର୍କ ଓ ସହଯୋଗ ବଢ଼ାଇବା ପାଇଁ ଗଠିତ ‘ବିଚ୍ଛିନ୍ନାଞ୍ଚଳ ମଞ୍ଚ’ର ଏହି ପ୍ରଥମ ଆଲୋଚନାଚକ୍ରର ଆରମ୍ଭରେ ପ୍ରତିଭାଗୀମାନେ ପୁରାତନ ଗଡଜାତର ରାଜା ସ୍ବର୍ଗତଃ ପ୍ରଦୀପ ଚନ୍ଦ୍ର ସିଂହଦେଓ ଓ ଜାମଶେଦପୁରର ସକ୍ରିୟ ଓ ଲୋକପ୍ରେମୀ ସଚ୍ଚିଦାନନ୍ଦ ଦାଶଙ୍କ ସ୍ମୃତିରେ ଏକ ମିନଟ ନୀରବ ପ୍ରାର୍ଥନା କରିଥିଲେ I
ଏହା ପରେ ବିଚ୍ଛିନ୍ନାଞ୍ଚଳ ମଞ୍ଚର ପ୍ରତିଷ୍ଠାତା ସୁପ୍ରିମ କୋର୍ଟର ଆଇନଜୀବୀ ଶ୍ରୀ ସଂଜୀବ ମହାନ୍ତି ଓ ବିଶ୍ବ ବ୍ୟାଙ୍କର ବରିଷ୍ଠ ଶିକ୍ଷା ପରାମର୍ଶଦାତା ଶ୍ରୀ ବିନୟ ପଟ୍ଟନାୟକ ବିଚ୍ଛିନ୍ନାଞ୍ଚଳ ମଞ୍ଚର ଲକ୍ଷ୍ୟ ଓ ପ୍ରଚେଷ୍ଠା ସହିତ ଆଲୋଚନାଚକ୍ରଟିର ଉଦ୍ଦେଶ୍ୟ ସହିତ ସମସ୍ତଙ୍କୁ ପରିଚିତ କରାଇଥିଲେ I ଏହାପରେ ଝାଡ଼ଖଣ୍ଡରୁ ଶ୍ରୀ ସରୋଜ ପ୍ରଧାନ, ଆନ୍ଧ୍ର ପ୍ରଦେଶରୁ ଶ୍ରୀ ସତ୍ୟ ନାରାୟଣ ପାଢ଼ୀ, ପଶ୍ଚିମବଙ୍ଗରୁ ଶ୍ରୀ ସୁଭାଷ ବେରା ଓ ଛତିଶଗଡରୁ ଶ୍ରୀ କ୍ଷମା ସାଗର ଭୋଇ ନିଜ ରାଜ୍ୟର ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଲୋକ, ଭାଷା ଓ ସଂସ୍କୃତିର ପ୍ରସାରଣରେ ରହିଥିବା ସମସ୍ୟା, ଉଦ୍ୟମରତ ସଂସ୍ଥା ଓ ବ୍ୟକ୍ତି, ଓଡିଶା ସରକାରଙ୍କ ସହଯୋଗ, ଓଡ଼ିଆଙ୍କ ସ୍ଥିତି ଓ କ’ଣ ସହଯୋଗ ଆବଶ୍ୟକ, ଆଦି ବିଷୟରେ ବିସ୍ତୃତ ଭାବରେ ବୁଝାଇଲେ I
ଏ ସବୁ ବିଷୟରେ ଖୋଲା ଆଲୋଚନା ସମୟରେ ଅନେକ ବୁଦ୍ଧିଜୀବୀ ସେମାନଙ୍କ ମତାମତ ରଖିଲେ I ବିଚ୍ଛିନ୍ନାଞ୍ଚଳକୁ ଓଡ଼ିଆଞ୍ଚଳ ରୂପେ ଦେଖିବା, ଓଡିଶା ସରକାରଙ୍କ ପ୍ରସ୍ତାବିତ ବିଧାନ ପରିଷଦରେ ବିଚ୍ଛିନ୍ନାଞ୍ଚଳରୁ ସଦସ୍ୟଙ୍କୁ ସ୍ଥାନ ଦେବା, ବିଭିନ୍ନ ରାଜ୍ୟର ସରକାରଙ୍କ ସହ ଆଲୋଚନା କରି ଓଡ଼ିଆ ଲୋକ, ଭାଷା ଓ ସଂସ୍କୃତିକୁ ସୁରକ୍ଷା ଓ ସାହାଯ୍ୟ ଦେବା, ଓଡ଼ିଆ ଭାଷାରେ ପାଠ୍ୟ ପୁସ୍ତକ ଓ ଅନ୍ୟ ପଠନ ସାମଗ୍ରୀ ବନାଇ ଓଡ଼ିଆ ଭାଷାରେ ଶିକ୍ଷା ଦେବା, ସାଂସ୍କୃତିକ ଭାବ ବିନିମୟ ବଢ଼ାଇବା, ନିୟମିତ କିଛି ସମ୍ମିଳିତ କାର୍ଯ୍ୟକ୍ରମ ଆୟୋଜନ କରିବା, ଆଦି ପ୍ରସ୍ତାବ ଦେଇଥିଲେ I
ଆଲୋଚନାଚକ୍ରରେ ସିଙ୍ଗାପୁରରୁ ଶରତ ମହାନ୍ତି, ଦିଲ୍ଲୀରୁ ଦିଲ୍ଲୀପ କୁମାର ଚୌଧୁରୀ, ଜାମଶେଦପୁରର ଗୋଲାମୁରି ଓଡ଼ିଆ ସମାଜର ଡ଼. ଉତ୍ପଳା ଦାଶ, ଅଧକ୍ଷ୍ୟା ଡ଼. ତନୁଶ୍ରୀ ପତ୍ରୀ, ଆଦିତ୍ୟପୁର ଓଡ଼ିଆ ବିଦ୍ୟାଳୟର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ପ୍ରଧାନ, ଭୁବନେଶ୍ବରରୁ ନିହାର ଶତପଥୀ, ଚକ୍ରଧରପୁରରୁ ଡ଼. ଗୌରୀଶଙ୍କର ମିଶ୍ର, ଓଡିଶାରୁ ଡଃ. ଦେବାଶିଷ ଜ୍ୟେଷ୍ଠୀ, କନ୍ଧମାଳରୁ ବରିଷ୍ଠ ଆଇନଜୀବୀ ବିଜୟ ପଟ୍ଟନାୟକ, କେନ୍ଦୁଝରରୁ ଡଃ. ଲକ୍ଷ୍ମୀକାନ୍ତ ମହାନ୍ତି, ପାର୍ଥସାରଥୀ, ଆଦି ସକ୍ରିୟ ଭାଗ ନେଇଥିଲେ I ଶ୍ରୀ ବିନୟ ପଟ୍ଟନାୟକ ଆଲୋଚନାଚକ୍ରଟିର ସଂଯୋଜନା କରିଥିଲେ I ଶେଷରେ ସମସ୍ତେ ‘ବନ୍ଦେ ଉତ୍କଳ ଜନନୀ’ ଗାଇଥିଲେ I