No Result
View All Result
ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନଙ୍କ ଦାୟିତ୍ୱହୀନ ମନ୍ତବ୍ୟ ସମସ୍ୟାକୁ ଜଟିଳ କରିଛି
ଘଟଣା ପୂର୍ବରୁ ମାଣ୍ଡିପଙ୍କା ଗାଁରେ ରାସନ ବଣ୍ଟନ ହୋଇନଥିଲା
ସରକାର ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଛନ୍ତି
୪ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> କନ୍ଧମାଳ ଅଞ୍ଚଳର ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗାଁରେ ଆମ୍ୱ ଟାକୁଆ ଯାଉ ଖାଇ ଦୁଇ ଜଣ ମହିଳା ମୃତ୍ୟୁବରଣ କରିଥିବା ଓ ଛଅ ଜଣ ମହିଳା ଗୁରୁତର ହୋଇଥିବା ଘଟଣାରେ ରାଜ୍ୟ ସରକାରଙ୍କ ପିଡିଏସ୍ ବଣ୍ଟନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଯୋଗୁଁ ଏଭଳି ଅଭାବନୀୟ ସ୍ଥିତି ଉପୁଜିଲା ବୋଲି ବିଜେଡି ତରଫରୁ କୁହାଯାଇଛି । ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ମୁଖପାତ୍ର ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ନିୟମ ଅନୁଯାୟୀ ରାଜ୍ୟରେ ରାସନ ବଣ୍ଟନର ସୁଷମ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ ।
ଉଲ୍ଲେଖଯୋଗ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ବ୍ୟତୀତ ରାଜ୍ୟରେ ନବୀନ ସରକାରଙ୍କ ଦ୍ୱାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରାଯାଇଛି, ଯାହା ମାଧ୍ୟମରେ ଅଧିକ ପଚିଶ ଲକ୍ଷ ଲୋକଙ୍କୁ ମୁଣ୍ଡ ପିଛା ପାଞ୍ଚ କେଜି ଚାଉଳ ପ୍ରତି ମାସ ପ୍ରଦାନ କରାଯାଉଛି । ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା ଅନୁଯାୟୀ ତିନି ମାସର ରାସନ ବଣ୍ଟନ ପାଇଁ ୨୭ ସେପ୍ଟେମ୍ୱର ଦିନ ଅର୍ଡର ବାହାରି ଥିଲା, ଯାହା ପଚିଶ ଦିନ ଭିତରେ ବଣ୍ଟନ କାର୍ଯ୍ୟ ଶେଷ ହେବା କଥା । କିନ୍ତୁ, ଏକ ମାସରୁ ଉର୍ଦ୍ଧ୍ୱ ବିତି ଯାଇଥିଲେ ମଧ୍ୟ ମାଣ୍ଡିପଙ୍କା ଅଞ୍ଚଳରେ ଏହି ରାସନ ବଣ୍ଟନ କରାଯାଇ ନଥିଲା । ଏହି ଘଟଣା ଘଟିଯିବା ପରେ ତରବରିଆ ଭାବେ ୨ ନଭେମ୍ୱର ଦିନ ରାସନ ବଣ୍ଟନ କରାଯାଇଥିଲା ।
ରାସନ ବଣ୍ଟନ ହୋଇପାରି ନଥିବା କଥାକୁ ଜିଲ୍ଲାପାଳ ସ୍ୱୀକାର କରିଛନ୍ତି ବୋଲି ଶ୍ରୀ ଦାସବର୍ମା କହିଥିଲେ । ଶ୍ରୀ ଦାସବର୍ମା କହିଲେ, ଏହି ସମ୍ୱେଦନଶୀଳ ଘଟଣାରେ ରାଜ୍ୟ ସରକାର ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ପରିବର୍ତ୍ତେ ଅତ୍ୟନ୍ତ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିଲେ । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆମ୍ୱଟାକୁଆ ସେ ଅଞ୍ଚଳର ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିଥିଲେ ।
ସେହିପରି, ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମଧ୍ୟ ଆମ୍ୱଟାକୁଆ ସେହି ଅଞ୍ଚଳର ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିବା ସହ ଘଟଣା ଘଟିଲା ବେଳେ ଏହି ଘଟଣାରେ ମୃତାହତ ହୋଇଥିବା ଲୋକଙ୍କ ଘରେ ପର୍ଯ୍ୟାପ୍ତ ପରିମାଣରେ ଚାଉଳ ଥିଲା ବୋଲି ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ତାଙ୍କର ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ରାଜ୍ୟବାସୀଙ୍କ ସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଶ୍ରୀ ଦାସବର୍ମା ଦାବି କରିଥିଲେ ।
No Result
View All Result