No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲାର ଅନ୍ୟତମ ପୁରାତନ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ର ବିକାଶ ନିମନ୍ତେ ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ଓ ସରୋଜ ସାହୁଙ୍କ ସଂଯୋଜନାକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଣ୍ଢେଇ କାରିଗର ବାସନ୍ତୀ ଦେଇ ତଥା ସରୋଜିନୀ ପଲେଇ କଣ୍ଢେଇ ପ୍ରସ୍ତୁତି ଶୈଳୀ ଏବଂ ଚିତ୍ରଶିଳ୍ପୀ ହରିବନ୍ଧୁ ଦାସ ମାଟି ଖେଳନା ପ୍ରସ୍ତୁତି ର ଶୈଳୀ ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷିତ କରାଇଥିଲେ।

ଦ୍ଵିତୀୟ ଦିବସରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ବାର୍ଷିକ ଉତ୍ସବ। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଇଟାମାଟିର ସରପଞ୍ଚ ସ୍ୱପ୍ନେଶ୍ୱରୀ ସେଠୀ ଏବଂ ସମ୍ମାନିତ ଅତିଥି ରୂପେ ପୁରାତନ ଛାତ୍ର ସଂଗଠନର ସଭାପତି ଶରତ କୁମାର ସାହୁ, ଏସ୍ ଏମ୍ ସି ଚେୟାରମ୍ୟାନ ଚନ୍ଦ୍ରମଣି ପ୍ରଧାନ, ସି ଆର୍ ସି ସି ସନ୍ତୋଷ କୁମାର ସାହୁ, ପୁରାତନ ଛାତ୍ର ସଂଗଠନ ସଂପାଦକ ଜଗନ୍ନାଥ ଦାସ, ପ୍ରାଧ୍ୟାପକ ରଂଗନାଥ ବେହେରା,

ସମାଜସେବୀ ଉମେଶ ପଟ୍ଟନାୟକ, ଶିକ୍ଷାବିତ୍ କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶରେ ବିଦ୍ୟାଳୟ,ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା ଶିକ୍ଷୟତ୍ରୀ ହରପ୍ରିୟା ଦ୍ୱିବେଦୀ ଓ ଶୁଭଲକ୍ଷ୍ମୀ ସାହୁ କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ୬୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ସଂଗୀତ ଏବଂ ନୃତ୍ୟ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଶିତ ହୋଇଥିଲା । ଧନ୍ୟବାଦ ପ୍ରଦାନ କରିଥିଲେ ଶିକ୍ଷକ ଶୁଭେନ୍ଦୁ କୁମାର ବିଶ୍ବାଳ ।


No Result
View All Result