ବରଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ଇଥାନଲ ପ୍ରକଳ୍ପରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ପାଇଁ ଆଜି ସଂସଦରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏହି ଦାବି କରିଛନ୍ତି । ବରଗଡ଼ ଜିଲ୍ଲାରେ ଅନେକ ବେକାର ଯୁବକ ଯୁବତୀ ଅଛନ୍ତି । ଏହି ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିଲେ ଅନେକ ଯୁବକ ଯୁବତୀ ଚାକିରି ପାଇବା ସହ ରୋଜଗାରକ୍ଷମ ହୋଇପାରିବେ । ଏହାସହ ଲାଞ୍ଚ ନ ନେଇ ନିଯୁକ୍ତି କରାଯାଉ ବୋଲି ସଂସଦରେ ଦାବି କରିଛନ୍ତି ବରଗଡ଼ ସାଂସଦ । ବରଗଡ଼ ଜିଲ୍ଲାରେ ୨୦୧୪ ପୂର୍ବରୁ କୌଣସି ଶିଳ୍ପାନୁଷ୍ଠାନ ନଥିଲା । ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ କ୍ରମେ ବରଗଡ଼ରେ ଇଥାନଲ ପ୍ରକଳ୍ପ ଗଢ଼ି ଉଠିଥିଲା ।
ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧ ହଜାର ୫୫୭ କୋଟି ଟଙ୍କା ବ୍ୟୟ କରୁଛନ୍ତି । ରାଜ୍ୟର ପୂର୍ବ ବିଜେଡି ସରକାର ସମୟରେ ଏହି ପ୍ରକଳ୍ପରେ ବାଧା ସୃଷ୍ଟି କରୁଥିଲା ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । ଏବେ ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଥିବାରୁ ପ୍ରକଳ୍ପ କାର୍ଯ୍ୟ ଖୁବଶୀଘ୍ର ଶେଷ ହୋଇ କାର୍ଯ୍ୟକ୍ଷମ ହେଉ ବୋଲି ଦାବି କରିଛନ୍ତି ବରଗଡ଼ ସାଂସଦ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓଡ଼ିଶା କୃଷି ଆଧାରିତ ଶିଳ୍ପକୁ ତ୍ୱରାନୀତ କରିବ । ୭୦ ଏକର ପରିମିତ ଯାଗାରେ ଏହି ପ୍ରକଳ୍ପ କରାଯାଉଛି । ଦୈନିକ ୨୦୦ କିଲୋମିଟର ଇଥାନଲ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି ।
୨୦୧୮ ମସିହାରେ ଭଟଲି ବାଉଲିସିଂହା ଗାଁରେ ଏହାର ଶୁଭ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାରଙ୍କ ବିପିସିଏଲ ୨-ଜି ଓ ୧-ଜି ସମନ୍ୱିତରେ ଅତ୍ୟାଧୁନିକ ଜୈବ ବିଶୋଧନାଗାର ପ୍ରତିଷ୍ଠା କରାଯାଉଛି । ନଷ୍ଟ ହୋଇଯାଉଥିବା ଧାନ ନଡ଼ା ବା କୁଟାର ବର୍ଜ୍ୟବସ୍ତୁକୁ ବ୍ୟବହାର କରାଯିବ । ଏହା ସିଧାସଳଖ ଚାଷୀଙ୍କଠାରୁ ସରକାର କିଣିବେ । ଫଳରେ ବରଗଡ଼, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ଛତିଶଗଡ଼ ଅଞ୍ଚଳର ଚାଷୀଙ୍କ ଆୟ ବଢ଼ିବ । ସବୁଠୁ ବଡ଼ କଥା ହେଲା ଏହି ବିଶୋଧନାଗାରରେ ୧୨୦୦ ଲୋକଙ୍କୁ ନିଯୁକ୍ତି ମଳିବ । ପ୍ରତିଦିନ ୮୫୦ ମେଟ୍ରିକ ଟନ୍ ଧାନ ନଡ଼ା ଆବଶ୍ୟକ ହେବ । ଏହାଦ୍ୱାରା ଜିଲ୍ଲାର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବ ।