No Result
View All Result
୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବରଗଡ :- ନରେନ୍ଦ୍ର ମୋଦୀ ପୂର୍ବ ଜନ୍ମରେ ଛତ୍ରପତି ଶିବାଜୀ ଥିଲେ । ସଂସଦର ବଜେଟ ଅଧିବେଶନରେ ସମ୍ବୋଧନ ସମୟରେ ଏଭଳି ଦାବି କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ପୂର୍ବଜନ୍ମରେ ପରମ ପରାକ୍ରମୀ ଛତ୍ରପତି ଶିବାଜୀ ଓ ଏଜନ୍ମରେ ନରେନ୍ଦ୍ର ମୋଦୀ ବୋଲି କହିଛନ୍ତି ଓଡ଼ିଶାର ଏହି ସାଂସଦ । ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼ରେ ରହୁଥିବା ଜଣେ ସାଧୁ, ଗିରିଜା ବାବାଙ୍କ ସହ ଆଲୋଚନା ବେଳେ ସେ କହିଥିଲେ ଯେ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବଜନ୍ମରେ ପରାକ୍ରମୀ ମରାଠା ରାଜା ଛତ୍ରପତି ଶିବାଜୀ ମହାରାଜାଙ୍କ ବ୍ୟତୀତ ଅନ୍ୟ କେହି ନୁହେଁ ।
ସଂସଦରେ ଏହି ଦାବିକୁ ରଖିଛନ୍ତି ପ୍ରଦୀପ ପୁରୋହିତ । ସଂସଦରେ ଦୃଢୋକ୍ତି ପ୍ରକାଶ କରି ପ୍ରଦୀପ ପୁରୋହିତ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ପ୍ରକୃତରେ ଶିବାଜୀ ମହାରାଜ, ଯିଏ ଦେଶକୁ ପ୍ରଗତି ଏବଂ ବିକାଶ ଦିଗରେ ଆଗେଇ ନେଉଛନ୍ତି । ବିକଶିତ ଭାରତ ଏବଂ ବିଶ୍ୱରେ ଭାରତକୁ ଶକ୍ତିଶାଳୀ ରାଷ୍ଟ୍ର ଗଢ଼ି ତୋଳିବାରେ ଯେଉଁ ସଙ୍କଳ୍ପ ନେଇ ପ୍ରଧାନମନ୍ତ୍ରୀ କାମ କରୁଛନ୍ତି, ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।
ଏହାସହ କେନ୍ଦ୍ର ରେଳମନ୍ତ୍ରୀ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ରେଳବାଇ କ୍ଷେତ୍ରରେ ଯେଉଁଭଳି କାମ କରୁଛନ୍ତି ସେଥିପାଇଁ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସାଂସଦ ପୁରୋହିତ । ଅଶ୍ୱିନୀ ବୈଷ୍ଣବ ଥରେ ସଂକଳ୍ପ ନେଇଗଲେ ସେ କାମ ସମ୍ପୂର୍ଣ୍ଣ କରିକି ଛାଡ଼ନ୍ତି । ୨୦୨୨ ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡି ସରକାର ରେଳମନ୍ତ୍ରୀଙ୍କୁ ଚାଲେଞ୍ଜ ଦେଇଥିଲା, ଦଶନ୍ଧି ଧରି ଯେଉଁ ଦାବି ରହିଛି, ବରଗଡ଼-ନୂଆପଡ଼ା ରେଳ ଲାଇନ କାମ କରିପାରିବେ କି? ସେତେବେଳେ ଅଶ୍ୱିନୀ ବୈଷ୍ଣବ କହିଥିଲେ, ଯେଉଁଦିନ ଓଡ଼ିଶା ସରକାର ଜମି ଦେବ, ସେହିଦିନ କାମ ଆରମ୍ଭ ହେବ ।
ରାଜ୍ୟରେ ସରକାର ପରିବର୍ତ୍ତନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜମି ଦେବାପରେ ଏବେ ୧୩୮ କିଲୋମିଟର ଟ୍ରେନ୍ ଲାଇନ୍ ପାଇଁ ୨୯୨୬ କୋଟି ଟଙ୍କା ମଂଜୁର ହୋଇଛି । ସେଥିପାଇଁ ସେ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବେ ଖୁବ ଗତିରେ ଏହି ପ୍ରକଳ୍ପ କାମ ଆଗେଇ ଚାଲିଛି । ୫୯ଟି ରେଳ ଷ୍ଟେସନ, ଶହେ ପ୍ରତିଶତ ବିଦୁ୍ୟତିକରଣ ଓ ଡବଲ ଟ୍ରାକ୍ କାମ ଶେଷ ହୋଇଛି । ୨୦୧୪ରେ ରେଳବାଇ କ୍ଷେତ୍ରରେ ୮୩୮ କୋଟି ଟଙ୍କା ରାଜ୍ୟକୁ ଅନୁଦାନ ମିଳିଥିବା ବେଳେ ଏବେ ୧୦ ହଜାର ୫୯୯ କୋଟି ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର ।
ଏହାସହ ଝାରସୁଗୁଡ଼ା ରେଳଲାଇନରେ ଦୀର୍ଘ ଦିନ ଧରି ସ୍ଥାନୀୟ ଲୋକମାନେ ଆନ୍ଦୋଳନ କରି ଆସୁଛନ୍ତି, ସେମାନଙ୍କ ଦାବି ପୂରଣ କରିବାକୁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସାଂସଦ । ସେହିଭଳି ସକାଳ ସମୟରେ ବରଗଡ଼ରୁ ଭୁବନେଶ୍ୱର ଏକ ଟ୍ରେନ ଯାତାୟତ, କରୋନା ସମୟରେ ବ୍ରଜରାଜନଗର, ବରଗଡ଼, ଅତାବିରାରେ ଅନେକ ଟ୍ରେନ୍ ଅଟକୁଥିବା ବେଳେ ଏବେ ଏଗୁଡିକ ରହଣୀ ବନ୍ଦ ହୋଇଯାଇଥିବାରୁ ପୁର୍ନବାର ରହଣୀ କରିବାକୁ ସେ ଦାବି କରିଛନ୍ତି । ବେଲପାହାଡ଼ ରେଳ ଷ୍ଟେସନରେ ଫ୍ଲାଏ ଓଭରବ୍ରିଜ୍ କାମ ବନ୍ଦ ହୋଇଯାଇଥିବାରୁ, ଖୁବଶୀଘ୍ର କାମ ଆରମ୍ଭ କରିବାକୁ ଅଶ୍ୱିନୀ ବୈଷ୍ଣବଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି ପ୍ରଦୀପ ପୁରୋହିତ ।
No Result
View All Result