No Result
View All Result
୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ସମୁଦ୍ରକୂଳେ ଓ ପୁରୀ ସହର ଚାରିପଟେ ପ୍ରାକୃତିକ ଉପାୟରେ ଗଢି ଉଠିଥିବା ବାଲିବନ୍ତ ଶେଷ ହେବାକୁ ବସିଲାଣି । କୋଣାର୍କ ଠାରୁ ବେଲେଶ୍ୱର, ନୂଆନଇ ଠାରୁ ଷ୍ଟର୍ଲିନ ମୁହାଣ ଠାରୁ ବାଲି ହରଚଣ୍ଡି ବନ୍ତ ପର୍ଯ୍ୟନ୍ତ ବାଲିମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି । ପ୍ରତିଦିନ ଦୁଇ ହଜାରରୁ ଉର୍ଦ୍ଧ୍ବ ଟ୍ରାକ୍ଟର ବାଲି ବୋହି ନେଉଥିବା ବିଭିନ୍ନ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି । ଧର୍ମକୁ ଆଖିଠାର ପରି ବିଭିନ୍ନ ଥାନା ଅଞ୍ଚଳରେ ଗୋଟିଏ ଦୁଇଟି ଟ୍ରାକ୍ଟର ଜବତ କରି ପ୍ରଚାର ପ୍ରସାର କରୁଥିବା ଘଟଣା ପରିବେଶବିତ ନାପସନ୍ଦ କରିଛନ୍ତି ।

ମଙ୍ଗଳଘାଟ ବ୍ରିଜ ଠାରୁ ଷ୍ଟର୍ଲିନ ମୁହାଣ ପର୍ଯ୍ୟନ୍ତ ବାଲିକୁଦ ଆଉ ଦେଖିବାକୁ ମିଳୁନାହିଁ । ଷ୍ଟର୍ଲିନ ବ୍ରିଜ ଆଳରେ ପ୍ରାୟ ୫ ହଜାର ଟ୍ରକ ବାଲି ସଫା ହୋଇଯାଇଥିବା ଶୁଣିବାକୁ ମିଳୁଛି । ହୁଡୁକୋ ରୋଡ ଦୁଇ ପାର୍ଶ୍ବ ଓ ଗିରଳ ସ୍ଲୁଲ ପଛ ପଟ ରାସ୍ତାରେ ପ୍ରତିଦିନ ରାତିରେ ଶହ ଶହ ଟ୍ରାକ୍ଟର ବାଲି ଚୋରାଚାଲାଣ ହେଉଥିବା ଅଞ୍ଚଳବାସୀ କହୁଛନ୍ତି । ଆଇଟିଆଇ ଛକ ଠାରୁ ଭୂଦାନ ଛକ, ଭୂଦାନ ଛକ ଠାରୁ ନୂଆନଇ ପର୍ଯ୍ୟନ୍ତ ଜଙ୍ଗଲ ଭିତରୁ ଖାଲ କରି ବାଲି ବୋହି ନେଇ ଯିବା ଫଳରେ ସେଠାରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଖଣି ଅଧିକାରୀ ଶୀତତାପ ନିୟନ୍ତ୍ରିତ ଘରେ ଜିଲ୍ଲାର ବିଭିନ୍ନ ଆଡେ ବାଲି ଚୋରି ରୋକିବାରେ ଅସମର୍ଥ ହେଉଥିବା ଅଭିଯୋଗ ହେଉଛି ।

ରାମଚଣ୍ଡୀ ଲିଆଖିଆ ବ୍ରିଜ ନିକଟରୁ ବାଲି ବୋହି ନେଇ ଯିବା ଫଳରେ ବ୍ରିଜ ଦୁର୍ବଳ ହେବା ସହ ନଦୀ ପାଣି ଜଙ୍ଗଲ ଭିତରକୁ ପ୍ରବେଶ କରୁଛି । ସଲା ସୁତରା ଓ ସାଲିସରେ ଚେକିଂ ଚାଲିଥିବାରୁ ବାଲିମାଫିଆ ମାନେ ଟ୍ରାକ୍ଟର ପ୍ରତି ବାଲି ଦର ବଢ଼ାଇ ଦେଲେଣି । ଏପରିକି ସମୁଦ୍ରକୂଳରୁ ମଧ୍ଯ ଅଖାରେ ବାଲି ଭର୍ତ୍ତି କରି ବିଭିନ୍ନ ଗୋଦାମରେ ଥିବା ନଦୀ ବାଲିରେ ମିଶିଯାଉଛି । ସମୁଦ୍ରକୂଳରୁ ବାଲିବନ୍ତ ଖୋଳା ଯିବାରୁ ସମୁଦ୍ରର ଉଚ୍ଚ ଜୁଆର ପୁରୀ ସହର ପ୍ରତି ବିପଦ ସୃଷ୍ଟି କରିବ ବୋଲି ପରିବେଶବିତ ମାନେ କହିଲେଣି । ତହସିଲ ଅଧିକାରୀ, ରାଜସ୍ବ ନିରୀକ୍ଷକ, ଖଣି ଅଧିକାରୀ ଓ ପୋଲିସ ନୀରବଦ୍ରଷ୍ଟା ପାଲଟିବାରୁ ବାଲିମାଫିଆଙ୍କ ଉତ୍ପାତ ବଢିବାରେ ଲାଗିଛି ।

ଦୀପ ତଳ ଅନ୍ଧାର ପରି ବିଭିନ୍ନ ଥାନା ନିକଟରୁ ମଧ୍ଯ ବାଲି ଚୋରି ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ କହୁଛନ୍ତି । ଏପରିକି କେତେକ ଟ୍ରାକ୍ଟର ର ଗାଡି ନମ୍ବର ନଥିବା ବେଳେ ଡ୍ରାଇଭରଙ୍କ ଡିଏଲ ନଥିବା ଅଭିଯୋଗ ହେଉଛି । କେବଳ ପ୍ରଚାର ପ୍ରସାର ପାଇଁ ବାଲି ଟ୍ରାକ୍ଟର ଜବତ କରାଯାଉଥିବା ବେଳେ ରାତିରେ ଅନେକ ଟ୍ରାକ୍ଟର ବୁଲୁଥିବା ଅଭିଯୋଗ ହେଉଛି । ଏଠାରେ ନିୟୋଜିତ ଖଣି ଅଧିକାରୀ ପୁରୀ ମହୁ ମିଠା ନୀତିରେ ଚୁପ ବସିଥିବା ଜନତା କହୁଛନ୍ତି । ସମୁଦ୍ରକୂଳ ଅଞ୍ଚଳରେ ବଡ ବଡ ହୋଟେଲ ନିର୍ମାଣ ଯୋଗୁ ସେଠାରୁ ଉତ୍ତୋଳନ ହେଉଥିବା ବାଲି ଯୋଗୁ ଭୂତଳରେ ଚାପ ସୃଷ୍ଟି ହେଉଛି । ସହରର ଚାରିପଟେ ହଜାର ହଜାର କୋଠାଘର ନିର୍ମାଣ ପାଇଁ ରାତାରାତି ହଜାର ହଜାର ଟ୍ରାକ୍ଟର ରଫ ବାଲି ବ୍ଯବହୃତ ହେଉଛି । ସେହି ରଫ ବାଲି କେଉଁଠୁ ଆସୁଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭିନ୍ନ ଥାନା ଅଞ୍ଚଳରେ ବାଲି ଚୋରାଚାଲାଣ ରୋକା ନଗଲେ ପୁରୀ ପ୍ରତି ମହାବିପତ ସୃଷ୍ଟି ହେବ ବୋଲି ପରିବେଶବିତ୍ ଭବିଷ୍ୟବାଣୀ କଲେଣି ।
No Result
View All Result