No Result
View All Result
୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାମନାଗୁଡା :- ଗୁଣପୁର ଥାନା ଅନ୍ତର୍ଗତ ଆଚବା ଗ୍ରାମ ନିକଟସ୍ଥ ଏକ ନାଳରୁ ଜଣେ ବିହାରୀ ଯୁବକଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୁଣପୁର ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ପ୍ରମୋଦ ମହାପାତ୍ର , ଯାଜଲ୍ୟ ପୂଜାରୀ , ଦୀପକ କୁମାର ପାଣିଗ୍ରାହୀ , ଅଜୟ କୁମାର ମହାପାତ୍ର ଏବଂ ପ୍ରମୋଦ କୁମାର ମହାପାତ୍ର ଓରଫ ମୋହନ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଗିରଫ ସମସ୍ତ ଅଭିଯୁକ୍ତଙ୍କ ଘର ଗୁଣପୁର ଏବଂ ଭାଲେରୀ ଗ୍ରାମର ବୋଲି ଜଣାପଡିଛି । ଗତ ୨୨ ତାରିଖ ଦିନ ଗୁଣପୁର ପୋଲିସ ଆଚବା ଗ୍ରାମ ନିକଟସ୍ଥ ନାଳରୁ ସୋନୁ ସିଂ ନାମକ ଜଣେ ବିହାରୀ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲା ।
ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ସାଇନଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଥିଲା । ଆଜି ଏହି ଘଟଣାର ପର୍ଦାଫାସ କରିଛି ଗୁଣପୁର ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଓ ଘଟଣାରେ ସମପୃକ୍ତି ଥିବା ଅନ୍ୟ ୫ ଜଣ ଯୁବକ ବିଲମ୍ବିତ ରାତିରେ ରାମନାଗୁଡା ବ୍ଲକ କୁଜେନ୍ଦରି ଅଂଚଳକୁ ଅଚଳ ହୋଇ ପଡିଥିବା ବିଦ୍ୟୁତ ତାର ଚୋରି କରିବାକୁ ଯାଇଥିଲେ । ଚୋରି କରିବା ସମୟରେ ସୋନୁ ସିଂ ନାମକ ଜଣେ ବିହାରୀ ଯୁବକ ବିଦ୍ୟୁତ ତାର ଷ୍ପଂଶରଶରେ ଆସିଯାଇ ଗୁରୁତର ହୋଇ ପଡ଼ିଥିଲେ ।
ଫଳରେ ସାଥିରେ ଥିବା ଅନ୍ୟ ସହଯୋଗୀମାନେ ଗୁରୁତର ଭାବେ ଆହତ ହୋଇଥିବା ସୋନୁ ସିଂଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଫେରିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ପ୍ରଘଟ ହୋଇଯିବା ସହ ପୋଲିସ ଭୟରେ ସହଯୋଗୀମାନେ ସୋନୁ ସିଂଙ୍କ ମୃତ ଦେହକୁ ଆଚବା ନାଳରେ ଫୋପାଡି ଦେଇ ଚାଲି ଆସିଥିଲେ । ପରେ ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା । ଭାରତୀୟ ନ୍ୟାୟ ସଂହିତା ଧାରା ୧୦୬ (୧) ୨୩୮ ,୩୦୩ (1) ୩ (୫) ଅନୁଯାୟୀ ୫ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଗୁଣପୁର ଥାନା ଅଧିକାରୀ ଉତମ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି ।
No Result
View All Result