No Result
View All Result
୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ବର :-> ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ, ଭୁବନେଶ୍ବର ଓ ଭାଗ୍ୟଜ୍ୟୋତି ପ୍ରକାଶନ, କଟକ ତରଫରୁ ଭୁବନେଶ୍ବରସ୍ଥ ଗୀତଗୋବିନ୍ଦ ସଦନ (ଜୟଦେବ ଭବନ)ରେ ଆଗାମୀ ସରସ୍ବତୀ ପୂଜାକୁ ନେଇ ଉପୁଜିଥିବା ମତଦ୍ବୈଧ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଅଧ୍ୟକ୍ଷତା କରିଥିଲେ । ଜ୍ୟୋତିର୍ବିଦ୍ୟା ବାଚସ୍ପତି ବୈକୁଣ୍ଠନାଥ ନାୟକ, ପଣ୍ଡିତ ଗୁରୁ ପ୍ରସାଦ ରଥ, ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ଗଣକ ଜ୍ୟୋତିର୍ବିଦ୍ୟା ବାରିଧି ଦୋଳଗୋବିନ୍ଦ ପଣ୍ଡା,
ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ତଥା ସ୍ତମ୍ଭକାର ଓ ପାଞ୍ଜି ସମୀକ୍ଷକ ପଣ୍ଡିତ ହରିଶଙ୍କର ମିଶ୍ର, ଜ୍ୟୋତିର୍ବିଦ୍ୟା ବାରିଧି ନାରାୟଣ ମଲ୍ଲିକ, ଭାଗ୍ୟଜ୍ୟୋତିର ଶ୍ରୀକ୍ଷେତ୍ର ଓ ପରମେଶ୍ବରୀ ପଞ୍ଜିକାର ପ୍ରକାଶକ ରଞ୍ଜନ କୁମାର ସେନାପତି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଲୋଚନାର ସାରାଂଶ ହେଲା ଉଦୟବ୍ୟାପିନୀ ପଞ୍ଚମୀ ତିଥିରେ ସରସ୍ବତୀ ପୂଜା ବା ବସନ୍ତ ପଞ୍ଚମୀ ପାଳନୀୟ । ପଞ୍ଚମୀ ତିଥି କ୍ଷୟ ହେଉ ନ ଥିଲେ ଉଦୟକାଳକୁ ଚତୁର୍ଥୀ ଥାଇ ପଞ୍ଚମୀ ତିଥିରେ ବା ପୂର୍ବବିଦ୍ଧା ତିଥିରେ ବସନ୍ତ ପଞ୍ଚମୀ କଦାପି ପାଳନୀୟ ନୁହେଁ। ବ୍ରହ୍ମବୈବର୍ତ୍ତ ପୁରାଣରେ ଅଛି- ପଞ୍ଚମୀ ତୁ ସଦା କାର୍ଯ୍ୟା ଷଷ୍ଠୀଯୁକ୍ତା ଚ ନାରଦ। 
ନ ଚତୁର୍ଥୀଯୁତା କାର୍ଯ୍ୟା ବସନ୍ତୋତ୍ସବ କର୍ମଣି । ଅର୍ଥାତ୍ ବସନ୍ତ ପଞ୍ଚମୀ ଷଷ୍ଠୀଯୁକ୍ତା (ପରବିଦ୍ଧା) ହେଲେ ହିଁ ପାଳନ ହୁଏ, କଦାପି ଚତୁର୍ଥୀଯୁକ୍ତା (ପୂର୍ବବିଦ୍ଧା)ରେ ପାଳନ ହୁଏ ନାହିଁ । ପୁନଶ୍ଚ ସ୍ମୃତିଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଯେଉଁ ତିଥିରେ ଉଦୟ ହୁଅନ୍ତି, ସେହି ତିଥି ସମସ୍ତ ଦେବପୂଜା ଓ ଅଧ୍ୟୟନ ଆଦି କାର୍ଯ୍ୟରେ ଗ୍ରହଣୀୟ । ଫେବ୍ରୁଆରି ୨ ତାରିଖ ରବିବାର ପୂର୍ବାହ୍ଣ ୯ଟା ୧୪ ପର୍ଯ୍ୟନ୍ତ ଚତୁର୍ଥୀ ଅଛି, ତା’ପରେ ପଞ୍ଚମୀ ଆରମ୍ଭ ହୋଇ ୩ ତାରିଖ ସୋମବାର ପୂର୍ବାହ୍ଣ ୬ଟା ୫୩ ପର୍ଯ୍ୟନ୍ତ ରହୁଛି ।
ପାଞ୍ଜିଭେଦରେ ଏହି ସମୟରେ ସାମାନ୍ୟ ଫରକ ଥିଲେ ବି ସବୁ ପାଞ୍ଜିରେ ଉଦୟବ୍ୟାପିନୀ ଓ ଷଷ୍ଠୀଯୁକ୍ତା ପଞ୍ଚମୀ ୩ ତାରିଖ ସୋମବାର ହିଁ ରହୁଛି । ଅତଏକ ୩ ତାରିଖରେ ପୂଜା ପାଳନୀୟ ବୋଲି ସବୁ ପଣ୍ଡିତ ଓ ପାଞ୍ଜିଗଣକ ମତ ରଖିଥିଲେ । ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦର ସଭାପତି ସହଦେବ ସାହୁ କହିଥିଲେ ଯେ, ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ବସନ୍ତପଞ୍ଚମୀର ଶାହୀ ସ୍ନାନ ଫେବ୍ରୁଆରି ୩ ତାରିଖରେ ହିଁ ଅଛି । ସାରା ଭାରତରେ ୩ ତାରିଖରେ ପାଳନ କରାଯାଉଥିବା ବେଳେ ଓଡ଼ିଶାରେ କେତେକ ପାରମ୍ପରିକ ପାଞ୍ଜି ଓ ମୁକ୍ତିମଣ୍ଡପ ପଣ୍ଡିତ ସଭା ଭୁଲ୍ ଦିନ ନିର୍ଦ୍ଧାରଣ କରି ଧର୍ମପ୍ରାଣ ଓଡ଼ିଆ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି ।

No Result
View All Result