ଓଡିଶା ତାଜା ନ୍ୟୁଜ୍ (୨୫ ଅଗଷ୍ଟ ମଙ୍ଗଳବାର) ହିଞ୍ଜିଳିକାଟୁ :– ହିଞ୍ଜିଳି ଥାନା କୋଳିଦାସପପୁର ଗ୍ରାମ ନିକଟସ୍ଥ ଋଶିକୂଲ୍ୟା ନଦୀରୁ ବେଅଅ୍ଧବନ ବାଲି ଚାଲାଣକୁ କେନ୍ଦ୍ର କରି ଶୁକ୍ରବାର ବିଳମ୍ବିତ ରାତିରେ ବାଲି ମାଫିଆ ଓ ଗ୍ରାମବାସୀଙ୍କ ମଧ୍ୟରେ ତୁମୁଳକାଣ୍ଡ ଘଟିଥିଲା । ଘଟଣା ପରେ ବାଲି ମାଫିଆ ମାନେ ଭୟରେ ଘଟଣା ସ୍ଥଳରୁ ଫେରାର ହେବା ପରେ କିଛି ଦୁବୃର୍ତ ନଦୀ ନିକଟରେ ଥିବା ୨ ମୋଟର ସାଇକେଲ, ଗୋଟିଏ ଟ୍ରାକ୍ଟର, ୩ଟି ଟ୍ରକକୁ ନିଆଁ ଲଗାଇ ଦେବା ସହ ଏକ ଜେସିବି ମେସିନକୁ ଭଙ୍ଗାରୁଜା କରିଥିଲେ । ଘଟଣା ନେଇ ରାମକୃଷ୍ଣ ବରଡ଼ଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ-୨୮୯/୨୦ରେ ଏକ ମାମଲା ରୁଜୁ କରି ପୁଲିସ ସଂପୃକ୍ତ ଗ୍ରାମର ୫ଜଣଙ୍କୁ ଥାନାରେ ଅଟକ ରଖିଥିଲା । ରବିବାର ସକାଳେ ସଂପୃକ୍ତ ଗ୍ରାମର ଶତାଧିକ ଲୋକେ ଥାନାରେ ଅଟକ ବ୍ୟକ୍ତିଙ୍କୁ ମୁକ୍ତ କରିବା ଓ ବାଲି ମାଫିଆଙ୍କୁ ଗିରଫ କରିବା ଦାବି ନେଇ ହିଞ୍ଜିଳି ଥାନା ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ । ବିକ୍ଷେଭାକାରୀଙ୍କୁ ଘଉଡ଼ାଇବା ସକାଶେ ପୁଲିସ ପ୍ରଶାସନ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା । ପୁଲିସର ଲାଠି ଚାର୍ଜରେ ୧୦ରୁ ଉର୍ଦ୍ଧ୍ୱ ବିକ୍ଷୋଭକାରୀ ଆହତ ହୋଇଥିଲେ । ପରେ ଗ୍ରାମର ଭଦ୍ରବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀଙ୍କ ସହମତିରେ ଆଲୋଚନା କରାଯାଇ ଥାନାରେ ଅଟକ ୫ ଜଣଙ୍କୁ ୪୧ ସିଆରପିସିରେ ମୁକ୍ତ କରାଯାଇଥିଲା ।
ଘଟଣାକୁ ନେଇ ପରବର୍ତି ସମୟରେ ରାଜନୈତିକ ବିବାଦ ଉପୁଜିବାରେ ଲାଗିଛି । ବିରୋଧୀ ବିଜେପି ଓ କଂଗ୍ରେସ ଘଟଣାକୁ ନେଇ ଶାସକ ବିଜେଡ଼ି ସ୍ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରିଛି । ରାଜ୍ୟ ବିଜେପି ମୁଖପାତ୍ର ଭୃଗୁ ବକ୍ସିପାତ୍ର , ଏଭଳି ସମ୍ବେଦନଶୀଳ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସକାଶେ ନିର୍ଦ୍ଦେଶ କରିବାକୁ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛନ୍ତି । ସେହିପରି ବିଜେପି ନେତା ରଞ୍ଜନ ପୋଲାଇଙ୍କ ତତ୍ୱାବଧାନରେ ଏକ ଟିମ୍ କୋଳିଦାସପୁର ଗ୍ରାମରେ ପଂହଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବାନନ୍ଦ ମହାପାତ୍ର ଓ ଶିଶିର ମିଶ୍ର ସଂପୃକ୍ତ ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ବାଲି ମାଫିଆ ମାନଙ୍କୁ ଗିରଫ କରିବାକୁ ଦାବି ଜଣାଇଛନ୍ତି । ଅନୁରୂପ ଭାବେ ବରିଷ୍ଟ କଂଗ୍ରେସ ନେତା ଶମ୍ଭୁ ପାଣିଗ୍ରାହୀ ଘଟଣା ନେଇ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଭୂମିକା ଲଜ୍ଜ୍ୟାଜନକ କହିବା ସହ ବାଲି ମାଫିଆଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି । ଅନ୍ୟପକ୍ଷରେ ଘଟଣାର ତଦନ୍ତ ଜାରି ରହିଛି ଏବଂ ଦୋଷୀଙ୍କ ବିରୋଧର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ( ରିପୋର୍ଟ- ଶେଷଦେବ ସାହୁ)