No Result
View All Result
ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୟୂରଝlଲିଆ, ଗୋପାଳପୁର, ଗୋଡିପଡା, କେଶପାନିଆ, ସରଣକୂଳ ଓ ଚଡେୟାପଲ୍ଲୀ ଠାରେ 2024-25 ବର୍ଷ ପାଇଁ ଖରିଫ ଧାନ ସଂଗ୍ରହ ବ୍ୟବସ୍ଥାର ଶୁଭାରମ୍ଭ କରୁଛନ୍ତି l
ଏପର୍ଯ୍ୟନ୍ତ ଏମଏସପି ବାବଦକୁ ୫୮୬୨ କୋଟି ଏବଂ ଇନ୍ପୁଟ ସହାୟତା ଭାବେ ୨୦୩୯ କୋଟି ଟଙ୍କା ପ୍ରଦାନ
୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନକିଣା ପ୍ରକ୍ରିୟା ବ୍ୟାପକ ହୋଇଛି । ପଞ୍ଜୀକୃତ ଚାଷୀମାନେ ଯେଭଳି ଏଥିରୁ ବାଦ ନ ପଡ଼ନ୍ତି, ଏଥି ନିମନ୍ତେ ସରକାରୀ ସ୍ତରରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତ୍ୟେକ ମଣ୍ଡିରେ ଚାଷୀମାନଙ୍କ ହିତ ପାଇଁ ଅଧିକାରୀମାନେ ନିଯୁକ୍ତ ହୋଇ ଧାନକିଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଧାନ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କ ଆକାଉଣ୍ଟକୁ ସେମାନଙ୍କ ଧାନକିଣା ରାଶି ପ୍ରଦାନ କରାଯାଉଛି । ବର୍ତ୍ତମାନ ୨୭ଟି ଜିଲ୍ଲାରେ ଧାନକିଣା ଜାରି ରହିଛି ।
ଆଜି ସୁଦ୍ଧା ଅନୁଗୋଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବଲାଙ୍ଗିର, ବୌଦ୍ଧ, କଟକ, ଦେବଗଡ଼, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେଉଁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ,ମୟୂରଝlଲିଆ, ଗୋପାଳପୁର, ଗୋଡିପଡା, କେଶପାନିଆ,
ସରଣକୂଳ ଓ ଚଡେୟାପଲ୍ଲୀ ଆଦି ଜିଲ୍ଲାର ୫ ଲକ୍ଷ ୩୪ ହଜାର ୪୧୦ ଜଣ ଚାଷୀଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟକ ମୂଲ୍ୟ ସହ ଇନ୍ପୁଟ ସହାୟତା ପ୍ରଦାନ କରାଯାଇଛି । ଏହି ମର୍ମରେ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ପ୍ରାୟ ୫୮୬୨ କୋଟି ଏବଂ ଇନ୍ପୁଟ ସହାୟତା ବାବଦକୁ ପ୍ରାୟ ୨୦୩୯ କୋଟି ଟଙ୍କା ଏ ପର୍ଯ୍ୟନ୍ତ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ବିଭିନ୍ନ ସରକାରୀ ଛୁଟି ଓ ରବିବାର ଗୁଡିକରେ ମଧ୍ୟ ଏହି ରାଶି ପ୍ରଦାନ ନିମନ୍ତେ ପ୍ରକ୍ରିୟା ଜାରି ରହୁଛି ।
୪୮ ଘଣ୍ଟା ମଧ୍ୟରେ ଚାଷୀ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ସର୍ବନିମ୍ନ ସହାୟତା ମୂଲ୍ୟ ଏବଂ ଇନପୁଟ୍ ସହାୟତା ପ୍ରଦାନ ପାଇଁ ଏକ ତ୍ରିସ୍ତରୀୟ ପ୍ରକ୍ରିୟା କାର୍ଯ୍ୟକ୍ଷମ କରାଯାଇଛି । ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ମାର୍ଗଦର୍ଶିକା ଜାରି କରାଯାଇଛି ଯେଉଁଥିରେ ସରକାରଙ୍କ ବୈଷୟିକ ବିଶେଷଜ୍ଞ ଏବଂ ଅଧିକାରୀଙ୍କ ଏକ ଟିମ୍ ୨୪ ଘଣ୍ଟା ଭିତ୍ତିରେ ନିରନ୍ତର କାର୍ଯ୍ୟ କରୁଛନ୍ତି । ସରକାର ନିର୍ଦ୍ଧାରିତ ସମୟ ମଧ୍ୟରେ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ଏକ ୧୫ ଜଣିଆ ବୈଷୟିକ ଟିମ ନିୟୋଜିତ ହୋଇଛନ୍ତି।
ସେମାନେ ଦୁଇଟି ଦଫାରେ କାର୍ଯ୍ୟ କରି ଧାନ କିଣା ଉପରେ ନଜର ରଖୁଛନ୍ତି । ବୈଷୟିକ ଦଳ ଦ୍ୱାରା ଧାନ କ୍ରୟ ପୂର୍ବରୁ ପବ୍ଲିକ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ (ପିଏଫଏମଏସ) ପ୍ଲାଟଫର୍ମ ଜରିଆରେ ବ୍ୟାଙ୍କ ଖାତା ପଞ୍ଜୀକରଣ ସୁନିଶ୍ଚିତ କରିବା ସହ ଏହାକୁ ଯାଞ୍ଚ କରାଯାଉଛି ।
ଏଥିପାଇଁ ସରକାର ବ୍ୟାଙ୍କଗୁଡିକ ସହ ସମନ୍ୱୟ ରକ୍ଷା କରି ଦୈନିକ ଦେୟ ପ୍ରଦାନ କରିବା ପାଇଁ ଏକ ସୁରକ୍ଷିତ ପ୍ଲାଟଫର୍ମ ପ୍ରସ୍ତୁତ କରିଛନ୍ତି । ରାଜ୍ୟ କଲ୍ ସେଣ୍ଟର ଜରିଆରେ ପଞ୍ଜିକୃତ ପ୍ରତ୍ୟେକ ଚାଷୀଙ୍କୁ ଦେୟ ପ୍ରଦାନ ସଂପର୍କିତ ଚାଷୀ ମାନଙ୍କ ମତାମତ ଉପରେ ମଧ୍ୟ ନଜର ରଖାଯାଉଛି ।
No Result
View All Result