୧୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭାପୁର :- ଭାପୁର ବ୍ଲକ ଗୋଳାପୋଖରୀ ପଞ୍ଚାୟତ ନୀଳକଣ୍ଠ ପ୍ରସାଦ ଗ୍ରାମର ଜଣେ ଯୁବକ ବାଇକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ ତା’ର ସାଙ୍ଗ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ପୁଲିସ ସୁତ୍ରରୁ ପ୍ରକାଶ, ନୀଳକଣ୍ଠ ପ୍ରସାଦ ଗ୍ରାମର ଶଶୀଧର ବେହେରାଙ୍କ ପୁଅ ତ୍ରିନାଥ ବେହେରା (୨୨) ଓ ବଡସହରା ଗ୍ରାମର ବୈରାଗୀ ପ୍ରଧାନଙ୍କ ପୁଅ ରାଜୁ ପ୍ରଧାନ (୨୧) ଉଭୟ ସୁରଟରେ ରହି ଏକ କମ୍ପାନୀରେ ମିଶି କାମ କରନ୍ତି। ଭାପୁର ମହୋତ୍ସବକୁ ବୁଲିବା ପାଇଁ ଉଭୟେ ମିଶି ସୋମବାର ସଂଧ୍ୟାରେ ଆସିଥିଲେ।

ଉଭୟେ ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ବୁଲାବୁଲି କରି ବିଳମ୍ବିତ ରାତିରେ ନିଜ ଗ୍ରାମକୁ ବାଇକ୍ ଯୋଗେ ଫେରିଥିଲେ। ଫେରିବା ସମୟରେ ଭାପୁର – ଗୋଳାପୋଖରି ରାସ୍ତର ପୋଖରୀ ନିକଟରେ ଥିବା ଏକ ତଳ ଗଛ ସହ ବାଇକଟି ପିଟି ହୋଇଯିବା ଫଳରେ ବାଇକଟି ଭାଙ୍ଗି ଯିବା ସହ ଉଭୟେ ରାସ୍ତାରେ ଛିଟିକି ପଡି ଦୁର୍ଘଟଣାର ଶିକାର ହୋଇଥିଲେ। ମହୋତ୍ସବ ଦେଖି ଘରକୁ ଫେରୁଥିବା ଗ୍ରାମବାସୀ ଦୁର୍ଘଟଣାରେ ଶିକାର ହୋଇଥିବା ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଭାପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକତ୍ସା ପାଇଁ ଭର୍ତି କରିଥିଲେ।

ମାତ୍ର, ସେଠାରେ କାର୍ଯ୍ୟରତ ଡାକ୍ତର ଉଭୟଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ତ୍ରିନାଥକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ରାଜୁର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା କରି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନତରିତ କରିଥିଲେ। ଖବର ପାଇ ଭାପୁର ବିଟ୍ ହାଉସ୍ ଅଧିକାରୀ ସଞ୍ଜୟ କୁମାର ପରିଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତ୍ରିନାଥର ଶବକୁ ଜବତ କରିବା ସହ ଦୁର୍ଘଟଣା ସ୍ଥଳରୁ ଗାଡିକୁ ଜବତ କରିଥିଲେ।















