ଓଡିଶା ତାଜା ନ୍ୟୁଜ୍ (୨୪ ଅଗଷ୍ଟ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଜଗପତି କାର୍ଯୀ ଗତ ପ୍ରାୟ ୪୦ବର୍ଷ ତଳେ ପେଟପାଟଣା ପାଇଁ ଅରୁଣାଞ୍ଚଳ ପ୍ରଦେଶକୁ କାର୍ଯ୍ୟ କରିବାପାଇଁ ଯାଇଥିଲେ । କିନ୍ତୁ କିଛି ଦିନ କାର୍ଯ୍ୟ କଲାପରେ କୌଣସି କାରଣ ଯୋଗୁଁ ଉକ୍ତ କମ୍ପାନୀ ବନ୍ଦ ହୋଇଯିବା ପରେ ସେଠାରେ ରହିଥିଲେ । ହେଲେ ସେ କେଉଁ ଠାରେ ଅଛନ୍ତି ଓ କିପରି ଅଛନ୍ତି ତାହା ତାଙ୍କ ନିଜ ଲୋକଙ୍କ ପାଖରେ କୌଣସି ଖବର ନ ଥିଲା । ତାଙ୍କ ସନ୍ଧାନ ପାଇଁ ପରିବାର ବର୍ଗ ବହୁ ଚେଷ୍ଟା ଜାରି ରଖିଥିଲେ । ପରିଶେଷରେ ଗଜପତି ପ୍ରଶାସନ ବର୍ତ୍ତମାନ ତାଙ୍କୁ ଗଜପତିକୁ ଫେରାଇ ଆଣୁଥିବା ପ୍ରଶାସନ ପକ୍ଷରୁ ସୁଚନା ମିଳିଛି । ଘଟଣାରୁ ପ୍ରକାଶ, ତାଙ୍କ ପ୍ରକୃତ ନାମ ହେଉଛି ଦୟା ଭୂୟାଁ ।
ସେ ସ୍ୱର୍ଗତ ମମତା ଭୂୟାଁଙ୍କ ପ୍ରଥମ ପୁଅ ଏବଂ ଘର ହେଉଛି ରାୟଗଡ ବ୍ଲକର ତାଳମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଆବାରସିଂ ଗ୍ରାମ । ଜଗପତିଙ୍କ ବାପା,ମାଆ ବର୍ତ୍ତମାନ ନାହାନ୍ତି । କିନ୍ତୁ ତାଙ୍କ ଭାଇ ଶୁକୁ ଭୂୟାଁ ଏବଂ ଭଉଣୀ ମଙ୍ଗୁଳୁ ଭୂୟାଁ ଆବାରସିଂ ଗ୍ରାମରେ ବସବାସ କରନ୍ତି । କିନ୍ତୁ ଜଗପତି ବର୍ତ୍ତମାନ ଅରୁଣାଞ୍ଚଳ ପ୍ରଦେଶର ଲୋୟର ସୁବାସିନୀ ଜିଲାରେ ଥିବା ଏକ ଜିରୋ ମାର୍କେଟରେ ଏକାକୀ ବାସ କରୁଛନ୍ତି । ଲକ୍ଡାଉନ୍ ସମୟରେ ଏବଂ ବୃଦ୍ଧାବସ୍ଥା ଯୋଗୁଁ ସେଠାକାର ଜଣେ ଶିକ୍ଷକ ରୁଗୁ ଆମ୍ମା ତାଙ୍କୁ ନିୟମିତ ଖାଇବାକୁ ଦେବା ସମୟରେ ଜଗପତିଙ୍କ ପରିଚୟ ଜାଣିବାକୁ ପାଇଥିଲେ ।
ତାପରେ ଶିକ୍ଷକ ଜଣଙ୍କ ତାଙ୍କୁ ଭିଡିଓ ବନାଇ ସୋସିଏଲ ମିଡିଆରେ ଭାଇରାଲ କରିଥିଲେ । ଶିକ୍ଷକଙ୍କ କହିବା ଅନୁସାରେ ଜଙ୍ଗଲରୁ କାଠ ସଂଗ୍ରହକରି ଏବଂ ଜଙ୍ଗଲରେଥିବା ଏକ ଛୋଟିଆ ପାହାଡ ଉପରେ ଘର କରି ଜଗପତି ଗୁଜୁରାଣ ମେଣ୍ଟାଉଥିଲେ । ସେ ସେଠାକାର ଜଙ୍ଗଲ, ପାହାଡ ଏବଂ ଝରଣାକୁ ଭଲପାଉଥିଲେ । ଏ ଗୁଡିକ ସେହି ଭାଇରଲ ଭିଡିଓ ଦ୍ୱାରା ଗୋଟିଏ ପଟେ ଓଡିଶାର ବିଭିନ୍ନ ଗଣମାଧ୍ୟମ ପ୍ରସାରଣ କରିବା ପରେ ଗଜପତି ଜିଲ୍ଲା ର ପୂର୍ବତନ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମଧ୍ୟ ପ୍ରଶାସନକୁ ସୂଚନା ଦେଇଥିଲେ ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହାଙ୍କ ନେତୃତ୍ୱରେ ଏବଂ ଶ୍ରମ ଅଧିକାରୀ ସୁବାଷ ଚନ୍ଦ୍ର ମଣ୍ଡଳଙ୍କ ମାଧ୍ୟମରେ ଜଗପତି କାର୍ଯୀଙ୍କ ଠିକଣା ଅନୁଯାୟୀ ତାଙ୍କୁ ଚିହ୍ନଟ କରାଯାଇଥିଲା । ବର୍ତ୍ତମାନ ଗଜପତି ଜିଲ୍ଲା ପ୍ରାଶାନ ପକ୍ଷରୁ ଜିଲ୍ଲାକୁ ଫେରାଇ ଆଣିବା ପାଇଁ ଶ୍ରମ ଅଧିକାରୀ ଏବଂ ତାଙ୍କ ପୁତୁରା ମୁକୁନ୍ଦି ଭୂୟାଁ ଅରୁଞ୍ଚାଳ ପ୍ରଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଜିଲା ଶ୍ରମ ଅଧିକାରୀଙ୍କ କହିବା ଅନୁସାରେ ସେମାନେ ଅରୁଞ୍ଚାଳ ପ୍ରଦେଶର ସୀମାରେଥିବା ଆସାମର ଶୀଲାପୁର ବିମାନ ଘାଟିରେ ପହଞ୍ଚି ଅରୁଞ୍ଚାଳ ପ୍ରଦେଶରୁ ଫେରାଇ ଆଣିବେ । ଅନ୍ୟପଟେ ତାଙ୍କ ଭାଇ ସୁକୁ ଭୂୟାଁଙ୍କ କହିବା ଅନୁସାରେ ଜଗପତି କାର୍ଯୀ ଗାଁକୁ ଫେରିଲେ ଆମେ ତାଙ୍କୁ ଆଦରର ସହ ଗ୍ରହଣ କରିବୁ । ( ରିପୋର୍ଟ -ଗରୁଡ଼ ଧ୍ଵଜ ଚୌଧୁରୀ )