୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସହରାଞ୍ଚଳ ଜନପରିବହନକୁ ସୁଦୃଢ଼ କରିବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଏନେଇ ଶ୍ରୀ ମୋହନ ଚରଣ ମାଝୀ ଗାଡ଼କଣ ମୋ ବସ୍ ଡ଼ିପୋରେ ୪୦ଟି ଇ-ବସ୍ର ଶୁଭାରମ୍ଭ କରିଛନ୍ତି । ବିକଶିତ ଭାରତ ଅଭିଯାନରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପ୍ରୟାସରତ ଥିବାବେଳେ, ଓଡ଼ିଶା ଦର୍ଶନର ରାଜ୍ୟ ଜନ ପରିବହନରେ ସାମିଲ ହୋଇଛି ନୂତନ ଓ ଉନ୍ନତ ଧରଣର ଇ-ବସ ସେବା ।
ଏହା ବହୁମାତ୍ରାରେ କାର୍ବନ ନିର୍ଗମନ ହ୍ରାସ, ଟ୍ରାଫିକ୍ ସମସ୍ୟାକୁ ଦୂର କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।ଏହି ବସ୍ ସେବାଗୁଡ଼ିକ ଦ୍ୱାରା ପର୍ଯ୍ୟଟକମାନଙ୍କ ଯାତାୟାତକୁ ବିଶେଷ ଭାବରେ ଲାଭ ହେବା ସହିତ ପ୍ରଥମଥର ପାଇଁ ରାଜ୍ୟର ଜଣେ ସାଧାରଣ ଯାତ୍ରୀଟିଏ ମଧ୍ୟ ଏହି ସେବାର ଅନୁଭୂତି ନେଇପାରିବେ । ୫ଟି ଡବଲ୍ ଡେକର୍ ଏବଂ ୧୦ଟି ହପ୍ ଅନ୍ ହପ୍ ଅଫ୍ ଇ-ବସ୍ ସେବା ସାଧାରଣତଃ କଟକ, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ପ୍ରମୁଖ ଦର୍ଶନୀୟ ସ୍ଥାନ ଏବଂ ସାଂସ୍କୃତିକ ଐତିହ୍ୟସ୍ଥଳୀକୁ ସଂଯୋଗ କରିବ ।
ସେପରି ପୁରୀ ସହରରେ ବିଭିନ୍ନ ତିର୍ଥସ୍ଥାନ ଓ ପର୍ଯ୍ୟଟନସ୍ଥଳୀକୁ ଭ୍ରମଣ କରିବା ପାଇଁ ୨୫ଟି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନଙ୍କ ଇ-ବସ୍ ସେବାର ଶୁଭାରମ୍ଭ କରାଯାଇଛି। ଏଥିରେ ପ୍ରଥମ ଯାତ୍ରୀମାନଙ୍କ ମଧ୍ୟରେ ଦୁଇଜଣ ଦିବ୍ୟାଙ୍ଗ ଯାତ୍ରୀ ଥିଲେ । ସେମାନଙ୍କର ହ୍ୱିଲ୍ ଚେୟାର ସହିତ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ସେମାନଙ୍କୁ ପ୍ରଥମ ଦୁଇଟି ବସ୍ ଟିକେଟ୍ ପ୍ରଦାନ କରିଛନ୍ତି। ଏହି ବସ୍ରେ ବିଶେଷତା ହେଉଛି ଦିବ୍ୟାଙ୍ଗ ଯାତ୍ରୀମାନେ ବସ୍ରେ ଥିବା ର୍ୟାମ୍ପ୍ ସାହାଯ୍ୟରେ ସେମାନଙ୍କର ହ୍ୱିଲ୍ ଚେୟାର ସହିତ ଯାତ୍ରା କରିପାରିବେ ।