No Result
View All Result
୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ବ୍ଲକ ପୋଚିଲିମ୍ମା ସ୍ଥିତ ଖାମ୍ବେୟାଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସୋମବାର ଠାରୁ ଆଠ ଦିନ ଧରି ଛାତ୍ରୀ ସୁରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅଧ୍ୟାପକ ତଥା କାର୍ଯ୍ୟକ୍ରମ ସଂଯୋଜକ କେ. କୃଷ୍ଣମୂର୍ତ୍ତୀ ଦାଶଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ତାରାତାରିଣୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଅରବିନ୍ଦ ପଣ୍ଡା ଯୋଗ ଦେଇଥିଲେ।
ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ନିଜକୁ ଅସୁରକ୍ଷିତ ମଣୁଥିବା ଛାତ୍ରୀଙ୍କ ମଧ୍ୟରେ ଦୃଢ଼ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ଓ ଆତ୍ମରକ୍ଷା କୌଶଳ ଅବଲମ୍ବନ କରି ନିଜକୁ ସୁରକ୍ଷିତ ରଖିବା ଉପରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଆତ୍ମରକ୍ଷା କୌଶଳ କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଛି । ଏହା ଅତି ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରି ତାଲିମ ବେଳେ ବିଭିନ୍ନ କୌଶଳ ଗୁଡିକରେ ଅଭ୍ୟସ୍ତ ହୋଇ ନିଜ ନିଜ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି କରିବା ଓ ଧର୍ଯ୍ୟର ସହିତ ଶତୃକୁ ମୁକାବିଲା କରିବାରେ ସଫଳ ହୋଇ ପାରିବେ ବୋଲି ପ୍ରଥମ ବର୍ଷର ନବାଗତ ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଦୃଷ୍ଟାନ୍ତ ମୂଳକ ପରାମର୍ଶ ଦେଇଥିଲେ।
ଏହି ଅବସରରେ ପ୍ରଥମ ବର୍ଷର ୧୬୦ ଛାତ୍ରୀଙ୍କୁ ପ୍ରଶିକ୍ଷିକା ସଙ୍ଗୀତା ସ୍ୱାଇଁ ତାଲିମ ପ୍ରଦାନ ବେଳେ ଆତ୍ମରକ୍ଷା ସମ୍ପର୍କିତ ବିଭିନ୍ନ ଉପଯୋଗୀ କୌଶଳ ପ୍ରଦର୍ଶନ କରିଥିଲେ। ଅଧ୍ୟାପକ ସଞ୍ଜୟ କୁମାର ଷଡଙ୍ଗୀ ଓ ଇନ୍ଦ୍ରମୋହନ ଆପଟ ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅଧ୍ୟାପକ ନିଳାଞ୍ଚଳ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result