No Result
View All Result
* ଜମକିବ ଖାଦ୍ୟ ମହୋତ୍ସବ, ପାର୍କ ଉତ୍ସବ
* ଜିକିମିକି ଆଲୋକରେ ସଜେଇ ହେବ ଭୁବନେଶ୍ୱର
୦୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆୟୋଜିତ ହେଉଛି ‘ଏକାମ୍ର ଉତ୍ସବ’ l ଜାନୁଆରୀ ୫ରୁ ୧୬ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ l ତେବେ ପ୍ରବାସୀ ଭାରତୀୟ ଦିବସ (ପିବିଡି)୨୦୨୫ର ୧୮ତମ ସଂସ୍କରଣ ପାଳନ ନେଇ ଚଳିତ ଥର ଏହି ଉତ୍ସବକୁ ରାଜଧାନୀରେ ଭବ୍ୟ ଭାବେ ଆୟୋଜନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି l ଏନେଇ ଉତ୍ସବକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଥିବା ବେଳେ ପାର୍କ ଉତ୍ସବ, ଖାଦ୍ୟ ମହୋତ୍ସବ, ସହର ଆଲୋକୀକରଣ , ଫ୍ଲୀ ମାର୍କେଟ ଏବଂ ଏକାମ୍ର ୱାକ୍ସ ଭଳି କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦିଆଯାଉଛି l
ଖାଦ୍ୟ ମହୋତ୍ସବ :-
ଜାନୁଆରୀ ୫ରୁ ୧୬ ପର୍ଯ୍ୟନ୍ତ ଇଡ଼କୋ ପ୍ରଦର୍ଶନୀ ପଡିଆରେ ଖାଦ୍ୟ ମହୋତ୍ସବ ଆୟୋଜିତ ହେବ l ଏହି ମହୋତ୍ସବରେ ଓଡିଆ, ଉତ୍ତର ଭାରତୀୟ, ଦକ୍ଷିଣ ଭାରତୀୟ ଏବଂ ଆନ୍ତର୍ଜାତୀୟ ଖାଦ୍ୟର ଷ୍ଟଲମାନ ବସିବ l ସେଥିରେ ନାନା ରକମର ଖାଦ୍ୟ ସାମଗ୍ରୀ ସହ ସ୍ୱାଦିଷ୍ଟ ବ୍ୟଞ୍ଜନମାନ ପ୍ରଦର୍ଶକଙ୍କ ନିମନ୍ତେ ଉପଲବ୍ଧ ହେବ l
ପାର୍କ ଉତ୍ସବ :-
ଅନୁରୂପ, ଜାନୁଆରୀ ୫ରୁ ୧୨ ପର୍ଯ୍ୟନ୍ତ ଭୁବନେଶ୍ୱରର ମଧୁସୂଦନ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ, ବୁଦ୍ଧ ପାର୍କ, ଫରେଷ୍ଟ ପାର୍କ ଏବଂ ଅବଦୁଲ କଲାମ ପାର୍କ ଭଳି ୫ ଗୋଟି ପ୍ରମୁଖ ପାର୍କରେ ଏହି ଉତ୍ସବ ଆୟୋଜିତ ହେବ l ଏହି ଅବସରରେ ଓଡ଼ିଶାର ସଂସ୍କୃତି, ସୃଜନଶୀଳତା ସହ ସଭିଙ୍କ ସ୍ୱାସ୍ଥ୍ୟ ଓ ମନୋରଞ୍ଜନର ନେଇ ବଡ଼ ମାହୋଲ ତିଆରି ହେବ l ସକାଳ ୬:୩୦ରୁ ୯ଟା ପର୍ଯ୍ୟନ୍ତ ମାନସିକ ଓ ଶାରୀରିକ ସୁସ୍ଥତା ନେଇ ଯୋଗ, ଜୁମ୍ବା ଭଳି ଶାରୀରିକ ବ୍ୟାୟାମ ଓ ସ୍ୱାସ୍ଥ୍ୟ ସୁରକ୍ଷା ଭିତ୍ତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେବ l ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ଏହି ତାଲିମ କାର୍ଯ୍ୟଗୁଡିକର ପରିଚାଳନା କରାଯିବ l
ସେହିପରି ଅପରାହ୍ନ ୩:୩୦ରୁ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ ସାଂସ୍କୃତିକ ତଥା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜିତ ହେବ l ଏଥିରେ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ସୃଜନଶୀଳତାକୁ ନେଇ ଉତ୍ସବ ଚାଲିବ l ଓଡ଼ିଶାର ଲୋକକଳା, ଓଲିଉଡ଼ ସେଲିବ୍ରିଟିଙ୍କ ସହ ଆଳାପ ଏବଂ ପେପର କ୍ରାଫ୍ଟ, ମ୍ୟାଜିକ ସୋ, ୱେଷ୍ଟ ଟୁ ବେଷ୍ଟ ଭଳି ନାନା କାର୍ଯ୍ୟଶାଳାମାନ ଆୟୋଜିତ ହେବ l ସେହିପରି ଖ୍ୟାତନାମା କଳାକାରଙ୍କ ଦ୍ୱାରା ଲାଇଭ ସଂଗୀତ ଆଦି କାର୍ଯ୍ୟକ୍ରମ ଆୟୋଜିତ ହେବ l ସେହିପରି କୌଶଳୀ କାରିଗରଙ୍କ ଦ୍ୱାରା ଓଡ଼ିଶାର ପାରମ୍ପରିକ କଳା ଓ ଖାଦ୍ୟ ସାମଗ୍ରୀର ପ୍ରଦର୍ଶନୀ କରିବେ l
ସହର ଆଲୋକୀକରଣ :-
ଏହାଛଡ଼ା, ନଗରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏଜି ଛକରୁ କଳ୍ପନା ଛକ, ଏଜି ଛକରୁ ରାଜଭବନ ଛକ, ଏଜି ଛକରୁ ହାଉସିଂ ବୋର୍ଡ ଛକ, ରାଜଭବନ ଛକରୁ ଏକ୍ସଆଇଏମବି ଛକ, ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରର୍ସ ପାର୍ଶ୍ଵ ରାସ୍ତାରୁ ହାଉସିଂ ବୋର୍ଡ ଛକ, ଜନପଥ ଓ ମଧୁସୂଦନ ମାର୍ଗ ଭଳି ପ୍ରମୁଖ ରାସ୍ତାଗୁଡ଼ିକ ଜିକିମିକି ଆଲୋକରେ ଝଲସିବ l ଆସନ୍ତା ୫ରୁ ଜାନୁୟାରୀ ୧୬ ପର୍ଯ୍ୟନ୍ତ ଏହି ଆଲୋକୀକରଣ ବ୍ୟବସ୍ଥା ରହିବା ସହ ଏହା ପ୍ରଭାସୀ ଭାରତୀୟ ଦିବସ ୨୦୨୫ ପାଇଁ ଏକ ଅନନ୍ୟ ପରିବେଶ ସୃଷ୍ଟି କରିବ l
ଫ୍ଲି ମାର୍କେଟ :-
ଫ୍ଲି ମାର୍କେଟ ଏକାମ୍ର ଉତ୍ସବର ଏକ ଆକର୍ଷଣୀୟ ଅଂଶ ହେବ l ସମାନ ଭାବେ ଜାନୁଆରୀ ୫ରୁ ୧୬ ପର୍ଯ୍ୟନ୍ତ ଅପରାହ୍ନ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଏହି ବଜାର ଖୋଲିବ l ଏହା ପର୍ଯ୍ୟଟକ, ଆଗନ୍ତୁକ, ଅତିଥି ତଥା ସାଧାରଣ ଜନତାଙ୍କ ପାଇଁ ଏକ ଅପୂର୍ବ ଶୀତକାଳୀନ ଅନୁଭବ ଦେବବା ସହ ସୃଜନଶୀଳତା ଓ ଘରୋଇ ବାଣିଜ୍ୟ କାରବାର ନେଇ ଏକ ହବ ପାଲଟିବ l ଏଥିରେ ଭାରତର ବିଭିନ୍ନ ସ୍ଥାନରୁ ଉଦ୍ୟୋଗୀ ଓ ଘରୋଇ ବ୍ୟବସାୟ ଏବଂ ସ୍ଥାନୀୟ ଉଦ୍ୟୋଗ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଷ୍ଟଲ୍ ପ୍ରଦର୍ଶିତ ହେବ l
ପରିଦର୍ଶକମାନେ ଟ୍ରେଣ୍ଡରେ ଥିବା ପୋଷାକ, ଫୁଟୱେର ଏବଂ ଆନ୍ୟନ୍ୟ ଆସବାବପତ୍ର, ଅନନ୍ୟ ହସ୍ତତନ୍ତ ଘର ସଜ୍ଜା ସାମଗ୍ରୀ ଆଦି ଏଠାରେ କିଣିପାରିବେ l ଏଥିସହ ମନୋରଞ୍ଜନ ନେଇ ଖ୍ୟାତନାମା କଳାକାରଙ୍କ ଦ୍ୱାରା ଆକର୍ଷଣୀୟ ମଞ୍ଚ ସୋ କାର୍ଯ୍ୟକ୍ରମମାନ ରହିଛି l ଏହାଛଡ଼ା, ଏହି କର୍ମଶାଳା ପରିଦର୍ଶକମାନଙ୍କୁ ଟେରାକୋଟା, ତାଳପତ୍ର ଖୋଦେଇ, ପଥର ଖୋଦନ, ପଟ୍ଟଚିତ୍ର ପେଣ୍ଟିଂ, ଚାନ୍ଦୁଆ, କାଠ ଖୋଦେଇ ଭଳି ପ୍ରସିଦ୍ଧ କଳା ପଛରେ ଥିବା ଜଟିଳ ପ୍ରକ୍ରିୟାଗୁଡ଼ିକୁ ଦେଖିବାର ସୁଯୋଗ ଉପଲବ୍ଧ ରହିବ l
ଏକାମ୍ର ୱାକସ୍ :-
ଏକାମ୍ର ଉତ୍ସବର ଏକ ପ୍ରମୁଖ ଅଂଶ ଭାବେ ‘ଏକାମ୍ର ୱାକସ’ ଡ଼ିସେମ୍ବର ୨୫, ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ଏହା ଓଡ଼ିଶା ତଥା ଭୁବନେଶ୍ୱରର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନିକଟରୁ ଜାଣିବାର ଏକ ସୁଯୋଗ ପ୍ରଦାନ କରୁଛି l ଏଠାରେ ପ୍ରଦର୍ଶିତ ପ୍ରତ୍ୟେକ ସଂକେତ ସତେ ଯେପରି ସହରର ପ୍ରାଚୀନତାକୁ ଅନୁଭବ କରିବା ସକାଶେ ସମସ୍ତଙ୍କ ପାଇଁ ପରିକଳ୍ପିତ ହୋଇଛି l ଯାହାକି ଇତିହାସ ଉତ୍ସାହୀ, ପ୍ରକୃତି ପ୍ରେମୀ ତଥା ଭୁବନେଶ୍ୱରର ସ୍ୱତନ୍ତ୍ରତା ବିଷୟରେ ଜାଣିବା ପାଇଁ ଆଗ୍ରହୀଙ୍କ ପାଇଁ ବେଶ ଆକର୍ଷଣୀୟ ହେବ l
ତେବେ ଜାନୁଆରୀ ୮ରୁ ୧୦ ଯାଏଁ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ୨୦୨୫ ସଭିଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ l ଏଣୁ ଆସନ୍ତୁ ଭୁବନେଶ୍ୱରର କଳା, ସଂସ୍କୃତି ତଥା ଐତିହ୍ୟର ପ୍ରତୀକ ଏହି ‘ଏକାମ୍ର ଉତ୍ସବ’ରେ ଆମେ ସମସ୍ତେ ସାମିଲ ହେବା, ଓଡ଼ିଶାର ଅନ୍ତରାତ୍ମାକୁ ଅଧିକ ଅନୁସନ୍ଧାନ କରିବା l
No Result
View All Result