No Result
View All Result
୩୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଦେବଭାଷା ସଂସ୍କୃତର ଗୁରୁତ୍ୱ ସର୍ବଜନବିଦିତ । ଭକ୍ତି ଓ ଆଧ୍ୟାତ୍ମିକ ସାହିତ୍ୟରେ ଏହାର ବହୁଳ ବ୍ୟବହାର ପରିଲକ୍ଷିତ ହୋଇଥାଏ । ଆମର ଆଧୁନିକ ଭାଷା ସଂସ୍କୃତର ମୂଳ ଆଧାରରୁ ସମୃଦ୍ଧ ହୋଇପାରିଛି । ଏପରିକି ଦକ୍ଷିଣ-ଏସୀୟ ଓ ଦକ୍ଷିଣ-ପଶ୍ଚିମ ଏସିଆନ୍ ଭାଷାର ମୂଳଭିତ୍ତି ମଧ୍ୟ ସଂସ୍କୃତ । ସଂସ୍କୃତ ବା ଦେବନାଗରୀ ହିନ୍ଦୁଧର୍ମର ପବିତ୍ର ଭାଷା ହୋଇଥିବାବେଳେ ବୌଦ୍ଧ, ଜୈନ ଧର୍ମର ଦର୍ଶନ ଶାସ୍ତ୍ରରେ ଏହାର ବହୁଳ ବ୍ୟବହାର ଦେଖିବାକୁ ମିଳିଥାଏ ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପ୍ରକାଶ କରିଛନ୍ତି ।
ତିରୁପତିସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାଳୟଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କୁ ‘ଉତ୍କଳକମଳା’ ସମ୍ମାନରେ ସମ୍ମାନିତ କରାଯାଇଛି । ସମ୍ମାନ ଗ୍ରହଣ କରିବା ଅବସରରେ ଶ୍ରୀମତୀ ପାଢ଼ୀ ଶ୍ରୀମଦ୍ ଭଗବତଗୀତା ଉପରେ ବିଶଦ ଭାବେ ବାଖ୍ୟାନ କରି କହିଛନ୍ତି ଯେ ଗୀତା ପଠନ ଅଭ୍ୟାସ ଓ ଏହାର ଦୈନନ୍ଦିନ ଜୀବନରେ ବ୍ୟବହାର ଦ୍ୱାରା ସୁସ୍ଥ ପରିବାର ସହ ସମୃଦ୍ଧ ସମାଜ ଗଠନ କରାଯାଇପାରିବ । ଦେବଭାଷା ସଂସ୍କୃତର ଚରମ ଉତ୍କର୍ଷକୁ ପ୍ରତିପାଦନ କରିବା ସହ ବିଶ୍ୱବିଦ୍ୟାଳୟ ଓଡ଼ିଶା ଚେୟାରର ବିକାଶ ଓ ଅଭିବୃଦ୍ଧି ଦିଗରେ ସମସ୍ତ ପ୍ରକାର ସହଯୋଗ ରକ୍ଷା କରାଯିବ ବୋଲି ଶ୍ରୀମତୀ ପାଢ଼ୀ ଉଲ୍ଲେଖ କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ତିରୁପତିସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାଳୟର ଓଡ଼ଶା ଚେୟାର ପ୍ରତିଷ୍ଠାର ରୌପ୍ୟଜୟନ୍ତୀ ପାଳନ ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ‘ଉତ୍କଳକମଳା’ ସମ୍ମାନରେ ସମ୍ମାନିତ କରାଯାଇଛି । ବିଶ୍ୱବିଦ୍ୟାଳୟରେ ୧୯୯୭ରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ ପାଇଁ ଓଡ଼ିଶା ଚେୟାର ପ୍ରତିଷ୍ଠା କରାଯାଇଥିଲା । ଏଠାରେ ଶ୍ରୀଜଗନ୍ନାଥ ସଂସ୍କୃତି, ଶ୍ରୀ ଜୟଦେବଙ୍କ ସାହିତ୍ୟ ଓ ଚୈତନ୍ୟଙ୍କ ଦର୍ଶନ ସମ୍ପର୍କରେ ଶିକ୍ଷା ଓ ଗବେଷଣା ଚାଲୁ ରହିଛି ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜି. ଏସ୍. ଆଇ. କୃଷ୍ଣମୂର୍ତ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ‘ଉତ୍କଳପୀଠ’ ତଥା ଓଡ଼ିଶା ଚେୟାରର ନିର୍ଦ୍ଦେଶକ ଡା. ଜ୍ଞାନରଞ୍ଜନ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କୁଳସଚିବ ପ୍ରଫେସର ଆର୍.ଜେ. ରମାଶ୍ରୀ ଉତ୍କଳପୀଠର ପରିଚୟ ତଥା କାର୍ଯ୍ୟକ୍ରମ ବିଷୟରେ ବାଚସ୍ପତିଙ୍କୁ ଅବଗତ କରାଇଥିଲେ ।
No Result
View All Result