ଲୋକଙ୍କ ସରକାର, ଚାଷୀଙ୍କ ସରକାର
ବରଗଡ ସୋହେଲାରେ ଚାଷୀ ସମାବେଶ, ଚାଷୀଭାଇମାନେ ପାଇଲେ ୮୦୦ ଟଙ୍କା ଇନ୍ପୁଟ ସହାୟତା, କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା
ଆଜି ୨୧,୫୦୦ ଚାଷୀ ପାଇଲେ ଇନପୁଟ୍ ସହାୟତା, ଆଜି ଠାରୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ମିଳିବ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା
ଧାନକିଣା ବ୍ୟବସ୍ଥାକୁ Full Proof କରାଯାଇଛି
କୃଷି ଓ କୃଷକମାନଙ୍କ ପାଇଁ ଆଜିର ଦିନଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ
ଜୁନ ୧୨ ତାରିଖ ପ୍ରଥମ କ୍ୟାବିନେଟରେ ଯେଉଁ ଚାରିଟି ନିଷ୍ପତ୍ତି ନିଆ ଯାଇଥିଲା, ସବୁ ପୂରଣ କରାଗଲା, ସରକାର ଗଠନର ୬ ମାସ ମଧ୍ୟରେ ସବୁ ପ୍ରତିଶ୍ରୁତି ପୁରଣ କରାଗଲା – ମୁଖ୍ୟମନ୍ତ୍ରୀ
୦୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ସାଧାରଣ ଲୋକଙ୍କ ସମସ୍ୟା ଶୁଣି ଲୋକଙ୍କ ସରକାର ଆଖ୍ୟା ପାଇଥିଲେ। ମା ମାନଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ଦେଇ ମା ମାନଙ୍କ ସରକାର ଭାବେ ମଧ୍ୟ ସୁନାମ କରିଥିଲେ। ଆଜି ଚାଷୀ ମାନଙ୍କୁ ଧାନ କ୍ଵିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡି ଦେଇ, ସରକାର ହୋଇଛନ୍ତି ‘ଚାଷୀଙ୍କ ସରକାର’। ବରଗଡର ସୋହେଲାରେ ଉତ୍ସବର ସମାବେଶ। ଚାଷୀ ଭାଇମାନଙ୍କ ମଧ୍ୟରେ ଆଜି ଖୁସିର ଲହର । ଲୋକଙ୍କ ସରକାର ଆଜି ଚାଷୀ ଭାଇ ମାନଙ୍କୁ ଦେଉଛନ୍ତି ସେମାନଙ୍କ ପରିଶ୍ରମର ମୂଲ୍ୟ ।
ଚାଷୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚାଷୀମାନଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ ୨୩୦୦ ଟଙ୍କା ଉପରେ ଆଜି ଅତିରିକ୍ତ ୮୦୦ ଟଙ୍କା ଇନ୍ପୁଟ ସବ୍ସିଡି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଚାଷୀମାନେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇଲେ । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୁନ୍ ୧୨ ତାରିଖରେ ଆମ ସରକାର ଗଠନ ହେବା ପରେ ପ୍ରଥମ କ୍ୟାବିନେଟରେ ଯେଉଁ ଚାରିଟି ପ୍ରମୁଖ ନିଷ୍ପତ୍ତି ନେଇଥିଲେ, ସେ ସବୁ ନିଷ୍ପତ୍ତି ୬ ମାସ ମଧ୍ୟରେ ପୂରଣ କରାଗଲା । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୪ଟି ନିଷ୍ପତ୍ତି ମଧ୍ୟରୁ ଧାନ କିଣା ବାବଦକୁ ୩୧୦୦ ଟଙ୍କା ପ୍ରଦାନ କରିବା ଏକ ମୁଖ୍ୟ ନିଷ୍ପତ୍ତି ଥିଲା।
ବରଗଡର ଏହି ସୋହେଲା ମାଟିରେ, ଆପଣମାନଙ୍କୁ ଆମେ ଯେଉଁ ପ୍ରତିଶୃତି ଦେଇଥିଲୁ, ତାହା ପୁରଣ କଲୁ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଭାଷାରେ, “ମୋଦୀ କି ଗ୍ୟାରେଣ୍ଟି ମତଲବ, ଗ୍ୟାରେଣ୍ଟି ପୁରି ହୋନେ କି ଗ୍ୟାରେଣ୍ଟି”। ଆଜି ଆମର ସେଇସବୁ ଗ୍ୟାରେଣ୍ଟି ପୁରଣ ହୋଇଛି । ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲା ହେବା ହେଉ କିମ୍ବା ଶ୍ରୀମନ୍ଦିର ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ହେଉ; ସୁଭଦ୍ରା ଯୋଜନା ହେଉ କିମ୍ବା ଚାଷୀଭାଇମାନଙ୍କୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ହେଉ – ଆଜି ଆମ ସରକାର ଆପଣମାନଙ୍କୁ ଦେଇଥିବା ଚାରିଟି ଯାକ ପ୍ରତିଶୃତି, ଆଜି ପୂରଣ ହୋଇଛି ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଦିନଟି ସାରା ଓଡିଶା ପାଇଁ ଏକ ଐତିହାସିକ ଦିନ। ବିଶେଷ କରି, କୃଷି ଓ କୃଷକମାନଙ୍କ ପାଇଁ ଆଜିର ଦିନଟି ନିଶ୍ଚିତ ଭାବରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଆଜି ଆପଣମାନଙ୍କ ସରକାର, ଆପଣମାନଙ୍କୁ, ଓଡିଶାର ଲକ୍ଷ ଲକ୍ଷ ଚାଷୀ ଭାଇଭଉଣୀ ମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବରଗଡ ଜିଲ୍ଲାର ସୋହେଲା ଠାରୁ ଆରମ୍ଭ କରିବାର ମୁଖ୍ୟତଃ ଦୁଇଟି ଉଦ୍ଦେଶ୍ୟ ରହିଛି। ପ୍ରଥମଟି ହେଉଛି, ଏଠାରେ ଆମର ଅନ୍ନଦାତା ଚାଷୀଙ୍କୁ ୨୦୧୬ ମସିହାରେ ପ୍ରତାରଣାର ପ୍ରତିଶୃତି ଦିଆ ଯାଇଥିଲା ।
କୁଇଣ୍ଟାଲ ପିଛା ଏକ ଶହ ଟଙ୍କା ଦେବା ପାଇଁ ମିଛ ପ୍ରତିଶୃତି ଦିଆଯାଇଥିଲା । ସେ ମିଛ ପ୍ରତିଶୃତି ଓ ପ୍ରତାରଣାର ଉଚିତ ଜବାବ ସ୍ୱରୂପ ମୁଁ ଆପଣମାନଙ୍କ ପାଖକୁ ଆସି କୁଇଣ୍ଟାଲ ପିଛା ୮୦୦ ଟଙ୍କା ଅଧିକ ଇନ୍ପୁଟ ସବସିଡି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ହେଉଛି ଆମ ସରକାରର କଥା ଦେଇ କଥା ରଖିବାର ପ୍ରତିବଦ୍ଧତା । ଦ୍ଵିତୀୟଟି ହେଉଛି, ବରଗଡ ଜିଲ୍ଲା ହେଉଛି ଓଡିଶାର ଭାତ ହାଣ୍ଡି। ଏ ଜିଲ୍ଲାର ଚାଷୀଭାଇ ଓ ଭଉଣୀମାନେ କଠିନ ପରିଶ୍ରମ କରି ସାରା ଓଡିଶାରେ ସବୁଠାରୁ ଅଧିକ ଧାନ ଉତ୍ପାଦନ କରିଥାନ୍ତି। ରାଜ୍ୟର ଖାଦ୍ୟ ସୁରକ୍ଷା ପାଇଁ ବରଗଡ ଜିଲ୍ଲାର ଅବଦାନ ମହତ୍ତ୍ୱପୂର୍ଣ୍ଣ।
ଆମ ଚାଷୀଭାଇ ଓ ଭଉଣୀମାନେ ହେଉଛନ୍ତି ଦେଶର ଅନ୍ନଦାତା। ସେମାନଙ୍କ ପ୍ରଗତି ନ ହେଲେ, ଦେଶର ପ୍ରଗତି ଅସମ୍ଭବ। ଚାଷୀ ତାର ଉତ୍ପାଦର ଉଚିତ ମୂଲ୍ୟ ପାଇବା ନିତାନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ନଭେମ୍ବର ୨୦ ତାରିଖ ଠାରୁ ଧାନସଂଗ୍ରହ ଆରମ୍ଭ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ୨୧,୫୦୦ ଚାଷୀ ଇନପୁଟ ସହାୟତା ପାଇଲେ। ଆଜି ଠାରୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଆପଣମାନେ, କୁଇଣ୍ଟାଲ ପିଛା ୩୧୦୦ ଟଙ୍କା DBT ଜରିଆରେ ପାଇବେ ବୋଲି ସେ ସୂଚନା ଦେଇଥିଲେ।
ଧାନ ସଂଗ୍ରହ ପ୍ରକ୍ରିୟାକୁ ଅତ୍ୟନ୍ତ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମୁଁ ନିଜେ ଏବଂ ଆମର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀଙ୍କ ସହିତ ସବୁ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳମାନଙ୍କ ସହିତ ବାରମ୍ବାର ସମୀକ୍ଷା କରି, ଏହି ପ୍ରକ୍ରିୟା ଯେପରି ସୁଦୃଢ, ସ୍ୱଚ୍ଛ ଓ ପାରଦର୍ଶୀ ହେବ, ସେଥିପାଇଁ ସମସ୍ତ ପଦକ୍ଷେପ ନେଇଛୁ। ଯେଭଳି କୌଣସି ଯୋଗ୍ୟ ଚାଷୀ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ନ ହୁଅନ୍ତି ଏଥି ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ଏଥି ପାଇଁ ଜିଲ୍ଲା ସ୍ତରରେ ଅଧିକାରୀମାନେ ସଜାଗ ରହି କାର୍ଯ୍ୟ କରୁଛନ୍ତି । ରାଜ୍ୟର ଚାଷୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଅନ୍ୟ ରାଜ୍ୟର ଧାନ ଯେଭଳି ଓଡ଼ିଶାକୁ ଆସି ବିକ୍ରୟ ନ ହୁଏ ଏଥି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜ୍ୟର ସୀମାନ୍ତ ଅଞ୍ଚଳରେ ଏହି ତନଖି ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ସେ କହିଥିଲେ । ମଣ୍ଡିରୁ ଧାନ ନେଇ ଯାଉଥିବା ଗାଡ଼ି ଉପରେ ମଧ୍ୟ ଏନ୍ଫୋର୍ସମେଣ୍ଟ ଟିମ୍ କଡ଼ା ନଜର ରଖିଛନ୍ତି । ବିଭିନ୍ନ ଅଭିଯୋଗର ତ୍ୱରିତ ଶୁଣାଣି ପାଇଁ ପ୍ରତ୍ୟେକ ଜିଲ୍ଲାରେ ନୋଡାଲ ଅଧିକାରୀମାନେ ନିଯୁକ୍ତ ଅଛନ୍ତି । ଧାନକିଣା ବ୍ୟବସ୍ଥାକୁ Full Proof କରାଯାଇଛି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।
ଧାନ କିଣାରେ କୌଣସି ସମସ୍ୟା ଥିଲେ କିମ୍ବା ଅଭିଯୋଗ ଥିଲେ ଆପଣ ପ୍ରତ୍ୟକ୍ଷ ଭାବେ ଯୋଗାଯୋଗ କରିପାରିବେ । ଏହା ସହିତ ଟୋଲ ଫ୍ରି ନଂ ୧୯୬୭ ମାଧ୍ୟମରେ ଯୋଗାଯୋଗ କରି ନିଜର ସମସ୍ୟା ଜଣାଇପାରିବେ ବୋଲି ସେ ସୂଚନା ଦେଇଥିଲେ । ଚାଷୀଭାଇ ଓ ଭଉଣୀମାନେ ଯେପରି ବର୍ଦ୍ଧିତ ୮୦୦ ଟଙ୍କା ପାଇବାରେ ଅସୁବିଧା ହେବ ନାହିଁ, ସେଥିପାଇଁ କୃଷି ବିଭାଗ ବଜେଟରେ ୫ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ତେଣୁ, ୩୧୦୦ ଟଙ୍କା ପାଇବାରେ ଅର୍ଥର ଅଭାବ ନାହିଁ। ଏହା ହେଉଛି ଡବଲ ଇଞ୍ଜିନ ସରକାର ର ଚାଷୀଭାଇ ଓ ଭଉଣୀଙ୍କ ପାଇଁ ଆନ୍ତରିକତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।