No Result
View All Result
୦୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ଦ୍ୱାରା ବିଡ଼ାନାସୀ ଅଞ୍ଚଳର ୧ ନମ୍ବର ଓ୍ବାର୍ଡରେ ଡ୍ରେନ୍ କାମ ଚାଲିଥିବାବେଳେ ରବିବାର ଘଟିଛି ଏକ ଅଘଟଣ । ଡ୍ରେନ୍ ପାଖ ପାଚେରୀ ଭୁଷୁଡ଼ି ଜଣେ ଶ୍ରମିକଙ୍କର ମୃତ୍ୟ ଘଟିଛି । ଏଥିସହ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ବିନା ସୁରକ୍ଷା, ବିନା ନାମ ଫଳକ ଏବଂ ବିନା ନିରୀକ୍ଷକରେ କିଭଳି ଚାଲିଥିଲା ନିର୍ମାଣ କାର୍ଯ୍ୟ ବୋଲି ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ ।
ଅନ୍ୟପଟେ କିଛି ମାସ ତଳେ ଏହିଭଳି ଘଟଣା ଘଟିଥିଲେ ମଧ୍ୟ ମହାନଗର ନିଗମ କେବଳ ଅନୁକମ୍ପା ରାଶି ପ୍ରଦାନ କରି ନିଜ କର୍ତ୍ତବ୍ୟ ସାରିଥିଲା । ତେବେ ଆଜିର ଏ ଘଟଣା କେଉଁଠି ନା କେଉଁଠି କଟକ ମହାନଗର ନିଗମର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ଉଠାଇଛି । ତେବେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ସିଏମସିର ଜଣେ ଠିକାଦାର ଏହି ଡ୍ରେନ ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲେ। କାର୍ଯ୍ୟ ସମୟରେ ୫ ଜଣ ଶ୍ରମିକ ନିୟୋଜିତ ରହିଥିଲେ । ୩ ଦିନ ପୂର୍ବରୁ ଏମାନେ କାମ ଆରମ୍ଭ କରିଥିଲେ ।
ହେଲେ ସ୍ଥାନୀୟ ଲୋକଙ୍କ ବାରଣ ସତ୍ତ୍ୱେ କାମ ନ ରୋକି ଡ୍ରେନ କାର୍ଯ୍ୟ ଜାରି ରଖିଥିଲେ ଏହି ଠିକାଦାର । କୌଣସି ସୁରକ୍ଷା ବ୍ୟବସ୍ଥା ନ ନେଇ ଏହି କାର୍ଯ୍ୟ ଜାରି ରଖିଥିଲେ ସମସ୍ତ ଶ୍ରମିକ । କିନ୍ତୁ ଡ୍ରେନ ପାଖ ପାଚେରୀ ହଠାତ ଭୁଷୁଡ଼ି ପଡ଼ିବା ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟ ଘଟିଛି । ତେବେ ସିଏମସିରେ ଏଭଳି ଘଟଣା ଆଗରୁ ଘଟି ସାରିଛି । ହେଲେ ଏଭଳି ଠିକାଦାରଙ୍କୁ କାମ ଦେବା ଓ ଅକାରଣରେ ଜୀବନ ଯିବା ଘଟଣାକୁ ନେଇ ସିଏମସିକୁ ଦାୟୀ କରିଛନ୍ତି ବିଡ଼ାନାସୀ ଅଞ୍ଚଳବାସୀ ।
No Result
View All Result