ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅଗଷ୍ଟ ଶୁକ୍ରବାର) କଳାହାଣ୍ଡି :– ଅନ୍ନ ବିହୁନେ ହଂସ ହାନି, ଯୋଗ ସାଧିବୁ କାହା ଘେନି- ଶ୍ରୀମଦ୍ ଭାଗବତର ଏହି ମହାନ ବାଣୀର ସତ୍ୟତା ଉପରେ ପର୍ଯ୍ୟବେସିତ ପ୍ରଥମ ଅନ୍ନଗ୍ରହଣର ଅମୃତ ମୂହୁର୍ତ୍ତ କୁ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପର୍ବ ରୂପେ ବେଶ ଧୁମଧାମରେ ପାଳିତ ହୁଏ । କଳାହାଣ୍ଡି ଜିଲ୍ଲାରେ ନୂଆଖାଇ ପୂର୍ବରୁ ଅର୍ଥାତ୍ ଗଣେଶ ଚତୁର୍ଥୀର ପୂର୍ବଦିନ ସକାଳୁ ରୋଗୀବଟା ପର୍ବ ଗାଁ ଗୁଡ଼ିକରେ ପାଳନ କରାଯାଏ । ଏହି ଦିନ ପରମ୍ପରା ଅନୁସାରେ ଗାଁ ଧରଣୀ ପୀଠରେ ଗାଁ ଜାନୀ, ପୂଜାରୀ ପୂଜାର୍ଚ୍ଚନା କରିଥାନ୍ତି । ବର୍ଷା ଋତୁରେ ଗାଁରେ ଦେଖାଯାଉ ଥିବା ମହାମାରୀ ହଇଜା, ଝାଡ଼ା ବାନ୍ତି, ଜ୍ୱର ସହ ବିଭିନ୍ନ ରୋଗରୁ ଗାଁ ଲୋକଙ୍କୁ ସୁରକ୍ଷା ଦେବାକୁ ନେଇ ପୂଜାର୍ଚ୍ଚନା ପରେ ରୋଗ ଗୁଡିକୁ ବଟାଇ (ତଡି) ଦିଆଯାଏ ।
ଏଥିପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥାଏ ଏକ ଶଗଡ଼ ଗାଡ଼ି । ପଳାସ କାଠରେ ତିଆରି କ୍ଷୁଦ୍ର ଶଗଡର ପ୍ରତିରୂପକୁ ମନ୍ଦାର ଫୁଲ ଓ ବିଭିନ୍ନ ରଙ୍ଗରେ ସଜ୍ଜିତ କରାଯାଇଥାଏ । ଧରଣୀ ପୀଠରେ ପୂଜାର୍ଚ୍ଚନା ପରେ ଗାଁ ଶେଷ ମୁଣ୍ଡରେ ଶଗଡ଼କୁ ଥୋଇଦିଆଯାଏ । ସେଠାରେ ଗାଁ ଦେବାଦେବୀଙ୍କୁ ମନସା ଯାଇ ଆମ ଗାଁ ରୁ ରୋଗ ବଇରାଗ ଦୂର ହେବାକୁ କୁହାଯାଏ । ଗାଁରେ ଗାଈ, ଗୋରୁଙ୍କ ବର୍ଷା ଦିନିଆ ରୋଗ ନିୟନ୍ତ୍ରଣ ପାଇଁ ମଧ୍ୟ ଗୃହ ମାଳିକ ଗୁହାଳ ଘରେ ଦୀପ, ଧୂପ, ଝୁଣା ଜାଳି ଗୁହାଳରେ ଧୂଆଁ ଦେଇଥାଏ ।
ଗୋରୁଗାଈଙ୍କୁ ଚାରଣ ଭୂମିକୁ ନେବା ସମୟରେ ଜଳା ଯାଇଥିବା ଧୂପ ,ଝୁଣା ସହ ଖଇ ରାସ୍ତାରେ ପକାଯାଇ ପୁଣି ଡେଲା ବାଟ ଅର୍ଥାତ୍ ଗାଁ ଶେଷରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରଜ୍ବଳିତ ଧୂପ, ଝୁଣା ଦନା ସାମଗ୍ରୀକୁ ପକାଯାଏ । ଏହିପରି ରୋଗୀବଟା ପର୍ବଟି ହୋଇ ନୂଆଖାଇର ଆଦ୍ୟ ପର୍ବ ଶେଷ ହୁଏ । ତା ପରେ ଭାଦ୍ରବ ଶ୍ରୀ ପଞ୍ଚମୀ ତିଥିରେ ମଜା ମଜଲିସରେ ନୂଆଖାଇ ପର୍ବ ପାଳିତ ହୁଏ । (ରିପୋର୍ଟ ପ୍ରଦୀପ କୁମାର ଗଉଡ)