No Result
View All Result
୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦେଶ୍ୱର ଗ୍ରାମର ବୈଦ୍ୟେନାଥ ପୀଠ ତଟଦେଶରେ ମହାନଦୀରେ ଆଜି ବୋଇତବନ୍ଦାଣ ମହୋତ୍ସବ-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୈଦ୍ୟେଶ୍ୱର ଛକ ଠାରୁ ରବିନାରାୟଣ ମଙ୍ଗରାଜଙ୍କ ତତ୍ତ୍ୱାବଧାନରେ ଗ୍ରାମ ପରିକ୍ରମା କରି ମହାନଦୀ କୂଳରେ ପହଞ୍ôଚବା ପରେ ନୌକାକୁ ପୂଜାର୍ଚ୍ଚନା କରାଯାଇଥିଲା । ମୁଖ୍ୟଅତିଥି ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ନଡିଆ ଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ବୋଇତବନ୍ଦାଣ ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସରପଂଚ ସୁରଞ୍ଜନ ପଣ୍ଡା ଧୂପ ଦୀପ ଦେଇ ନୌକାକୁ ପୂଜା କରିଥିଲେ । ଉତ୍କଳର ବୋଇତ ବନ୍ଦାଣ ପରମ୍ପରାକୁ ମନେପକାଇ ଏବଂ ବୈଦ୍ୟେଶ୍ୱର ନୌବାଣିଜ୍ୟ ପରମ୍ପରାକୁ ଉଦ୍ଜ୍ଜୀବିତ କରିବା ଉଦ୍ଦେଶ୍ୟରେ ସାଧବ ପୁଅ , ବୋହୂ ଓ ତଅପୋଇ ବେଶରେ ଗ୍ରାମର ଝିଅମାନେ ସଜିତ ହୋଇଥିଲେ ।
ସାଧବ ବୋହୂ ବନ୍ଦାପନା କରି ସାଧବ ପୁଅକୁ ବେପାର ପାଇଁ ମେଲାଣି ଦେବା ସହ ସେମାନଙ୍କର ଶୁଭମାନଷୀ ଥିଲେ । ବୈଦ୍ୟନାଥ ଘାଟଠାରୁ ନୌକାରେ ସାଧବ ପୁଅମାନେ ମହାନଦୀ ବକ୍ଷରେ ଜଳଯାତ୍ରା କରି ରାମନାଥ ଘାଟ ଠାରେ ନୌକାରୁ ଓହ୍ଲାଇବା ପରେ ସାଧମବୋହୁମାନେ ବନ୍ଦାପନା କରି ପ୍ରାଚୀନ ମା’ଦୁର୍ଗାପୀଠ କୁ ପାଛୋଡି ନେଇଥିଲେ । ସେଠାରେ ଏକ ସଭା ସମାଜସେବୀ ରବିନାରାୟଣ ମଙ୍ଗରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଆଜକୁ ୭ବର୍ଷ ହେଲା ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଛି ବୋଲି ସଭାପତି ଶ୍ରୀ ମଙ୍ଗରାଜ ପ୍ରକାଶ କରିଥିଲେ । ମୁଖ୍ୟଅତିଥି ଭାବେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଆଜକୁ ଏକ ଶହ ବର୍ଷରୁ ଉର୍ଦ୍ଧ୍ୱ ଏହି ବୈଦ୍ୟେଶ୍ୱର ପୀଠରେ ନୌବାଣିଜ୍ୟ କେନ୍ଦ୍ର ରହିଥିଲା ଓ ଏଠାକୁ ସୋନପୁର, ବୌଦ୍ଦ, ସମ୍ବଲପୁର ଆଦି ଅଞ୍ଚଳରୁ ପଣ୍ୟଦ୍ରବ୍ୟ ଓ ମାଟି ନିର୍ମିତ ପାତ୍ର ଆସୁଥିଲା ବୋଲି ପ୍ରକାଶ କରିଥିଲେ ।
ତେଣୁ ନୌବାଣିଜ୍ୟ ପରମ୍ପରା ବୈଦ୍ୟେଶ୍ୱର ପାଇଁ ଗୌରବର ପ୍ରତୀକ ଓ ଗାଥା ଭାବେ ରହିଛି ବୋଲି ପ୍ରାଧ୍ୟାପକ ମହାପାତ୍ର ଉଲ୍ଲେଖ କରିଥିଲେ । ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଂଚ ସୁରଞ୍ଜନ ପଣ୍ଡା ଯୋଗଦାନ କରି ନୌବାଣିଜ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡଃ. ସୁବିତ୍ ପଟ୍ଟନାୟକ ଯୋଗଦାନ କରି ବୈଦ୍ୟେଶ୍ୱର ମାଟିର ପୁରାତନ ଐତିହ୍ୟ , ସଂସ୍କୃତି ଓ ନୌବାଣିଜ୍ୟ କେନ୍ଦ୍ର ଉପରେ ଆଲୋକପାତ କରିଥିଲେ । ଅତିଥି ଭାବେ ଜୟକୃଷ୍ଣ ସାହୁ, ଜୟଦେବ ସାମନ୍ତରାୟ, ଅଯୋଧ୍ୟା ବ୍ରହ୍ମ , ଆଶିଷ କୁମାର ପଟ୍ଟନାୟକ, ବ୍ରଜବନ୍ଧୁ ସାହୁ, ସୁବାସ ଚନ୍ଦ୍ର ଦଳେଇ, ଲଲାଟେନ୍ଦୁ ପଣ୍ଡା ପ୍ରମୁଖ ଯୋଗଦାନ କରି ଉତ୍ସବକୁ ସଫଳ କରିଥିଲେ । ଶେଷରେ ପୂର୍ବତନ ସମିତି ସଭ୍ୟ ତଥା ସମାଜସେବୀ ଚୌଧିରୀ ସରୋଜ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result