ଓଡିଶା ତାଜା ନ୍ୟୁଜ୍ (୧୯ ଅଗଷ୍ଟ ବୁଧବାର ) ହିଞ୍ଜିଳିକାଟୁ :- ଗତ କିଛି ଦିନ ଧରି କରୋନା ସଂକ୍ରମଣର ଶୀର୍ଷ ସ୍ଥାନରେ ଥିବା ଗଞ୍ଜାମ ଜିଲ୍ଲାର ସ୍ଥିତି ହ୍ରାସ ପାଇବାରେ ଲାଗିଛି।ରାଜ୍ୟରେ କରୋନା ହଟସ୍ପଟ ଭାବେ ଚିହ୍ନଟ ହୋଇଥିବା ଏହି ଜିଲ୍ଲା ଏବେ ଦ୍ଵିତୀୟ ସ୍ଥାନରେ ରହିଛି।ତଥାପି ସାମ୍ପ୍ରତିକ ପରିସ୍ଥିତି କୁ ଲକ୍ଷ୍ୟରଖି ରାଜ୍ୟ ସରକାରଙ୍କ ଫୋକସରେ ରହିଛି।ଅନ୍ୟାନ୍ୟ ସଂକ୍ରମିତ ଜିଲ୍ଲା ଅପେକ୍ଷା ଗଞ୍ଜାମ ଜିଲ୍ଲାର ସଂକ୍ରମଣ ରୂପ ବଦଳିବାରେ ଲାଗିଛି।ଏହାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଅଧିକ ତ୍ୱରାନ୍ୱିତ କରିଛନ୍ତି।ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଲକ୍ଷ୍ୟ ରz ସ୍ୱାସ୍ଥ୍ୟ ବିଭାଗର ରେପିଡ଼ ରେସପନ୍ସ ଟିମ ସହାୟତାରେ ସମସ୍ତ ବର୍ଗର ଲୋକଙ୍କ ଚିକିତ୍ସା ସକାଶେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।ଏଭଳି ସ୍ଥିତିରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏଣ୍ଟିଜେନ ଟେଷ୍ଟ ନମୁନା ପ୍ରକ୍ରିୟାକୁ ପ୍ରାଥମିକତା ଦିଆଯାଇଛି। ପରିବାରର ଅନ୍ତତଃ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ନିଶ୍ଚିତ ହୋଇଛି ।
ଏଥିପାଇଁ କରୋନା ଲକ୍ଷଣ ଅନୁଭବ କରୁଥିବା ବ୍ୟକ୍ତି ବିଶେଷ ରୋଗକୁ ନ ଲୁଚାଇ ଏଣ୍ଟିଜେନ ଟେଷ୍ଟ ଜରିଆରେ ରୋଗମୁକ୍ତ ହେବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ ଦିଆଯାଇଛି। ସମ୍ପ୍ରତି ହିଞ୍ଜିଳି ବ୍ଲକର ପ୍ରତି ପଞ୍ଚାୟତରେ ସ୍ୱାବ ନମୁନା ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି।ସ୍ଥାନୀୟବ୍ଲକ ରାଳବ ଗ୍ରାମରେ ବୁଧବାର ଏଣ୍ଟିଜେନ ଟେଷ୍ଟ ନମୁନା ସଂଗୃହୀତ ହୋଇଥିଲା।ସ୍ୱାସ୍ଥ୍ୟ ଟିମ ୧୦୦ ଜଣ ବ୍ୟକ୍ତିଙ୍କ ଠାରୁ ଏଣ୍ଟିଜେନ ଟେଷ୍ଟ ନମୁନା ସଂଗ୍ରହ କରିଥିଲେ। ସମସ୍ତଙ୍କ ଏଣ୍ଟିଜେନ ଟେଷ୍ଟ ନମୁନା ରିପୋର୍ଟ ନେଗେଟିଭ ଆସିବା ପରେ ପ୍ରଶାସନ ଆଶ୍ବସ୍ଥି ହୋଇଛି।ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଏଣ୍ଟିଜେନ ଟେଷ୍ଟ କରିବା ନିମନ୍ତେ ସମସ୍ତଙ୍କୁ ନିବେଦନ କରିଛନ୍ତି। ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ,ଜ୍ଞାନ ରଞ୍ଜନ ଲେଙ୍କା,ପିଇଓ ସୁଶାନ୍ତ କୁମାର ପାତ୍ର, ସରପଞ୍ଚ ଜାଗିଲି ଦାସ, ଗନ୍ତାୟତ ଦଳାଇ, କୋଭିଡ ମନିଟର, ଆଶା ଓ ଅଙ୍ଗନବାଡିକର୍ମୀ ଅଂଶ ଗ୍ରହଣ କରିଥିଲେ। ( ହିଞ୍ଜିଳିକାଟୁ /ଶେଷଦେବ ସାହୁ)