ଢେଙ୍କାନାଳ ଲକ୍ଷ୍ମୀପୂଜା
ମହାବୀର ବଜାର କ୍ଲବ ପୂଜା ପେଣ୍ଡାଲର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ
ଢେ଼ଙ୍କାନାଳ ଜିଲ୍ଲା ରେ ୪୦ ହଜାର କୋଟି ଟଙ୍କା ର ପୁଞ୍ଜି ନିବେଶ ହେବ
ପ୍ରତ୍ୟେକ ଜିଲ୍ଲାର ବିକାଶରେ ଆମେ ବିକଶିତ ଓଡିଶା ଗଠନ କରିବୁ- ମୁଖ୍ୟମନ୍ତ୍ରୀ
୨୧ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଢେଙ୍କାନାଳ :-> ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଢେଙ୍କାନାଳର ଲକ୍ଷ୍ମୀପୂଜା ଓଡିଶା ସାଂସ୍କୃତିକ ଐତିହ୍ୟର ଅନନ୍ୟ ନିଦର୍ଶନ। ଏହି ପୂଜା ସାରା ଦେଶରେ ପ୍ରସିଦ୍ଧି ଅର୍ଜନ କରିଛି । ଢେଙ୍କାନାଳରେ ଚଳିତ ବର୍ଷ ୩୮ଟି ପୂଜା ମଣ୍ଡପରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଅନେକ ପୂଜା ମଣ୍ଡପ ପରିଦର୍ଶନ କରି ସ୍ଥାନୀୟ ମହାବୀର କ୍ଲବର ପୂଜା ପେଣ୍ଡାଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଙ୍କସହିତ ତାଙ୍କ ସହଧର୍ମିଣୀ ଡକ୍ଟର ପ୍ରିୟଙ୍କା ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ।ମହାବୀର ବଜାର କ୍ଲବ ଚଳିତ ବର୍ଷ ଏହାର ୭୫ତମ ପୂର୍ତ୍ତି ପାଳନ କରୁଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୀର୍ଘ ୭୫ ବର୍ଷ ଧରି ଆପଣମାନଙ୍କ ପୂର୍ବ ପିଢି ସମୟରୁ ଏହି ପୂଜା ନିରବଚ୍ଛିନ୍ନ ଭାବେ ଚାଲିଆସିଛି । ଏହା ଆପଣମାନଙ୍କ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ଭାବର ନିଦର୍ଶନ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଓଡିଶାବାସୀଙ୍କ ମଙ୍ଗଳ ପାଇଁ ମା’ ଲକ୍ଷ୍ମୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ପୁରାଣ ଓ ଶାସ୍ତ୍ର ମାନଙ୍କରେ ମହାଲକ୍ଷ୍ମୀଙ୍କ ମହାତ୍ମ୍ୟ ପର୍ଯ୍ୟାପ୍ତ ଭାବେ ବର୍ଣ୍ଣନା କରାଯାଇଛି। ଭାରତୀୟ ସଂସ୍କୃତି ଓ ଦର୍ଶନରେ ମହାଲକ୍ଷ୍ମୀ ହେଉଛନ୍ତି ଐଶ୍ବର୍ଯ୍ୟ ଓ ପ୍ରାଚୁର୍ଯ୍ୟର ଦେବୀ। କେଉଁ ଆବହମାନ କାଳରୁ ମହାଲକ୍ଷ୍ମୀ ପୂଜା ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ମହୋତ୍ସବର ମାନ୍ୟତା ଲାଭ କରିଛି। ଭୁବନେଶ୍ବର ସ୍ଥିତ ଉଦୟଗିରି ଗୁମ୍ଫାରେ ଗଜଲକ୍ଷ୍ମୀଙ୍କ ଚିତ୍ର ହେଉଛି ଓଡିଶାରେ ଲକ୍ଷ୍ମୀପୂଜାର ପ୍ରାଚୀନତମ ନିଦର୍ଶନ ବୋଲି ସେ କହିଥିଲେ।
ଢେଙ୍କାନାଳରେ ଲକ୍ଷ୍ମୀ ପୂଜାର ଇତିହାସ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ବିଂଶ ଶତାବ୍ଦୀରେ ଢେଙ୍କାନାଳର ରାଜା ସୁର ପ୍ରତାପଙ୍କ ଦ୍ବାରା ୧୯୧୬ ମସିହାରେ କୁଞ୍ଜକାନ୍ତ ମନ୍ଦିର ପ୍ରତିଷ୍ଠା ହୋଇ ବୈଷ୍ଣବଭାବ ଧାରାର ପ୍ରସାର ଘଟିବା ସହିତ ନୃତ୍ୟ, ଗୀତ, କଳା ଓ ଅଭିନୟରେ ଢେଙ୍କାନାଳ ବାସୀ ସୁଖ୍ୟାତି ଅର୍ଜନ କରିଥିଲେ। ବ୍ରଜ କିଶୋର ପଟ୍ଟନାୟକ ପ୍ରଥମେ ୧୯୨୩ ମସିହାରେ ଢେଙ୍କାନାଳରେ ମୃଣ୍ମୟୀ ମହାଲକ୍ଷ୍ମୀ ପୂଜାର ଆୟୋଜନ କରିଥିଲେ ଏବଂ ବୈଦିକ ବିଧିରେ ପୂଜାର୍ଚ୍ଚନା କରିବା ସହିତ ପ୍ରତି ରାତିରେ ରାସ ପରିବେଷଣ କରୁଥିଲେ। ଏହାପରେ ୧୯୨୫ ମସିହାରେ ବର୍ତ୍ତମାନର ମୀନା ବଜାର ଅଞ୍ଚଳରେ ଦ୍ବିତୀୟ ପୂଜା ଆରମ୍ଭ ହୋଇଥିଲା। ଏହିପରି ଭାବେ ୧୯୪୧ ମସିହା ବେଳକୁ ଢେଙ୍କାନାଳର ଅନେକ ଯାଗାରେ ଲକ୍ଷ୍ମୀପୂଜା ଆରମ୍ଭ ହୋଇ ୧୯୪୩ ମସିହା ବେଳକୁ ଏହା ଏକ ସାର୍ବଜନୀନ ଏବଂ ଭାଇଚାରାର ପୂଜା ଭାବେ ମାନ୍ୟତା ଲାଭ କରିଥିଲା ବୋଲି ସେ କହିଥିଲେ।
କଟକର ଦଶହରା, ଭଦ୍ରକର କାଳୀପୂଜା, ତାଳଚେର ଓ ଜଟଣୀର ଗଣେଶ ପୂଜା, ବ୍ରହ୍ମପୁରର ଠାକୁରାଣୀ ପୂଜାଭଳି ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ମଧ୍ୟ ଖୁବ୍ ଆକର୍ଷଣୀୟ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଉତ୍ସବକୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ମନଭରି ଉପଭୋଗ କରିଥାନ୍ତି।
ସେ କହିଥିଲେ ଯେ, ଶାନ୍ତି ଶୃଙ୍ଖଳା, ସଦ୍ଭାବ, ମୈତ୍ରୀ, ପ୍ରିତି, ଭାତୃତ୍ବ ଓ ସୌଜନ୍ୟର ମଧୁର ସମାବେଶରେ ଢେଙ୍କାନାଳର ଲକ୍ଷ୍ମୀ ପୂଜା ଓଡିଶାର ସାଂସ୍କୃତିକ ଐତିହ୍ୟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି।ଢେଙ୍କାନାଳର ସାଂସ୍କୃତିକ ଐତିହ୍ୟ ସହିତ ସ୍ୱାଧୀନତା ସଂଗ୍ରାମରେ ଢେଙ୍କାନାଳର ଅବଦାନ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରି ଶହୀଦ ବାଜି ରାଉତଙ୍କ ସ୍ମୃତି ଚାରଣ କରିଥିଲେ। ସେହିପରି ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ରରେ ଯୋରନ୍ଦାର ମହୀମା ପୀଠର ଭୂମିକା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ।
ଓଡିଆ ଭାଷା ସାହିତ୍ୟର ଅଭିବୃଦ୍ଧିରେ ଜିଲ୍ଲାର ସାରସ୍ବତ ସାଧକ ସ୍ବର୍ଗତ ବ୍ରଜନାଥ ବଡଜେନା, ରାଧାମୋହନ ଗଡନାୟକ, ସ୍ବର୍ଗତ ଅନ୍ନଦା ଶଙ୍କର ରାୟ, ଗୋଲକ ବିହାରୀ ଧଳ, ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟମୀ ମିଶ୍ରଙ୍କ ଅବଦାନ ସମ୍ପର୍କରେ ମଧ୍ୟ ସେ ବର୍ଣ୍ଣନା କରିଥିଲେ । ଆଶ୍ଵିନ ମାସରେ ମା’ ଭଗବତୀ, କାର୍ତ୍ତିକ ମାସ ଆରମ୍ଭରେ ମା’ ଗଜଲକ୍ଷ୍ମୀ ଏବଂ କାର୍ତ୍ତିକ ଅମାବାସ୍ୟାରେ ମା’ କାଳୀଙ୍କ ଆରାଧନା କେବଳ ଏକ ଧର୍ମୀୟ ଉତ୍ସବ ନୁହେଁ । ଏହା ମହିଳା ସଶକ୍ତିକରଣର ପ୍ରତୀକ। ଆମେ ସମସ୍ତେ ମା’ ଙ୍କ ପୂଜା ଏବଂ ଆରାଧନା କରିବା ସହିତ ନାରୀଶକ୍ତିକୁ ସମ୍ମାନ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଭାଷା, ସାହିତ୍ୟ, କଳା, ଆମ ସଂସ୍କୃତି ଓ ଆମ ଐତିହ୍ୟ- ଏସବୁକୁ ମିଶାଇ ଆମର ଅସ୍ମିତାର ପରିଚୟ ସୃଷ୍ଟିକରେ। ଆମ ଅସ୍ମିତା ପାଇଁ ଆମେ ସମସ୍ତେ ଗର୍ବ ଓ ଗୌରବ ଅନୁଭବ କରିବା ଉଚିତ୍। ଆମ ସରକାର ଆମ ଅସ୍ମିତାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ସର୍ବାଧିକ ଗୁରୁତ୍ବ ଆରୋପ କରୁଛି ବୋଲି ପ୍ରକାଶ କରି ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ।