No Result
View All Result
୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳିଙ୍ଗନଗର, ଅକ୍ଟୋବର :-> ଭାରତର ଅନ୍ୟତମ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ପଦ୍ମ ବିଭୂଷଣ ରତନ ଏନ ଟାଟାଙ୍କୁ ସମ୍ମାନ ଜଣାଇ ଗୁରୁବାର ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଶ୍ରୀ ଟାଟା ଅକ୍ଟୋବର ୯, ୨୦୨୪ ରାତ୍ରିରେ ଇହଲିଳା ତ୍ୟାଗ କରିଥିଲେ । କାରଖାନା ପରିସରରେ ଥିବା ଟିଏସକେ ସେରରେ ଟାଟା ଷ୍ଟିଲ କଳିଙ୍ଗନଗରର ଉପାଧ୍ୟକ୍ଷ (ଅପରେସନ) ରାଜୀବ କୁମାର, ଟାଟା ଷ୍ଟିଲ କଳିଙ୍ଗନଗର ଶ୍ରମିକ ସଂଘର ସଭାପତି ରବୀନ୍ଦ୍ର ଜାମୁଦା, ବରିଷ୍ଠ ଅଧିକାରୀ, ଟିଏସକେ ଶ୍ରମିକ ସଂଘର ଅଧିକାରୀ ଏବଂ କର୍ମଚାରୀମାନେ ଏକତ୍ରିତ ହୋଇ ଶ୍ରୀ ଟାଟାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଟାଟା ସନ୍ସର ଏମିରିଟସ୍ ଅଧ୍ୟକ୍ଷ ଥିବା ରତନ ଟାଟା କେବଳ ଜଣେ ଦୂରଦର୍ଶୀ ନେତୃତ୍ୱ ନଥିଲେ ବରଂ ଜଣେ ସମାଜସେବୀ ମଧ୍ୟ ଥିଲେ, ଯାହାର ପ୍ରଭାବ କର୍ପୋରେଟ ଜଗତ ବାହାରେ ମଧ୍ୟ ପ୍ରତିଷ୍ଠା ଲାଭ କରିଥିଲା । ତାଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍ ଇସ୍ପାତ, ଅଟୋମୋବାଇଲ୍ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ସମେତ ବିଭିନ୍ନ କ୍ଷେତ୍ରରେ ବିସ୍ତାର କରି ଭାରତର ଶିଳ୍ପ କ୍ଷେତ୍ରକୁ ସୁଦୃଢ କରି ଗଢି ତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
ନୈତିକ ଆଧାରରେ ବ୍ୟବସାୟ, ନୂତନ ଉଦ୍ଭାବନ ଏବଂ ନୂତନ ଚିନ୍ତାଧାରାକୁ ଗୁରୁତ୍ୱ ଦେବା ସହିତ ସାମାଜିକ ଦାୟିତ୍ୱବୋଧ ପ୍ରତି ରତନ ଟାଟା ପ୍ରତିଶ୍ରୁତିବଦ୍ଧ ଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ତାଙ୍କର ପଦକ୍ଷେପ ସମଗ୍ର ଦେଶରେ ଅଗଣିତ ଜୀବନରେ ପରିବର୍ତ୍ତନ ଆଣିଛି । ଟାଟା ଟ୍ରଷ୍ଟ ଓ ଶିଳ୍ପାୟନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପ୍ରତି ତାଙ୍କର ସମର୍ପଣ ଏକ ଅନନ୍ୟ ଉଦାହରଣ । ଟାଟା ଷ୍ଟିଲ କଳିଙ୍ଗନଗର ଆଗକୁ ବଢ଼ୁଥିବା ବେଳେ ନୈତିକ ଅଭ୍ୟାସ, ଗୋଷ୍ଠୀ ବିକାଶ ଓ ନିରନ୍ତର ଅଭିବୃଦ୍ଧିକୁ ପ୍ରାଥମିକତା ଦେଇ ରତନ ଟାଟାଙ୍କ ଦୃଷ୍ଟିକୋଣକୁ ସମ୍ମାନ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ।
No Result
View All Result