ଓଡିଶା ତାଜା ନ୍ୟୁଜ୍ (୧୮ ଅଗଷ୍ଟ ମଙ୍ଗଳବାର ) ରଣପୁର /ଲେଖକ ସିଦ୍ଧାର୍ଥ ପଣ୍ଡା : –
ପିଲାଦିନୁ କାନକୁ କମ ଶୁଣାଯାଉଥିବାରୁ, ବାପ ମା ଛେଉଣ୍ଡ ସୁବର୍ଣିକୁ ସମସ୍ତେ କାଲୁଣି ବୋଲି ଡାକୁଥିଲେ, ସେଥିପାଇଁ ତାର ମଧ୍ୟ ସଂକୋଚ ନ ଥିଲା । ବିବାହ ଯୋଗ୍ୟା ହେବାରୁ, ବାଉଁଆ ଜଡ଼ା ସହିତ ତାର ନିର୍ବନ୍ଧ ହୋଇସାରିଥାଏ । ବାହାଘର ପୂର୍ବରୁ ଦାଦନ ଖଟିବାକୁ ଯାଇ ଅଜଣା ରୋଗରେ ବାଉଁଆ ମରିଗଲା ବୋଲି ବିଚାରି କାଲୁଣି ବାଳୁତ ବିଧବା ହୋଇ ରହିଲା । ଏଭଳି ଦୁଃଖଦ ଘଟଣାର ମାସ ନ ପୂରୁଣୁ, ପୁତୁରା ନଟିଆ ଜନ୍ମର ବାରଯାତରା ଦିନ, କାଲୁଣିର ବଡ଼ ଭଉଣୀ ବି ନିମୋନିଆ (Pneumonia) ରୋଗରେ ଆରପାରିକୁ ଚାଲିଗଲା । ମା’ ନଥିଲେ ମାଉସି.., ଲୋକକଥା ର କୁଛ୍ର ସାଧନାକୁ ଆବୋରି, ପିଲାଟିକୁ ପାଳିବାର ଦାୟିତ୍ୱ ମୁଣ୍ଡକୁ ନେଲା।ମା ଛେଉଣ୍ଡ ନଟିଆକୁ ସବୁବେଳେ ଥଣ୍ଡା କାଶ ଜରରୋଗ ମାଡି ବସୁଥିବାରୁ କାଲୁଣି ତାକୁ ବାର ପ୍ରକାର ଚେରମୁଳି ବାଟି ପିଆଏ। କେମିତି ନ ହେବ ଯେ ? ମା କ୍ଷୀରରୁ ସମସ୍ତ ପ୍ରତିରୋଧକ ଶକ୍ତି ପାଇବାରୁ ସେ ତ ବଂଚିତ ଥିଲା ନା..!! ନଟିଆର ଦେହ ଦୁଃଖ ବେଶି ଅସମ୍ଭାଳ ହେଲେ, ରିଫ୍ୟୁଜି ବଙ୍ଗାଳି ଅଜ୍ଞ ବୈଦ୍ୟଙ୍କ ପାଖରୁ ଦି ପାନେ ଓଷଦ ଆଣି ଦିଏ। ବୈଦ୍ୟଙ୍କ ଠୁ ସେ କଣ ଶୁଣେ କେଜାଣି ? ସେଠୁ ବାହାରି ବାଟ ସାରା ବଡ଼ ଭଉଣୀ ଆଉ ବାଉଁଆ ଜଡ଼ା କୁ ବାହୁନି, ବାହୁନି, ଲୁଗା କାନିରେ ଆଖିରୁ ଲୁହ, ନାକରୁ ସିଙ୍ଗାଣି ପୋଛି, ତା .. ଫୁ.. ତା.. ଫୁ ହୁଏ। ପଚାରିଲେ, ତା … ନିଆଁନଗା ଫୁ.., ତା .. ପୋଡପୋଡା ଫୁ.. ବୋଲି କହି ଚାଲିଯାଏ.. ତାର ଏଭଳି କଥାରୁ କିଛି ବୁଝି ହେଉ ନଥିଲା ।ୟା ତା ଘରେ ସହାୟିକା ପାଇଟି ସାଙ୍ଗକୁ ବୋଲହାକ କରି କାଲୁଣି ଗୁଜୁରାଣ ମେଣ୍ଟାଏ। କାହାର ଧାନଉଁଶା, ମୁଢିଭଜା, ଢେଙ୍କିକୁଟା, ଅଗାଡ଼ି, ଚାଉଳ, ମୁଗବିରି ପାଛୁଡା, ଘରବାରି ଲିପାପୋଛା କାମ ଥିଲେ କାଲୁଣିକୁ ଖୋଜା ପଡୁଥିଲା। ଏନ୍ତୁଡ଼ି ଶାଳର ପୋଖତି ଘରକାମ ଠୁ ବାହାପୁଆଣି, ଶୁଦ୍ଧ ଶ୍ରାଦ୍ଧ ପର୍ଯ୍ୟନ୍ତ ସବୁ କାମ ତା ବିନା ଯେମିତି ଏକ ପ୍ରକାର ଅସମ୍ଭବ ଥିଲା। ନଟିଆକୁ ସାଙ୍ଗରେ ଧରି ଖାଉନ୍ଦ ଘର ପିଣ୍ଢାରେ କାଠ ଚୁଚୁମାଟା କୁ ତା ମୁହଁରେ ଦେଇ ମାଲିକାଣୀ ଙ୍କ ଠାରର ଆଦେଶ ଅନୁଯାୟୀ କାମରେ ଲାଗି ପଡୁଥିଲା। ଏମିତିରେ ଯାହା ଯୋଡ଼େ ତାକୁ ଖାଇବାକୁ ମିଳିଯାଉଥିଲା। କୋଉ ଖାଉନ୍ଦର ପିଲାଙ୍କ ଶଙ୍ଖୁଡ଼ି ଥାଳିର ବଳକା ଖାଦ୍ୟ ଦିଟା ଖାଇ, ମା ପିଲାଙ୍କ ପେଟ ବି ପୁରିଯାଏ। ନହେଲେ ଧାନକଟା ବେଳେ ବିଲମାଳରୁ ଗୋଟେଇ ଥିବା ଖଣ୍ଡିଶୀଷା ଧାନର ବାରମିଶା ଚାଉଳରେ ବେଳେ ବେଳେ ଗୁଜୁରାଣ ମେଣ୍ଟାଏ। ଅବଶ୍ୟ ପିଣ୍ଡରୁ ପ୍ରାଣ ଛାଡିବାର ଚାରି ଛଅ ବର୍ଷ ପୂର୍ବରୁ ତାକୁ ମାସିକିଆ ସରକାରୀ ଚାଉଳ ଗଣ୍ଡେ ମିଳିଲା। ସବୁଥର ଭୋଟବେଳେ କୁଜି ନେତାଙ୍କ ଠାରୁ ଭତ୍ତା ଆଉ ଆବାସ ର କେବଳ ମିଛ ପ୍ରତିଶୃତି ଟିଏ ମାତ୍ର ପାଉଥିଲା। ଆତ୍ମ ଘୋଷିତ ବିଧବା ହୋଇ ଥିବାରୁ ସରକାରୀ ଖାତାରେ ବିଧବା କିମ୍ବା ସ୍ୱାମୀର ନାଁ ଉଲ୍ଲେଖ ନ ଥିଲା। କାଲୁଣି ହୋଇ ମଧ୍ଯ ଜିଲ୍ଲା ସରକାରୀ ଡାକ୍ତର ପ୍ରମାଣ ପତ୍ରରେ ଭିନ୍ନକ୍ଷମର ଶତକଡା ପରିମାଣ କମ, ବୟସ ୬୫ ହୋଇ ବି ଭୋଟ ପରିଚୟ ପତ୍ରରେ ୫୬ ଆଦି ଅନେକ ଭୁଲ ଭଟକାର ବାହାନା ତାକୁ ଶୁଣିବାକୁ ପଡୁଥିଲା। କାଗଜପତ୍ରକୁ ସଂଶୋଧନ କରିବାକୁ କେତେ ଲୋକଙ୍କୁ ଗୁହାରି କରି ଶେଷରେ ନିରାଶ ହୋଇ ରହିଲା।ନଟିଆଟା ଟିକେ ପାରିଲାର ହୋଇ ମୁଲ ପାତି ଲାଗିବା ଯାଏ କାଲୁଣି ମା/ମାଉସୀ ସହ ରହୁଥିଲା, ତା ପରେ ଭାରିଯାକୁ ନେଇ ଅଲଗା ରହିଲା। ସବୁ ସୁଖରୁ ବଞ୍ଚିତ ହୋଇ ମଧ୍ୟ କାଲୁଣିର ନିରବଛିନ୍ନ ନିରଳସ ସ୍ଵଭାଵରେ କିଛି ପରିବର୍ତ୍ତନ ନଥିଲା। ଡାକ ନ ଡାକ, ଯାଚି ହୋଇ ସବୁଥିରେ ସାହାଯ୍ୟ କରିବାକୁ ଆଗଭର ହେଉଥିଲା। କିଏ ମୁଢି ଗଣ୍ଡେ ତ କିଏ ପଖାଳ କଂସେ, କିଏ ଡିକାସିନୀ ଚା ଗଅଣ୍ଠ ଗିନେ କି ବାସୀ ପିଠାପଣା ଦେଇ କାଲୁଣି ଠୁ କାମ ଆଦାୟ କରୁଥିଲେ। ସେ ବି ଭୋକର ସବୁ ଲାଜ ସରମ ଛାଡି, ମୁହଁଖୋଲି ଯୋଡ଼େ ଖାଇବାକୁ ମାଗିଦିଏ । ତାର ବା କୋଉ ନଅ ତୁଅଣ ଛଅ ଭଜା ଦରକାର ପଡୁଥିଲା ଯେ, କିଏ ମନା କରନ୍ତା ? ଖାଉନ୍ଦ ଘର ସ୍ୱାଦିଷ୍ଟ ଖାଦ୍ୟର ବାସ୍ନାକୁ କେବଳ ଆଘ୍ରାଣ କରି, ଆମ୍ବୁଲ ଫେଡେ କୁ ରସୁଣ ଦି କୋଲାରେ ଭାତ କଂସେ ଖାଇ ଜିହ୍ଵାର ଲାଳସା ଆଉ ପେଟର ଭୋକ ମାରିବା ଅଭ୍ୟାସ ତାର ଥିଲା। ସତେ ଯେମିତି କାନକୁ ଶୁଣା ନ ଯିବା ସହ, ଘ୍ରାଣ ଓ ସ୍ୱାଦର ଇନ୍ଦ୍ରିୟ ଶକ୍ତିକୁ ସେ ଅନେକଦିନୁ ହରାଇ ଥିବାର କୁତ୍ରିମ ଅଭିନୟ କରୁଥିଲା। ପ୍ରତିଦାନରେ ସାରୁ କି ସଜନା ଶାଗ, କଖାରୁପତ୍ର କିମ୍ବା ବାଲିଛତୁ ଦିଟା ଅଣ୍ଟିରେ ଆଣି ଖାଉନ୍ଦ ଘରେ ଦେଇଥାଏ।
ବାଟରୁ ପାଇଥିବା ଗଛ ପାଚିଲା ଆମ୍ବଟେ କି କାହା ବାରିଘର କଷି ପିଜୁଳିଟାକୁ ନିଜେ ନ ଖାଇ, କୋଉ ପିଲା ହାତକୁ ବଢେଇ ଦେଵାରେ ତାକୁ ବଡ଼ ଆନନ୍ଦ ମିଳିଥାଏ। କାଲୁଣି କାହାର ଗର୍ଭାଧାରିଣୀ ମା ନଥିଲା ସତ, ନିଜ ସ୍ଥନରୁ କ୍ଷୀର ଦେଇ ନ ଥିଲେ ବି, ତା ଶୁଖିଲା ସ୍ତନଟାକୁ ପିଲାଏ ଉଣ୍ଡି ଦରାଣ୍ଡି ପାଟିରେ ଝୁଣି ପକେଇବାରେ କି ଆତ୍ମ ତୃପ୍ତି ପାଉଥିଲେ କେଜାଣି ? ସେଥିପାଇଁ ତ ପିଲାଙ୍କ ଠୁ ମା’ ଡାକ ଟିକେ ଶୁଣିଦେଲେ ତା ଠୁ ମାତୃତ୍ବର ବାସ୍ଚଲ୍ୟ ସ୍ନେହ ଭାସି ଆସୁଥିଲା । ତା ଜାଣିବାରେ କୋଉ ପିଲାର କଣ ଟିକେ ହେଲେ କାଲୁଣି ପୁରା ଜନ୍ମ କଲା ‘ମା’ ଭଳି ବ୍ୟସ୍ତ ବିବ୍ରତ ହୋଇପଡୁଥିଲା। ଆଖିରୁ ତାର ଧାରେ ଲୁହ ବୋହି ଯାଉଥିଲା। ନ ହେବ ବା କେମିତି ? କେତେ ମା’ ପିଲାଙ୍କର ଏନ୍ତୁଡ଼ି ଶାଳ କାମ ସେ କରିଛି, ଆଉ ମାଟି ପଲମରେ ଫେଡା ଘସିର ରଡ଼ ନିଆଁ ରଖି ତା ଚିରା କାନିରେ ଉଷୁମ ସେକ ଦେଇଛି। ତେଲ ହଳଦୀ ଲଗେଇ ମାସାଧିକ କାଳ ଘଷା ମୋଡା କରି ହାଡ଼କୁ ପାକଳ କରେଇଛି। ଖାସ ସେଇଥିପାଇଁ ବୋଧେ ତା ହୃଦୟରେ ମା’ ର ମମତା ଭରି ରହିଥିଲା। ପୋରୁହାଁ ପୋଖତି ଝିଅ ବୋହୁଙ୍କୁ କଅଁଳା ପିଲା ଧରି ଶିଖେଇବା, କ୍ଷୀର ଖୁଆଇବା ପ୍ରଣାଳୀଟା ସେ ହିଁ ତ ବତେଇଥାଏ। ମାନ୍ୟ ଲୋକଙ୍କ ପାଖରେ କେମିତି ମୁହଁରେ ତୁଣ୍ଡି ଦେଲାଭଳି ସଂଯମତା ରଖି, ମୁଣ୍ଡରେ ଲୁଗାଦେଇ, ଦି ଚାରି ଗଜ ଦୂରରୁ ଜୁହାର ଓଳିକି କରିବାକୁ ହୁଏ,ତା ଭାଷା ରେ ବୁଝେଇଦିଏ । ଶାଶୁଘର ଝିଅ ଓ ବୋହୁ ମାନେ, ତାଙ୍କ ନିଜ ସୁବିଧା ପାଇଁ କାଲୁଣିକୁ ଭଲମନ୍ଦ ଦେଇ ହାତେଇ ଥାନ୍ତି। କାହା ପିଲାର ଦେହ ଖରାପ ହେଲେ, ମାଇପେ କାଲୁଣିର ଅଭିଜ୍ଞ ପରାମର୍ଶ (Expert Advice) ନିଅନ୍ତି। ଦରକାର ପଡ଼ିଲେ ତାରି ହାତରେ ରିଫ୍ୟୁଜି ବଙ୍ଗାଳି ଅଜ୍ଞ ବୈଦ୍ୟଙ୍କ ପାଖରୁ ସେଇ ଫୁ…ବା ଫ୍ଲୁ(flu) ଜନିତ ରୋଗର ଓଷଦ ମଗେଇଥାନ୍ତି।ପିଲାଙ୍କର ସବୁ ପ୍ରକାର ଜର ରୋଗକୁ, ହେଇତା.. ଫୁ… ବୋଲି କହି ପାଦରେ ଟିକେ ରସୁଣ ଫୁଟା ଉଷୁମୁ ଶୋରିଷ ତେଲ ଘଷି , ମୁଣ୍ଡରେ ଓଦା କନାର ପଟି ଦେଇ ଜରକୁ କମେଇ ଦେବାର କିମିଆ କାଲୁଣିକୁ ବେଶ ଜଣାଥାଏ। ପିଲାଙ୍କ ଗୋଡ଼ହାତ, ମୁହଁକୁ ନଖ ଉଷୁମ ପାଣିରେ ଧୋଇ, ନାହି ଚାରିପଟେ ଟିକେ ସାବୁନ ହାତ କରି ବୁଲେଇଦେଲେ, ପିଲାଙ୍କ ଅଜୀର୍ଣ୍ଣ, ପେଟ ବମ୍ଫା ସବୁ ଭଲ ହେଇଯାଉଥିଲା। ଚାରି ଆଙ୍ଗୁଳି ପାପୁଲି ପଛରେ ଦେହର ତାତି ମାପି, ତା ଭାଷାର ଫୁ… ଜରକୁ ଚିରାଚରିତ ଚିକିତ୍ସା ପଦ୍ଧତିରେ ଭଲ କରିବାର ଶ୍ରେୟ ବି ନେଉଥିଲା। ପିଲା ପାଳିବାରେ କାଲୁଣିର ଅଭିଜ୍ଞାତା କୁ ନାପସନ୍ଦ କରିବାର ଦମ କାହାର ନ ଥିଲା। ସେଇ ଭରଷାରେ ମା’ ମାନେ ଜଞ୍ଜାଳ କଲା ବେଳେ, କାଲୁଣି ପାଖରେ ପିଲାଙ୍କୁ ଖେଳେଇ ବାକୁ ଛାଡ଼ି ଦେଉଥିଲେ। ସେ ପିଲାରଙ୍କୁଣୀ ବି ବଡ଼ ଖୁସିରେ ଦାୟିତ୍ୱ ନେଇ, ଗୋଟାଏ ମାତ୍ର ବାଘମାମୁଁ ଗପକୁ ସବୁବେଳେ, ସବୁ ପିଲାଙ୍କୁ, ଏକା ଢଙ୍ଗରେ କହି ହସାଇ ପାରୁଥିଲା। ତାର କୋଳି ଖାଇବୁ ପ୍ରଶ୍ନରେ, ହଁ…., ନଟାକୁ ଯିବୁରେ, ହଁ.. , ବାଘମାମୁଁ ଆସିଲେ ଡରିବୁନୁ ରେ, ନା.. କହିବା ମାତ୍ରେ, ଫୁ..ଫୁଙ୍କାରେ ଆଖି ମିଟିକା ପଡିବାର ମଜ୍ଜାଦାର ଦୃଶ୍ୟ ଆଜି ଦିନରେ ହଜିଲା ସ୍ମୃତି ହୋଇଯାଇଛି। ଫୁ.. ରେ ହସି ହସାଇବା ବଦଳରେ, ଫ୍ଲୁ (flu) କୁ ଅପଭ୍ରଂଶ କରି କହୁଥିବା ”କାଲୁଣିର ଫୁ …” ବରଂ ଆତଙ୍କିତ କରି ରଖିଛି।