No Result
View All Result
୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗୋପ ବ୍ଲକ ଅଧିନସ୍ଥ ତରକୋର ଗ୍ରାମ ପଞ୍ଚାୟତର ବାଲିକପିଳେଶ୍ବର ସ୍ଥିତ ମେଡିକାଲ ଠାରେ ବନବିଭାଗ ପକ୍ଷରୁ ବାଲିକପିଳେଶ୍ବର ବନ ସୁରକ୍ଷା କମିଟିର କାର୍ଯ୍ୟକାରୀ କମିଟି ଓ ସଭାପତି ନିର୍ବାଚନ ଗଣତାନ୍ତ୍ରିକ ବିଧି ବ୍ଯବସ୍ଥା ମାଧ୍ୟମରେ କରା ନ ଯାଇ ବେଆଇନ ଭାବେ ବନ ବିଭାଗ ପୁରୁଣା କମିଟିକୁ ପୁନଃ ଅବସ୍ଥାପିତ କରିବା ଘଟଣାକୁ ନେଇ ସୁରକ୍ଷା କମିଟିର କିଛି ସଭ୍ୟ, ବୁଦ୍ଧିଜୀବୀ ଓ ପରିବେଶବିତ ମାନେ ନାପସନ୍ଦ କରିବା ସହ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି।
ଖବରରୁ ପ୍ରକାଶ ଯେ ଗତ ୨୦୨୪ ମସିହା ଏପ୍ରିଲ ମାସ ଠାରୁ ବାଲିକପିଳେଶ୍ବର ଇଡିସି କମିଟିର ୩ବର୍ଷ କାର୍ଯ୍ୟ ଅବଧି ଶେଷ ହେବା ପରେ କୋଣାର୍କ ବନବିଭାଗ ପକ୍ଷରୁ ନୋଟିସ ମାଧ୍ୟମରେ ଇଡିସି ଅଧିନସ୍ଥ ୧୪ ଗୋଟି ଗ୍ରାମର ବନ ସୁରକ୍ଷା କମିଟିର ସଦସ୍ୟ ସଦସ୍ୟା ମାନଙ୍କୁ ନୂତନ ଇଡିସି କମିଟିର କାର୍ଯ୍ୟକାରୀ କମିଟି ଓ ସଭାପତି ନିର୍ବାଚନ ପାଇଁ ଅବଗତ କରାଯାଇଥିଲା। ଏହି ନୋଟିସ ଜାରି ହେବାର ୧୫ଦିନ ମଧ୍ୟରେ ନୂତନ କମିଟି ଗଠନ ନେଇ କୌଣସି ମତାମତ ନ ଆସିବାରେ କୋଣାର୍କ ବନବିଭାଗ ପକ୍ଷରୁ ଦ୍ବିତୀୟ ଥର ପାଇଁ ନୋଟିସ ଜାରି କରାଯାଇଥିଲା।
ବିଭାଗୀୟ ନୋଟିସ ମୁତାବକ ବାବା ବାଲିକପିଳେଶ୍ବର ପୀଠ ସନ୍ନିକଟ ଗୋଷ୍ଠୀ ଗୃହ ଠାରେ ବାଲିକପିଳେଶ୍ବର ଇଡିସିର ନୂତନ କର୍ମକର୍ତ୍ତା ନିର୍ବାଚନ କୋଣାର୍କ ବନାଚଂଳ ଅଧିକାରୀ ସୁଦର୍ଶନ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନ ସମ୍ବନ୍ଧୀୟ ବୈଠକରେ ଇଡିସି ଅଧିନସ୍ଥ ଖାଲକଟାପାଟଣା, ଟିକନା, କାନପୁର ଓ ବରପଦା ସମେତ ୧୪ଗୋଟି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସଦସ୍ୟ ଅନୁପସ୍ଥିତି ଥିବା ବେଳେ କେତେକ ଛାମୁଆ ଓ ଆଗ ଧାଡିର ସୁରକ୍ଷା କମିଟିର ପ୍ରାୟ ୨୦୦ ଜଣ ସଦସ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
ସରକାରୀ ନିୟମ ଅନୁଯାୟୀ ପ୍ରଥମେ ଇଡିସି କମିଟିର କାର୍ଯ୍ୟକାରୀ କମିଟି ସଭ୍ୟ ନିର୍ବାଚିତ ହେବାର ୭ଦିନ ପରେ ସଭାପତି ନିର୍ବାଚନ ହେବାର ବିଧି ବ୍ଯବସ୍ଥା ରହିଛି। ମାତ୍ର ବନବିଭାଗ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ବାଲିକପିଳେଶ୍ବର ଇଡିସିର ନିର୍ବାଚନ ପ୍ରକ୍ରିୟାରେ ଉପସ୍ଥିତ କେତେକ ସଭ୍ୟ ନୂତନ କାର୍ଯ୍ୟକାରୀ କମିଟି ନିର୍ବାଚନ କରିବା ପାଇଁ ମତାମତ ବ୍ୟକ୍ତ କରିଥିଲେ ମଧ୍ଯ ପୂର୍ବରୁ ପ୍ରସ୍ତୁତ ଯୋଜନା ମୁତାବକ ସେମାନଙ୍କ କଥାକୁ ଗୁରୁତ୍ବ ଦିଆଯାଇ ନ ଥିବା କେତେକ ସଭ୍ୟ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏହି ବୈଠକରେ ଉପସ୍ଥିତ ଥିବା କେତେକ ସଭ୍ୟଙ୍କ କଥାକୁ ଗୁରୁତ୍ବ ନ ଦେବାରେ ସେମାନେ ହୋହାଲ୍ଲା କରି ସେଠାରୁ ଫେରିଯାଇଥିବା ଦେଖିବାକୁ ମିଳିଥିଲା।
ଫଳରେ କୋଣାର୍କ ବନବିଭାଗ ପକ୍ଷରୁ ଗଣତାନ୍ତ୍ରିକ ବିଧି ବ୍ଯବସ୍ଥା ମାଧ୍ୟମରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସଠିକ ଭାବେ କରା ନ ଯାଇ ପୂର୍ବରୁ କାର୍ଯ୍ୟ କରୁଥିବା କମିଟିକୁ ବେଆଇନ ଭାବେ ପୁନଃ ଅବସ୍ଥାପିତ କରିବା ଘଟଣାକୁ ବୁଦ୍ଧିଜୀବୀ ଓ ପରିବେଶବିତ ମହଲରେ ନାପସନ୍ଦ କରାଯାଇଛି। ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ସୁରକ୍ଷା କମିଟିର କାର୍ଯ୍ୟକାରୀ କମିଟି ଗଠନ କରା ନ ଯାଇ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ବନ ସୁରକ୍ଷା କମିଟି ବୈଠକରେ ବିନା ନିର୍ବାଚନରେ କୌଣସି ମହିଳା ସଦସ୍ୟା ଓ ଅଧିକାଂଶ ସଦସ୍ଯ ମାନଙ୍କ ଅନୁପସ୍ଥିତିରେ ସଭାପତି ମନୋନୀତ କରାଯିବା କେତେଦୂର ଆଇନ ସମ୍ମତ ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏଠାରେ ପ୍ରକାଶ ଥାଉ କି ବାଲିକପିଳେଶ୍ବର ଇଡିସିରୁ ଲିଆଖିଆ, ବରପଦା ଓ କାନପୁର ଗ୍ରାମକୁ ଅଲଗା କରିବା ପାଇଁ ମାନ୍ୟବର ଓଡିଶା ଉଚ୍ଚନ୍ୟାୟାଳୟ ରେ ଏକ ମାମଲା ବିଚାରାଧୀନ ଥିବା ବେଳେ ବନ ବିଭାଗ ପକ୍ଷରୁ ଇଡିସି ପୁନଃ ଗଠନ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ସୁତନ ଗ୍ରାମର ୧୫୦ରୁ ଉର୍ଦ୍ଧ୍ବ ସୁରକ୍ଷା କମିଟିର ସଦସ୍ୟ ବାଲିକପିଳେଶ୍ବର ଇଡିସି ରୁ ଅଲଗା ହେବା ପାଇଁ ପୁରୀ ଜିଲ୍ଲା ବନ ଅଧିକାରୀ ଓ କୋଣାର୍କ ବନାଚଂଳ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ ସେମାନଙ୍କ କଥାକୁ ବିଚାରକୁ ନିଆ ନ ଯାଇ ଇଡିସି ନିର୍ବାଚନକୁ ନେଇ ସାଧାରଣରେ ନାପସନ୍ଦ କରାଯାଇଛି।
ଗତ ୨୦୦୬ ମସିହାରେ ଜୋର ଜବରଦସ୍ତ ଭାବେ ୧୪ଗୋଟି ଗ୍ରାମକୁ ଇଡିସିରେ ସାମିଲ କରିବାକୁ ନେଇ ଅନୁଷ୍ଠିତ ବୈଠକରେ ବିରୋଧ ଓ ହୋହାଲ୍ଲା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ନ ରହିବା, କୌଣସି ମହିଳା ସଦସ୍ୟା ଙ୍କୁ ଡକା ନ ଯିବା, ହାଇକୋର୍ଟରେ ମାମଲା ବିଚାରଧୀନ ଥାଇ ଇଡିସି କମିଟି ପୁନଃ ଗଠନ ସହ ଅଧିକାଂଶ ସଦସ୍ୟ ସଦସ୍ୟା ଅନୁପସ୍ଥିତି ଥାଇ ନିର୍ବାଚନ ବଦଳରେ ସଭାପତି ମନୋନୟନ ଘଟଣାର ରାଜ୍ୟ ସରକାରଙ୍କ ବନ ବିଭାଗର ବିଭାଗୀୟ ମନ୍ତ୍ରୀ, ସଚିବ, ପୁରୀ ଜିଲ୍ଲାପାଳ ଓ ପୁରୀ ଜିଲ୍ଲା ବନ ଅଧିକାରୀ ଦୃଷ୍ଟି ଦେଇ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ସଦସ୍ୟ ରବିନ୍ଦ୍ର ନାଥ ବେହେରା, ଛବିନ୍ଦ୍ର ବେହେରା, ପ୍ରହଲ୍ଲାଦ ବେହେରା, ଟୁଲୁରାଜ ଭୋଇ, କୃଷ୍ଣଚନ୍ଦ୍ର କାଣ୍ଡି, ଭାସ୍କର ରାଉତ ଓ ମଦନ ମହାପାତ୍ରଙ୍କ ସମେତ ଶତାଧିକ ସଦସ୍ୟ ପ୍ରମୁଖ ଦାବି କରିଛନ୍ତି।
No Result
View All Result