No Result
View All Result
0୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦିଲ୍ଲୀ :-> ଅନିନ୍ଦିତା ଦାସ ସଙ୍ଗୀତ ଜଗତର ଜଣେ ଜଣାଶୁଣା ନାମ । ଓଡ଼ିଶାର ନାଇଟଏଙ୍ଗଲ ଭାବରେ ଖ୍ୟାତି ଅର୍ଜନ କରିଥିବା, କୋକିଳକଣ୍ଠି ଅନିନ୍ଦିତା ରାଜ୍ୟର ଘରେଘରେ ତାଙ୍କର ସୁମଧୁର ଓ ସୁଲଳିତ ସଙ୍ଗୀତ ଗାୟନ ପାଇଁ ପରିଚିତ। ଶିଶୁ ସମୟରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିବା ଅନିନ୍ଦିତା, ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ଯୁବାବସ୍ଥାରେ ହିଁ ସର୍ବସାଧାରଣରେ ନିଜର ପ୍ରଖର ପ୍ରତିଭା ଓ ପ୍ରଚୁର ପାରଦର୍ଶିତାର ପରିଚୟ ପ୍ରଦାନ କରିପାରିଥିଲେ । ମାତ୍ର ନଅ ବର୍ଷ ବୟସରେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ମଥୁରା ବିଜୟ’ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିବାର ସୁଯୋଗ ଲାଭ କରିଥିଲେ । ଦୀର୍ଘ ଦିନର ସାଧନା ଓ ସିଦ୍ଧି ବଳରେ ବର୍ତ୍ତମାନ ଶ୍ରୀମତୀ ଦାସ ଓଡ଼ିଶାର ସଙ୍ଗୀତ ଦୁନିଆର ଜଣେ ଅଗ୍ରଗଣ୍ୟ କଳାକାର ଭାବରେ ନିଜର ପ୍ରତିଷ୍ଠା ଓ ପ୍ରସିଦ୍ଧି ହାସଲ କରିପାରିଛନ୍ତି।
ଗତ ଚାରି ଦଶନ୍ଧି ଧରି ଅନିନ୍ଦିତା ଓଡ଼ିଶାର ସଙ୍ଗୀତ ଦିଗବଳୟରେ ଜଣେ ଜାଜୁଲ୍ୟମାନ ତାରକା ଭାବରେ ଝଲସି ଆସୁଛନ୍ତି। କେବଳ ଓଡ଼ିଶାର କୋଣାନୁକୋଣରେ ନୁହଁ, ଓଡ଼ିଶା ବାହାରେ ସୁଦୂର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ ଓ କୋଲକାତା ଆଦି ମହାନଗରୀ ଏବଂ ବିଦେଶର ବହୁ ରାଷ୍ଟ୍ରରେ ନିଜର ଅପୂର୍ବ କଳା ଚାତୁର୍ଯ୍ୟ ଓ ମାଧୁର୍ଯ୍ୟ ପ୍ରଦର୍ଶନ କରି ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଅନିନ୍ଦିତା କେବଳ ମାତ୍ର ଜଣେ ଗାୟିକା ନୁହଁନ୍ତି, ଏକାଧାରରେ ସେ ଜଣେ ଆଦର୍ଶ ନାରୀ, ସକ୍ଷମ ଗୃହିଣୀ, କର୍ତ୍ତବ୍ୟପରାୟଣା ପତ୍ନୀ, ସ୍ନେହୀ ମା’, ଦାୟିତ୍ଵବାନ ମୁରବୀ, ସୁଦକ୍ଷା ସଙ୍ଗଠିକା, ସକ୍ରୀୟ ସାମାଜିକ ନେତ୍ରୀ, ମିଷ୍ଟଭାଷୀ ମହିଳା, ଦରଦୀ ବ୍ୟକ୍ତିତ୍ୱ, ବନ୍ଧୁ ବତ୍ସଳା ମାନବ ଏବଂ ପରୋପକାରୀ ମଣିଷ ଭାବରେ ସମାଜରେ ଖୁବ୍ ସୁନାମ ସାଉଁଟି ଚାଲିଛନ୍ତି।
ପିତା ଯୋଗେନ୍ଦ୍ର କୁମାର ଦାସ ଏବଂ ମାତା ସବିତା ଦାସଙ୍କର ସୁଯୋଗ୍ୟ ସନ୍ତାନ ଅନିନ୍ଦିତା, କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ। ଘରେ ସଙ୍ଗୀତ ପ୍ରତି ଆଗ୍ରହର ବାତାବରଣର ସଦୁପଯୋଗ କରି ସେ ବାଲ୍ୟକାଳରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ଷାଠିଏ ଦଶକର ମହାନ ସଙ୍ଗୀତ ଗୁରୁବୃନ୍ଦ ଯଥା:- ଗୁରୁ କ୍ଷିତୀଶ ଚନ୍ଦ୍ର ମୈତ୍ର, ଗୁରୁ ଦୀପକ ବସୁ, ଗୁରୁ ମୋହନ ଚରଣ ସେନାପତି ଏବଂ ଗୁରୁ ଜେ. ଭି.ଏସ୍. ରାଓ ପ୍ରମୁଖଙ୍କଠାରୁ ସେ ଶାସ୍ତ୍ରୀୟ ଓ ଲଘୁ ସଙ୍ଗୀତରେ ତାଲିମ ଗ୍ରହଣ କରିଥିଲେ। ଆକାଶବାଣୀର ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରି ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଅନିନ୍ଦିତାଙ୍କର ସୁମଧୁର ଗାୟନ ପରବର୍ତ୍ତୀ କାଳରେ ଦୂରଦର୍ଶନ ଏବଂ ଅନ୍ୟାନ୍ୟ ଘରୋଇ ଟେଲିଭିଜନ ଚ୍ୟାନେଲ ଗୁଡ଼ିକରେ ନିୟମିତ ଭାବରେ ପ୍ରସାରିତ ହୋଇଥିଲା। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେଉଥିବା ସଙ୍ଗୀତ ସମାରୋହମାନଙ୍କରେ ତାଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ଲଗାତାର ଭାବରେ ଜାରି ରହିଥିବା ଦେଖାଯାଉଛି। ଚଳଚ୍ଚିତ୍ରର ଜଣେ ସୁଦକ୍ଷା ପ୍ରଚ୍ଛଦପଟ୍ଟ ଗାୟିକା ଭାବରେ ପ୍ରତିଷ୍ଠା ଅର୍ଜନ କରିଥିବା ଅନିନ୍ଦିତାଙ୍କର, ସଙ୍ଗୀତ ଦୁନିଆର କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତିଙ୍କ ଦ୍ୱାରା ସଙ୍ଗୀତ ନିର୍ଦ୍ଦେଶିତ ବଧୂ ନିରୁପମା, କାଳିଆ ଭରସା ଓ ଗଙ୍ଗା ଯମୁନା ସରସ୍ଵତୀ ଆଦି ଲୋକପ୍ରିୟ ଚଳଚ୍ଚିତ୍ରରେ କଣ୍ଠଦାନ, ଶ୍ରୋତାମାନଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ହୋଇଛି । ସେ ହିନ୍ଦୀ ଭାଷାର ଶିଶୁ ଚଲଚ୍ଚିତ୍ର ‘ବରଗଦ ଦାଦା’ରେ ମଧ୍ୟ ସଙ୍ଗୀତ ଗାୟନ କରିଛନ୍ତି। ତାଙ୍କର ସଫଳତା ପଛରେ ପ୍ରଥମେ ପିତାମାତା ଏବଂ ପରେ ପତି ଅବସରପ୍ରାପ୍ତ ଆଇ.ଏ.ଏସ. ଅଧିକାରୀ ଗୁରୁ ପ୍ରସାଦ ମିଶ୍ରଙ୍କର ସଦିଚ୍ଛା ଓ ସହଯୋଗ ଖୁବ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଅନିନ୍ଦିତା କୁହନ୍ତି।
ହିନ୍ଦୀ ଓ ଇଂରାଜୀ ଭାଷାର ମାତ୍ରାଧିକ ପ୍ରଚଳନ ଓ ପ୍ରଭାବ ହେତୁ ଓଡ଼ିଆ ଭାଷା ଓ ସଙ୍ଗୀତର ପ୍ରଚାର ପ୍ରସାର କ୍ଷେତ୍ରରେ ସୃଷ୍ଟି ହୋଇଥିବା ସମସ୍ୟା ଓ ସଙ୍କଟ ନେଇ ଅନିନ୍ଦିତା ଖୁବ୍ ଆନ୍ଦୋଳିତ ଥିବା ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ଏଣୁ ସେ କିଶୋର ଓ ଯୁବ ସମ୍ପ୍ରଦାୟକୁ ରାଜ୍ୟର ବରପୁତ୍ରମାନଙ୍କର ଅବଦାନ ସମ୍ପର୍କରେ ଅବଗତ କରାଇବା, ସେମାନଙ୍କ ସାମ୍ନାରେ ସେହି ମହାପୁରୁଷମାନଙ୍କର ସ୍ଵର୍ଣ୍ଣାଭ ଇତିହାସ ଓ ଏୈତିହ୍ୟକୁ ଉଜ୍ଜୀବିତ କରିବା ଏବଂ ଓଡ଼ିଆ ଜାତିର ସ୍ୱାଭିମାନ ଓ ଅସ୍ମିତା ସମ୍ପର୍କରେ ସେମାନଙ୍କ ଠାରେ ସଚେତନତା ସୃଷ୍ଟି କରିବା
ଦିଗରେ ସଙ୍ଗୀତ ମାଧ୍ୟମରେ ଏକ ସ୍ଵତନ୍ତ୍ର ଅଭିଯାନ ଚଲାଇଥିବା ପ୍ରକାଶ କରିଛନ୍ତି । ସ୍ୱାଧୀନତା ସଂଗ୍ରାମ ଓ ରାଷ୍ଟ୍ର ନିର୍ମାଣର କର୍ଣ୍ଣଧାର ସାଜିଥିବା କୋଟି କୋଟି ଓଡ଼ିଆଙ୍କର ଗର୍ବ ଓ ଗୌରବ,ଏହି ତୁଙ୍ଗ ନେତାମାନଙ୍କର ଜୀବନ, ଦର୍ଶନ ଓ ଆଦର୍ଶ ସମ୍ପର୍କରେ ଆମର ଭବିଷ୍ୟତ ପୀଢ଼ିଙ୍କୁ ପ୍ରେରଣା ଓ ପ୍ରୋତ୍ସାହନ ଯୋଗାଇବା ହିଁ ଅନିନ୍ଦିତାଙ୍କର ଏହି ମହତ ପ୍ରୟାସର ଆଭିମୁଖ୍ୟ। ସେ ଏହା ମଧ୍ୟରେ ମଧୁସୂଦନ ଦାସ, କୁନ୍ତଳା କୁମାରୀ ସାବତ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ବୀରକିଶୋର ଦାସ, ଲକ୍ଷ୍ମୀକାନ୍ତ ମହାପାତ୍ର, ଭୀମ ଭୋଇ, ଗଙ୍ଗାଧର ମେହେର, ବାଞ୍ଛାନିଧି ଦାସ, ରାଧାନାଥ ରାୟ ,ମଧୁସୂଦନ ରାଓ, ଗୋଦାବରୀଶ ମହାପାତ୍ର ଏବଂ ଗୋଦାବରୀଶ ମିଶ୍ର ପ୍ରମୁଖ ମହାନୁଭବମାନଙ୍କର କାଳଜୟୀ ରଚନା ଉପରେ ସଙ୍ଗୀତ ସଂଯୋଜନା କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଅନିନ୍ଦିତା ଦାସ ଏବେ ୱାର୍ଲ୍ଡ ଓଡ଼ିଶା ସୋସାଇଟିର ସାଧାରଣ ସମ୍ପାଦକ ତଥା ଏହାର ସାସ୍କୃତିକ ରାଷ୍ଟ୍ରଦୂତ ଅଛନ୍ତି । ଗଲଫ ଓଡ଼ିଆ ଆସୋସିଏସନ ମଧ୍ଯ ତାଙ୍କୁ ଏହାର ରାଷ୍ଟ୍ରଦୂତ ନିଯୁକ୍ତ କରିଛି। ଏହା ବ୍ୟତୀତ ସେ ହେଲଥ ଏଣ୍ଡ ଡେଭେଲମେଣ୍ଟ ଇନିସିଏଟିଭର ନିର୍ଦ୍ଦେଶିକା, ଉତ୍କଳ ବିଶ୍ୱବିଦ୍ୟାଳୟ ଆଲୁମିନା ସଙ୍ଗଠନର ସାଂସ୍କୃତିକ ଆବାହକ ଏବଂ ସିଲଭର ଏଜ ଫାଉଣ୍ଡେସନ ଫର ଏଲଡରସ, ସ୍ପିକ ଫର ଆନିମଲ ଏବଂ ଭୁବନେଶ୍ୱର ସ୍ଥିତ ଆର. ସି.ଏଫ. ରୋଟାରୀ କ୍ଲବର ସଦସ୍ୟା ଅଛନ୍ତି I ସଂଗୀତ ଜରିଆରେ ସମାଜରେ ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠା କରିବା ଅନିନ୍ଦିତାଙ୍କର ହୃଦୟର ଇଛା I
ଆନ୍ତର୍ଜାତିକ ସ୍ତରରେ ପାରଙ୍ଗମ ଢଙ୍ଗରେ ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ଯର ପ୍ରଚାର ଓ ପ୍ରସାର କରୁଥିବା ଦୃଷ୍ଟିରୁ ଅନିନ୍ଦିତାଙ୍କୁ ଦେଶ ବିଦେଶର ବହୁ ସଙ୍ଗଠନ ପକ୍ଷରୁ ପୁରସ୍କୃତ, ସମ୍ମାନିତ ତଥା ସମ୍ବର୍ଦ୍ଧିତ କରାଯାଇଛି। ଏହା ମଧ୍ୟରେ ୨୦୨୨ ରେ ସମ୍ମାନସ୍ପଦ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ସ୍ଵର ସ୍ୱତସ୍ଵିନୀ ସମ୍ମାନ, ସ୍ଵରଶ୍ରୀ ସମ୍ମାନ, ସୁର ତରଙ୍ଗିଣୀ ପୁରସ୍କାର, ଚିନ୍ତା ଓ ଚେତନା ସମ୍ମାନ, ବ୍ରାଇଟ ଓଡ଼ିଶା ସମ୍ମାନ, ମହକ ମୋ ମାଟିର ପୁରସ୍ଜାର, ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ସମ୍ମାନ, ନଟରାଜ ସଙ୍ଗୀତ ପୁରସ୍କାର, ଏକାମ୍ରଶ୍ରୀ ସମ୍ମାନ, ଉପେନ୍ଦ୍ରନାଥ ସ୍ମୃତି ସମ୍ମାନ, ନବକୃଷ୍ଣ ସ୍ମୃତି ସମ୍ମାନ, ବ୍ରଜନାଥ ବଡ଼ଜେନା ସମ୍ମାନ, ଉତ୍କଳ ବିଶ୍ୱବିଦ୍ୟାଳୟର ସର୍ବୋତ୍କୃଷ୍ଟ ଗାୟିକା ପୁରସ୍କାର, ବକଲ୍ ବାଳିକା ବିଦ୍ୟାଳୟର ସର୍ବାଙ୍ଗୀନ ଉତ୍କୃଷ୍ଟ ପ୍ରଦର୍ଶନକାରୀ ପୁରସ୍କାର, ଓଡ଼ିଆ ସୋସାଇଟି ଅଫ୍ ଆମେରିକାର ସମ୍ମାନ, ଓଡ଼ିଆ ସୋସାଇଟି ଅଫ୍ ଅଷ୍ଟ୍ରେଲିଆର ସମ୍ମାନ, ଓଡ଼ିଆ ସମାଜ ୟୁ. ଏ. ଇ. ର ସମ୍ମାନ, ଓଡ଼ିଆ ସାମାଜ ବାହାରିନର ସମ୍ମାନ, ଓଡ଼ିଆ ସାମାଜ କାତାରର ସମ୍ମାନ, ଓଡ଼ିଶା ସାମାଜ ୟୁ. କେ. ର ସମ୍ମାନ, ଓଡ଼ିଆ ସାମାଜ ଆୟାର୍ଲାଣ୍ଡର ସମ୍ମାନ ଏବଂ ନାଗାଲାଣ୍ଡର ରାଜ୍ୟପାଳଙ୍କର ସ୍ଵତନ୍ତ୍ର ସମ୍ମାନ ଆଦି ଅନ୍ତର୍ଭୁକ୍ତ।
No Result
View All Result